ପ୍ରେରଣା ପକ୍ଷରୁ ବିଧାୟକ କଲୋନୀ ଗଛକଟା ବିରୋଧୀ : ଆନ୍ଦୋଳନ ଷଷ୍ଠ ଦିନରେ ପହଂଚିଲା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବିଧାୟକ କଲୋନୀ ଗଛକଟାକୁ ବିରୋଧ କରି ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଆନ୍ଦୋଳନ ଷଷ୍ଠ ଦିନରେ ପହଂଚିଛି । ରାଜ୍ୟାପଳଙ୍କୁ ଦାବିପତ୍ର ପ୍ରଦାନ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ତଥା ବନ ବିଭାଗର ବିଭିନ୍ନ ଉପରିସ୍ଥ ଅଫିସରମାନଙ୍କୁ ଗଛକଟା ବନ୍ଦ ପାଇଁ ଦାବିପତ୍ର ପ୍ରଦାନ କରିବା ସହିତ ସବୁଦିନ ପାଇଁ ଗଛକଟା ବନ୍ଦ ରଖିବା ନିମନ୍ତେ ଆନ୍ଦୋଳନ ପ୍ରତିଦିନ ଜାରି ରହିଛି । ଗତକାଲି ୫୦୦ ପିଜୁଳି ଚାରା ବଣ୍ଟନ କରାଯାଇଥିବା ବେଳେ ଆଜି ୫୦୦ ଆମ୍ବଚାରା ପଥଚାରୀ ମାନଙ୍କୁ ବଣ୍ଟନ କରାଯାଇଛି । କାରଣ ୫୦୦ ଗଛ କଟିଥିବା ବେଳେ ଏହି ୧୦୦୦ ଗଛ ସାଧାରଣ ଜନତାଙ୍କ ସହଯୋଗରେ ଲାଗିପାରିଲେ ତାହା କଟିଥିବା ଗଛର କ୍ଷତିପୂରଣରେ ଅନେକାଂଶରେ ସହଯୋଗ କରିବ ଓ ସାଧାରଣ ଜନତାଙ୍କ ସମ୍ପୃକ୍ତି ବୃକ୍ଷରୋପଣରେ ଅଧିକ ମାତ୍ରାରେ ରହିିବ ବୋଲି ପ୍ରେରଣାର ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି । ଏଥିସହିତ ଆଜି ଶ୍ରୀଜଗନ୍ନାଥଙ୍କ ଲୋଗୋ ଲାଗିଥିବା ହୋର୍ଡ଼ିଂ ଓ ଗଛ ହିନ୍ଦୁ, ମୁସଲମାନ, ଶିଖ, ଇସାଇ, ଖ୍ରୀଷ୍ଟିୟାନ ପ୍ରତି ଧର୍ମର ଲୋକଙ୍କୁ କିପରି କୋଳେଇ ଧରିଛି ସେ ହୋର୍ଡ଼ିଂ ମଧ୍ୟ ପ୍ରଦର୍ଶିତ କରିଥିଲେ । ଏହାକୁ ପ୍ରଦର୍ଶନ କରି ଡଃ ଶ୍ରୀଚନ୍ଦନ କହିଲେ ଯେ, ଗଛର କୌଣସି ଜାତି ନାହିଁ, ଗଛ ଆମ ସମସ୍ତଙ୍କ ପାଇଁ ନିଜକୁ ସମର୍ପଣ କରି ଖରା, ବର୍ଷା, ଶୀତ କାକର ଖାଇ ଠିଆ ହୋଇଛି ଯୁଗ ଯଗୁ ଧରି ମାନବ ସେବା ପାଇଁ । ଯେଉଁମାନେ ଗଛକୁ ହାଣୁଛନ୍ତି, ସେମାନେ ଜଗନ୍ନାଥଙ୍କୁ କୁଠାରଘାତ କରୁଛନ୍ତି ବୋଲି ଭାବବା ଉଚିତ୍ । ସେହିପରି ଗଛ ପ୍ରତ୍ୟେକ ମଣିଷକୁ ବଂଚିବାରେ ସହାୟକ ହୋଇଥିବାରୁ ଗଛ ହାଣୁଥିବା ବ୍ୟକ୍ତିମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ଉଚିତ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରେରଣାର ସଂଯୋଜକ ଅବନୀକାନ୍ତ ଜେନା, ଅଜୟ ଗୁମାନ ସିଂ, ମନୋରଞ୍ଜନ ବାରିକ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ସାମିଲ୍ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ