ଟେଲିଫୋନ୍ ବୁଥ୍ ଦେଖିବାକୁ ମିଳୁନି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଦିନ ଥିଲା ସହରାଞ୍ଚଳ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଟେଲିଫୋନ୍ ବୁଥ୍କୁ ମିଳୁନଥିଲା ଫୁରୁସତ । ସାଧାରଣ ଜନତା ଟେଲିଫୋନରେ କଥା ହେବା ପାଇଁ ବୁଥ୍ ସମ୍ମୁଖରେ ଲମ୍ବା ଲାଇନ୍ରେ ଠିଆ ହୋଇ ରହୁଥିଲେ । ଅଳ୍ପ ସମୟ ଲାଗି କଥା ହେବା ସକାଶେ ବୁଥ୍ ଆଗରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବୁଥ୍ ସମ୍ମୁଖରେ ଅପେକ୍ଷା କରି ରହୁଥିଲେ । ଅତୀତରେ ହିଞ୍ଜିଳିକାଟୁ ସହର ଏବଂ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ଦେଖିବାକୁ ମିଳୁଥିଲା ଗଣ୍ଡା ଗଣ୍ଡା ଟେଲିଫୋନ୍ ବୁଥ୍ । ବର୍ତ୍ତମାନ କିନ୍ତୁ ସମୟ ବଦଳିଯାଇଛି । ଅବାବଳ ବୃଦ୍ଧ ବନିତା ସମସ୍ତଙ୍କ ପାଖରେ ରହିଛି ମୋବାଇଲ୍ ଫୋନ । ଯିଏ ଯେତେବେଳେ ଚାହୁଁଛି ମନଇଛା ଘଣ୍ଟା ଘଣ୍ଟା ଧରି ବାର୍ତ୍ତାଳପ କରି ଚାଲୁଛନ୍ତି । ପୂର୍ବପରି ଟେଲିଫୋନ ବୁଥ୍ ସମ୍ମୁଖରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁନାହିଁ । ପ୍ରଯୁକ୍ତି ବିଦ୍ୟାର ଦୃତ ବିକାଶ ଏଭଳି ବିରାଟ ପରିବର୍ତ୍ତନ କମ୍ ସମୟ ମଧ୍ୟରେ ଜନ ମାନସକୁ ଭେଟି ଦେଇଛି । ଫଳତଃ ଏବେ ଆଉ କେଉଁଠି ବି ଟେଲିଫୋନ୍ ବୁଥ୍ ରହିଥିବା ଦେଖିବାକୁ ମିଳୁନି । ସତେଯେପରି ଏହା ଏକ ସ୍ମୃତି ହୋଇ ରହିଯାଇଛି । ଅତୀତରେ ଘରେ ଘରେ ଲ୍ୟାଣ୍ଡଲାଇନ ଫୋନ ରହିଥିବା ।ବେଳେ ସମ୍ପ୍ରତି ସମୟରେ ଟେଲିଫୋନ୍ ବୁଥ୍ର ଆଦର ରହି ଆସିଥିଲା । ସମୟ ବଦଳିବା ସହ ପ୍ରଯୁକ୍ତି ବିଦ୍ୟାର ଦୃତ ବିକାଶ ଯୋଗୁଁ ଜନ ସାଧାରଣ ବର୍ତ୍ତମାନ ସମୟରେ କେବଳ ଫୋନରେ ବାର୍ତ୍ତାଳପ ନୁହେଁ ଭିଡ଼ିଓ କଲିଂ ଜରିଆରେ କିଏ କେଉଁଠାରେ କଣ କଣ କରୁଛି, ତାହା ବି ସ୍ମାର୍ଟ ମୋବାଇଲ୍ ଫୋନ ମାଧ୍ୟମରେ ନିମଷକ ମଧ୍ୟରେ ଜାଣି ପାରୁଛି । ସମସ୍ତଙ୍କ ହାତରେ ସ୍ମାର୍ଟ ମୋବାଇଲ୍ ଫୋନ୍ ରହିବା ପରେ ସତେ ଯେପରିକି ଟେଲିଫୋନ୍ ବୁଥ୍ ଅଲୋଡ଼ା ହୋଇ ପଡ଼ିଥିବା ଜଣାପଡ଼ିଛି ।


