ମୌସୁମୀ ଆସିବା ରେ ବିଳମ୍ବ : ଚାଷ କାର୍ଯ୍ୟ ବ୍ୟାହତ ଆଶଙ୍କା
ନିମାପଡ଼ା, ( ସନ୍ତୋଷ ଦାଶ) :-ଚଳିତବର୍ଷ ମୌସୁମୀ ଠିକ୍ ସମୟରେ ଆସିବ ଏବଂ ସ୍ଵାଭାବିକ ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ତେବେ ରଜ ଉତ୍ସବ ଆସିଥିବାବେଳେ ଦୁର୍ବଳ ମୌସୁମୀ ଯୋଗୁଁ ବର୍ଷା ନ ହେବାରୁ ଚାଷୀକୁଳ ଶଙ୍କିତ ହୋଇପଡ଼ିଛନ୍ତି । ଜୁନ ଦଶ ତାରିଖ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ହେବା କଥା ।ଚଳିତ ବର୍ଷ ମୌସୁମୀ ପ୍ରବାହ ଲୁଚକାଳି ଖେଳୁଛି ।ବର୍ଷା ଅଭାବ ଯୋଗୁଁ ଖରିଫ ଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଅକ୍ଷୟ ତୃତୀୟା ଠାରୁ ଅକ୍ଷୀ ମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ ହେବା କଥା । ମାତ୍ର ବର୍ଷା ବଦଳରେ ମୁଣ୍ଡ ଫଟା ଖରା ଓ ଗୁଳୁଗୁଳି ଲାଗି ରହିଛି ।ଉପକୂଳ ବର୍ତ୍ତୀ ଜିଲ୍ଲା ମାନଙ୍କରେ ସାଧାରଣତଃ ମଇ ମାସରେ ହାରାହାରି ବୃଷ୍ଟିପାତ ୬୫/୭୦ ମିମି ,ଜୁନ ମାସରେ ସ୍ଵାଭାବିକ ବର୍ଷା ୨୧୯ ମିମି ବର୍ଷା ହୋଇଥାଏ । ଚଳିତ ବର୍ଷ ଉପକୂଳବର୍ତ୍ତି ଜିଲ୍ଲାରେ ବୃଷ୍ଟିପାତ କମ ରହିଛି ।ପୁରୀ ଜିଲ୍ଲାରେ ଏକ ଲକ୍ଷ ସତୁରୀ ହଜାର ହେକ୍ଟର ଜମିରେ ଧାନ ଚାଷ ହେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସେଥିରୁ ୩୫ହଜାର ହେକ୍ଟର ବୁଡି ଅଞ୍ଚଳ ଥିବାରୁ ବାକି ଜମିରେ ୧୦୦ ରୁ ୧୪୫ ଦିନିଆ ଧାନ ଚାଷ ପାଇଁ ପ୍ରସ୍ତୁତି ଚାଲିଛି । ଜିଲ୍ଲାରେ ୩୫% ଜମିରେ ବୁଣା ଓ ୬୫% ଜମିରେ ରୁଆ ବେଉଷଣ କାର୍ଯ୍ୟ ହୋଇଥାଏ । ଚଳିତ ବର୍ଷ ମୌସୁମୀ ଠିକ୍ ସମୟରେ ଆସିବ ଓ ସ୍ଵାଭାବିକ ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ଦୁର୍ବଳ ମୌସୁମୀ ଯୋଗୁଁ ବର୍ଷା ନ ହେବାରୁ ଏ ପର୍ଯ୍ୟନ୍ତ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।ଚଳିତ ବର୍ଷ ଖରିଫ ଫସଲ ପାଇଁ ଚାଷ କାର୍ଯ୍ୟ ବିଳମ୍ବିତ ହେବ ଓ ଫସଲ ଆମଦାନୀ ହ୍ରାସ ପାଇବ ବୋଲି ଆଶଙ୍କା ସୃଷ୍ଟି ହୋଇଛି ।ସାଧାରଣତଃ ପ୍ରତିବର୍ଷ ରଜବେଳକୁ ଅଳ୍ପବର୍ଷା ହୋଇଥାଏ ।ପାଗ ବେଶ ଅନୁକୂଳ ଥିବାରୁ କୃଷି କାର୍ଯ୍ୟ ହୋଇଥାଏ ।ମାତ୍ର ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ। ଦେବସ୍ନାନ ପୂର୍ଣ୍ଣିମା ବେଳକୁ ଫସଲ କ୍ଷେତ୍ରରେ ପ୍ରାୟ ଧାନ ଗଛ ଦୃଶ୍ୟ ହୋଇଥାଏ ।ଯାହା ଏ ବର୍ଷ ହୋଇନଥିବା ଦେଖା ଯାଇଛି । ୧୯୯୭ ମସିହାରେ ଜୁନ ୧୮ରେ, ୯୮ରେ ଜୁନ ୧୪ରେ ,୯୯ରେ ମେ ୨୮ରେ ,୨୦୦୦ରେ ଜୁନ ୫ରେ, ୨୦୦୧ ରେ ଜୁନ ୭ରେ ,୨୦୦୨ ରେ ଜୁନ ୧୦ ରେ, ୨୦୦୩ ରେ ଜୁନ ୧୮ରେ, ୨୦୦୪ ରେ ଜୁନ ୧୦ରେ, ୨୦୦୫ ରେ ଜୁନ ୨୩ ରେ ,୨୦୦୬ ରେ ଜୁନ ୬ ରେ ,୨୦୦୭ରେ ଜୁନ ୧୦ ରେ, ୨୦୦୮ରେ ଜୁନ ୯ ରେ, ୨୦୦୯ ରେ ଜୁନ ୨୯ ରେ, ୨୦୧୦ ରେ ଜୁନ ୧୩ ରେ ,୨୦୧୧ରେ ଜୁନ ୧୫ରେ ,୨୦୧୨ ରେ ଜୁନ ୧୭ରେ, ୨୦୧୩ରେ ଜୁନ ୯ ରେ, ୨୦୧୪,୧୫,୧୬ ରେ ଜୁନ ପ୍ରଥମ ସପ୍ତାହରେ ମୌସୁମୀ ଆସିଥିବା ବେଳେ ୨୦୧୭ ରେ ମେ ୩୦ ରେ, ୨୦୧୮ରେ ମେ ୨୯ରେ, ୨୦୧୯ରେ ଜୁନ ୮ରେ, ୨୦୨୦ରେ ଜୁନ୧୧ ରେ, ୨୦୨୧ରେ ଜୁନ ୧୦ ରେ ମୌସୁମୀ ବର୍ଷା ରାଜ୍ୟ ରେ ଆରମ୍ଭ ହୋଇଥିଲା । ଚଳିତ ୨୦୨୨ ବର୍ଷ ରେ ମେ ୨୭ ରେ ମୌସୁମୀ ଆସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ବେଳେ ଏ ପର୍ଯ୍ୟନ୍ତ ମୌସୁମୀ ଆସିନାହିଁ କିମ୍ବା ରାଜ୍ୟ ରେ କେବେ ମୌସୁମୀ ବର୍ଷା ହେବ ସଠିକ ଭାବେ କେହି କହିପାରୁ ନାହାଁନ୍ତି। ମୌସୁମୀ ଅନିୟମିତତା ଯୋଗୁଁ ବିଭିନ୍ନ ସମୟରେ ଚାଷୀକୁଳ କ୍ଷତି ସହୁଛି । ଏ ବର୍ଷ ବିଳମ୍ୱିତ ମୌସୁମୀ ଯୋଗୁଁ ଚାଷୀକୁଳ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି ।


