ସମାଜସେବୀ ଦେବୀ ପ୍ରସାଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଉଦୀୟମାନ ଯୁବନେତା, ପୂଜ୍ୟପ୍ରଣାମ ଟ୍ରଷ୍ଟର ଟ୍ରଷ୍ଟି ତଥା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ଦେବୀ ପ୍ରସାଦ ମଲ୍ଲିକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ କହିଲେ ଯେ, ମୃତ୍ୟୁ ଚିରନ୍ତନ ସତ୍ୟ । କିନ୍ତୁ କୋଭିଡ଼ର କରାଳ ଗ୍ରାସରେ ବହୁ ଯୁବ ପ୍ରତିଭାଙ୍କର ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ଅତ୍ୟନ୍ତ ବେଦନା ଦାୟକ । ପୂର୍ବତନ ମନ୍ତ୍ରୀ ତଥା ସାସଂଦ ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ପତ୍ନୀ ଶ୍ରୀମତୀ ହାରାମଣି ଓ ଦେବୀ ପ୍ରସାଦଙ୍କ ପତ୍ନୀଙ୍କୁ ସମବେଦନା ଜଣାଇ ଏଭଳି ଦାରୁଣ ଦୁଃଖ ସହ୍ୟ କରିବାକୁ ପରମାତ୍ମା ଆପଣମାନଙ୍କୁ ଅଶେଷ ଧୈର୍ଯ୍ୟ ଦିଅନ୍ତୁ ବୋଲି କହିଥିଲେ ।
ଟଙ୍କପାଣି ରୋଡ଼ସ୍ଥିତ ଡିଏମ୍ ରିସୋର୍ଟଠାରେ ପୂଜ୍ୟ ପ୍ରଣାମ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏବଂ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶ୍ରାଦ୍ଧବାର୍ଷିକରେ ସ୍ମୃତିଚାରଣ କରି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ଶ୍ରୀ ଗଣେଶ୍ୱର ବେହେରା ସ୍ୱର୍ଗତ ଦେବୀ ପ୍ରସାଦଙ୍କୁ ଜଣେ ଅତ୍ୟନ୍ତ ଭଦ୍ର, ନମ୍ର, ସ୍ନେହୀ ଓ ବନ୍ଧୁବତ୍ସଳ ବ୍ୟକ୍ତିଭାବେ ବର୍ଣ୍ଣନା କରିଥିଲେ । ଶ୍ରଦ୍ଧାଞ୍ଜଳି ଜଣାଇ ନିଖିଳ ଭାରତ ମହିଳା କଂଗ୍ରେସର ସମ୍ପାଦିକା ସୁସ୍ମିତା ବେହେରା ଓ ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ପିତା ସ୍ୱର୍ଗତ ଲକ୍ଷ୍ମଣ ମଲ୍ଲିକଙ୍କ ସଂସ୍କାରର ଯଥେଷ୍ଟ ପ୍ରଭାବ ଦେବୀ ପ୍ରସାଦଙ୍କ ଉପରେ ପଡ଼ିଥିଲା ବୋଲି କହିଥିଲେ । ଜଗତସିଂହପୁର ଜିଲ୍ଲା ପରିଷଦର ପୂର୍ବତନ ସଭାପତି ନଟବର ବାରିକ ଓ ବରିଷ୍ଠ ଡ଼ାକ୍ତର ବିଷ୍ଣୁ ଚରଣ ମିଶ୍ର ଦେବୀ ପ୍ରସାଦ, ଯୁବ ପ୍ରେରଣାର ଉତ୍ସ ଭାବେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହାଇଡ୍ରୋ ପାୱାର କର୍ପୋରେସନର ପୂର୍ବତନ ଅଧ୍ୟକ୍ଷ ଇଂ ସହଦେବ ଖଟୁଆ ସ୍ୱର୍ଗତ ଦେବୀପ୍ରସାଦଙ୍କୁ ଜଣେ ନିଷ୍ଠାପର, ଦକ୍ଷ ପ୍ରଶାସକ ଭାବେ ବର୍ଣ୍ଣନା କରିଥିଲେ । ବିଧାନଚନ୍ଦ୍ର ଜେନା, ଲିଙ୍ଗରାଜ ମଲ୍ଲ, ସର୍ବେଶ୍ୱର ପଣ୍ଡା, କଂଗ୍ରେସ ନେତା ଜ୍ଞାନଦେବ ବେଉରା, ଶ୍ରୀମତୀ ପ୍ରତିମା ମଲ୍ଲିକ, ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ଦୀପକ ପଶାୟତ, ବିରିଡ଼ି ବ୍ଲକ କଂଗ୍ରେସ ସଭାପତି ପ୍ରିୟବ୍ରତ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ନିଖିଲେସ ମଲ୍ଲିକ ସ୍ୱାଗତ ଭାଷଣ ଓ ଅରବିନ୍ଦ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଆଡ଼ଭୋକେଟ ହିତେଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାବା ବୈକୁଣ୍ଠ ନାଥ ସାଂସ୍କୃତିକ ପରିଷଦ ପକ୍ଷରୁ ଗୁରୁ ସୀତାଂଶୁ ରାଉତ ଭଜନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ