ଜବର ଦଖଲ ଜମି ବିବାଦକୁ ନେଇ ଅଡବା ଗ୍ରାମବାସୀ ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ପକାଇଲେ ତାଲା
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ଅଡବା ପଞ୍ଚାୟତ ଅଧିନସ୍ଥ ଭୀମା ଠାକୁରାଣୀ ମନ୍ଦିର ପରିସରରେ ଥିବା ସରକାରୀ ଜମିକୁ ଘୋଡାପଙ୍କା ଗ୍ରାମର କାମେଲ ନାୟକ ନିଜ ପରିବାର ସହ କୁଡ଼ିଆ ଘର କରି ସେଠାରେ ସରକାରୀ ଜମିକୁ ଜବର ଦଖଲ କରି ମୂଲ୍ୟ ବାନ ଗଛ କାଟିବା ସହ ଏକ ବନ୍ଧ ଖୋଳି ରହି ଆସୁଛନ୍ତି । ଏହା ଜାଣିବା ପରେ ଅଡବା ଗ୍ରାମର ମନ୍ଦିର କମିଟି ଏବଂ ଗ୍ରାମବାସୀ ଏହାକୁ ବିରୋଧ କରି କାମେଲକୁ ଉକ୍ତ ସ୍ଥାନ ଛାଡ଼ିବା ପାଇଁ ବହୁବାର ଅନୁରୋଧ କରିବା ସତ୍ତ୍ୱେ ସେ ସେଥିରୁ ନିବୃତ୍ତ ହୋଇନଥିଲେ । ଏଣୁ ଗ୍ରାମବାସୀ ଏକତ୍ରୀତ ହୋଇ ପ୍ଳଟ ନଂ-୬୯୯ ରୁ କାମେଲକୁ ଉଠାଇବା ପାଇଁ ମୋହନା ତହସିଲଦାର ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ତହସିଲଦାର ଓ ଅତିରିକ୍ତ ତହସିଲଦାର ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ କରିଥିଲେ । ସରକାରୀ ନିୟମ ଅନୁଯାୟୀ ଜମିହୀନଙ୍କୁ ଜମି ଯୋଗାଇ ଦିଆଯାଉଥିବା ଯୋଜନାରେ ବହୁ ପୂର୍ବରୁ କାମେଲକୁ ଜମି ଯୋଗାଇ ଦିଆଯାଇଥିବା ଜଣାପଡିଥିଲା । ଏହା ଜଣାପଡିବା ପରେ କାମେଲକୁ ୨୭/୫/୨୨ ସୁଦ୍ଧା ଉକ୍ତ ସ୍ଥାନକୁ ଛାଡିବା ପାଇଁ ନୋଟିସ କରାଯାଇଥିଲା । ସେ ଏଥିରେ ଅବହେଳା କରି ଜାଗାରୁ ନହଟିବାରୁ ବୁଧବାର ଦିନ ଅଡବା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରୀତ ହୋଇ ସ୍ଥାନୀୟ ରାଜସ୍ଵ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ତାଲା ପକାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଆସି ଲୋକଙ୍କୁ ବୁଝାସୁଝା କରିବାପରେ ଲୋକେ ତାଲା ଖୋଲିଥିଲେ । ଏ ସମ୍ପର୍କରେ ତହସିଲଦାର କିଶୋରଚନ୍ଦ୍ର ଦାସ କହିଛନ୍ତି ଅଳ୍ପଦିନ ମଧ୍ୟରେ ପ୍ରଶାସନିକ ନିୟମ ଅନୁଯାୟୀ କାମେଲକୁ ସେଠାରୁ ଉଛେଦ କରାଯିବ ଓ ଘର ଭଙ୍ଗାଯିବ।


