ପତିବ୍ରତାଙ୍କ ଦ୍ଵାରା ସାବିତ୍ରୀ ବ୍ରତ ଧୁମଧାମରେ ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଓଡ଼ିଶାର ସଂସ୍କୃତି ସାରା ବିଶ୍ୱରେ ଅନନ୍ୟ । ଓଡିଶାରେ ବାରମାସରେ ତେର ପର୍ବ ମଧ୍ୟରେ ସାବିତ୍ରୀ ବ୍ରତଏକ ନିଆରା ପର୍ବ। ସାରା ଭାରତରେ ସତୀସ୍ୱାଧୀ ନାରୀଙ୍କର ଅପୂର୍ବ ଇତିହାସ ଅଛି ଯାହାକି ସାରା ବିଶ୍ୱରେ ବିରଳ । ସାବିତ୍ରୀ ହେଉଛନ୍ତି ସଧବା ନାରୀଙ୍କ ଆଦର୍ଶ । ସ୍ୱାମୀଙ୍କ ଦୀର୍ଘ ଆୟୂଷ ଓ ମଙ୍ଗଳ କାମନା କରି ସଧବା ନାରୀମାନେ ସାବିତ୍ରୀ ଙ୍କ ପରି ଆଜୀବନ ସଧବା ହେବା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ପୁରାଣ ବର୍ଣ୍ଣିତ ମହାସତୀ ସାବିତ୍ରୀ ଉପାଖ୍ୟାନ ସମସ୍ତ ହିନ୍ଦୁ ପରିବାରର ଘରେ ଘରେ ପରିଚିତ । ପାତିବ୍ରତ୍ୟ ଧର୍ମର ଶକ୍ତି କେତେ ପ୍ରଭାବଶାଳୀ ଏହି ଉପାଖ୍ୟାନରେ ରଚିତ ହୋଇଛି । ନିଜର ଧର୍ମ, ତ୍ୟାଗ, ନିଷ୍ଠା, ପ୍ରାର୍ଥନା, ଭକ୍ତି, ତପସ୍ୟା, ପ୍ରେମ ବଳରେ ମହାସତୀ ସାବିତ୍ରୀ କାଳରାଜ ଯମଙ୍କ ପାଖରୁ ନିଜର ମୃତ ସ୍ୱାମୀକୁ ଜୀବନ୍ତ ଭାବରେ ଫେରାଇ ଆଣିବାକୁ ସମର୍ଥ ହୋଇ ସମଗ୍ର ମାନବ ସମାଜ ପାଇଁ ଏକ ଆଦର୍ଶ ସୃଷ୍ଟି କରିଥିଲେ । ଜ୍ୟେଷ୍ଠମାସ କୃଷପକ୍ଷ ଦିନ ସାବିତ୍ରୀ ବ୍ରତ ପାଳନ କରାଯାଏ । ସେହି ମହାସତୀ ସାବିତ୍ରୀ ଦେବୀଙ୍କୁ ଆଜି ପ୍ରତି ହିନ୍ଦୁ ପରିବାରରେ ଏହିଦିନ ପୂଜାର୍ଚ୍ଚନା କରିଥାନ୍ତି । ବିବାହିତ ମହିଳାମାନେ ପ୍ରତ୍ୟୁଷରୁ ସ୍ନାନ ଆଦି ନିତ୍ୟକର୍ମ ସାରି ପରିବାର ଓ ସମାଜର ମଙ୍ଗଳ କାମନା କରି ବ୍ରତ ଆରମ୍ଭ କରିଥାନ୍ତି । ପରେ ନୂଆ ଶାଢୀ, ଚୁଡ଼ି, ସିନ୍ଦୂର, ଫଳମୂଳ, ଧୂପଦୀପ ଆଦିରେ ଭୋଗଥାଳି ପ୍ରସ୍ତୁତ କରିଥାନ୍ତି । କେହି କେହି ମନ୍ଦିର ଓ ବରଗଛ ମୂଳରେ ମଧ୍ୟ ପୂଜା କରିଥାନ୍ତି । ଆମ୍ବ ସେଓ, ପଣସ, ଖଜୁରୀ, ତାଳ, କଦଳୀ, ନଡ଼ିଆ, ପିଜୁଳି, ନାସପାତି, ସପୁରୀ, ଲିଚୁ, ତରଭୁଜ, ଜାମୁକୋଳି, ଧୂଆମୁଗ, ଆଖୁ, କି,ଉଖୁଡା, ଛେନା, ଗୁଡ ଆଦି ୭୪ ପ୍ରକାରଭୋଗରେ ସାମିଲ ହୋଇଥାଏ । ମନ୍ଦିର ବା ଘରେ ବ୍ରାହ୍ମଣ ମାନଙ୍କ ଦ୍ବାରା ସାବିତ୍ରୀ, ସତ୍ୟବାନ୍ ଓ ଯମରାଜଙ୍କ ପୂଜାର୍ଚ୍ଚନା କରିବାପରେ ସାବିତ୍ରୀବ୍ରତ ପଢ଼ିବା ସହ ସମସ୍ତଙ୍କୁ ଶୁଣାନ୍ତି । ପରେ ପୂଜା ହୋଇଥିବା ନବବସ୍ତ ପରିଧାନ କରି ସ୍ୱାମୀଙ୍କୁ ପୂଜାକରି ଆଶୀର୍ବାଦ ନେବାସହ ଗୁରୁଜନ ମାନଙ୍କର ଆଶୀର୍ବାଦ ନେଇଥାନ୍ତି ଓଷୟତିମାନେ । ଆଜି ରାଇରଙ୍ଗପୁର ର ଜଗନ୍ନାଥ ମନ୍ଦିର ସମେତ ବିଭିନ୍ନ ଦେବାଳୟ ମାନଙ୍କରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥିଲା । ଲୁଗାପଟା, ଫଳମୂଳ ବେଲଗାମ ଦରଦାମ ବୃଦ୍ଧି ସତ୍ତ୍ୱେ ଯାହାର ଯେତିକି କ୍ଷମତା ଓ ସାମର୍ଥ୍ୟ ସେହି ଅନୁସାରେ କିଣାକିଣି କରି ନିଜର ଇଷ୍ଟଦେବୀ ମହାସତୀ ସାବିତ୍ରୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ନେବାସହ ନିଜ ପତିର, ପରିବାରର ଓ ସମାଜର ମଙ୍ଗଳ କାମନା କରିଥିଲେ ।