ଋୂପାନ୍ତରିତ ବିଦ୍ୟାଳୟ ପାଇଁ ସ୍ମାର୍ଟ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରାଜ୍ୟ ସରକାର ଶିକ୍ଷାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ସହର ଓ ଗ୍ରାମାଞ୍ଚଳର ଶୈକ୍ଷିକ ବାତାବରଣ ଓ ଉନ୍ନତମାନର ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଏକ ସଂସ୍କାରମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି । ଏହି କ୍ରମରେ ଶିକ୍ଷାର ଭିତ୍ତିଭୂମି ସଜାଡିବା ସହ ଶିକ୍ଷାର୍ଥୀ ମାନଙ୍କୁ ଆଗାମୀ ଭବିଷ୍ୟତ ଗଠନ ନିମନ୍ତେ ରୂପାନ୍ତରିତ ବିଦ୍ୟାଳୟ ପରିକଳ୍ପନାର ଅୟାମରମ୍ଭ କରିଛନ୍ତି । ୫–ଟି ଉପକ୍ରମ ଜରିଆରେ ରାଜ୍ୟରେ ଆରମ୍ଭ ହୋଇଛି ରୂପାନ୍ତରିତ ବିଦ୍ୟାଳୟ ପ୍ରୟାସ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ମୁଖ୍ରମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଳକର ୫୦ ଟି ଉଚ୍ଚ ବିଦ୍ୟାଳୟକୁ ସାମିଲ କରାଯାଇଛି । ସଂମ୍ପ୍ରତି ଉକ୍ତ ୫୦ଟି ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସହିତ ଜଡିତ ହେବା ପାଇଁ ଆରମ୍ଭ ହୋଇଛି ସ୍ମାର୍ଟ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ । ଗତ ଅକ୍ଟୋବର ମାସ ଠାରୁ ଆରମ୍ଭ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ଶନିବାର ସଂପୁର୍ଣ୍ଣ ହୋଇଛି । ଉକ୍ତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଓ ଶେରଗଡ ବ୍ଳକର ୫୦ଟି ହାଇସ୍କୁଲର ୫୦ ଜଣ ଶିକ୍ଷକ, ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ । ଓଡିଶା ସରକାରଙ୍କ ସୂଚନା ପ୍ରଯୁକ୍ତି ବିଭାଗ ଅଧିନସ୍ଥ ଓଡିଶା ନଲେଜ କର୍ପୋରେସନ ଦ୍ୱାରା ତାଲିମ ପ୍ରଦାନ କରାଯାଇଥିଲା । ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓକେସିଏଲର ମୁଖ୍ୟ ରେଖା ମହାନ୍ତିଙ୍କ ନେତୃତ୍ୱରେ ଅନ୍ତିମ ଦିବସରେ ମୁଖ୍ୟ ପରାମର୍ଶଦାତା ଡଃ କଲ୍ୟାଣ ପ୍ରସାଦ ଦାଶ, ଆଞ୍ଚଳିକ ପରିଚାଳକ ଅଂଶୁମାନ ସଅର ଓ ଶଶିକାନ୍ତ ରାଉତ ବ୍ୟକ୍ତିତ ବିକାଶ ସର୍ମ୍ପକରେ ତାଲିମ ପ୍ରଦାନ କରିଥିଲେ । ଏଥି ସହ ଜିଲ୍ଲାର ୧୭ ଜଣ ସାଧନ କର୍ମୀ ସାମିଲ ହୋଇଥିଲେ । ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ସମ୍ପାଦନା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଓ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ତାଲିମପ୍ରାପ୍ତ ସ୍ମାର୍ଟ ଶିକ୍ଷକଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।


