ଜଳପଥରେ କଟକକୁ ମାଲ ପରିବହନର ରାସ୍ତା ଥିଲା ଗୋବରୀ କେନାଲ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ଜିଲ୍ଲାରୁ କଟକ ମାଲ ଗୋଦାମକୁ ଜଳ ପଥରେ ମାଲ ପରିବହନର ଏକମାତ୍ର ମାଧ୍ୟମ ଥିଲା ଗୋବରୀ କେନାଲ । ଏହି ଜଳପଥ ଦେଇ ଡଙ୍ଗାରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ଧାନ, ଚାଉଳ, ମୁଗ, ବିରି, ବାଦାମ ପ୍ରଭୃତି ଜଳପଥରେ କଟକ ମାଲ ଗୋଦାମକୁ ଯାଉଥିଲା । ଡଙ୍ଗା ଫେରିବା ବେଳେ ମାଲ ଗୋଦାମରୁ ମଧ୍ୟ ଗୁଡ ବଣା, ଲୁଣ ଭଳି ବିଭିନ୍ନ ଜିନିଷ ଧରି କେନ୍ଦ୍ରାପଡ଼ା ଜିଲ୍ଲାକୁ ବ୍ୟବସାୟୀମାନେ ଫେରୁଥିଲେ । ଫଳରେ ଏହି କେନାଲ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲାର ଖାଦ୍ୟ ଆବଶ୍ୟକତା ପୂରଣ ହେଉଥିଲା । ବ୍ରିିଟିଶ ଅମଳରେ ଏହି ଗୋବରୀ କେନାଲ ଖୋଳା ଯାଇଥିଲା । ସେତେବେଳେ ଶ୍ରମିକ ନିୟୋଜିତ କରାଯାଇ ଗୋବରୀ କେନାଲ ଖୋଳା ଯାଇଥିଲା । ପରବର୍ତ୍ତୀ ସମୟରେ ରାସ୍ତା ଘାଟ ନିର୍ମାଣ ହୋଇଯିବା ପରେ ଏହି କେନାଲ ଚାଷୀମାନଙ୍କ ଜଳସେଚନ ପାଇଁ ସୁବିଧା ଯୋଗାଇଲା । କିନ୍ତୁ ଏବେ ଏହି ଗୋବରୀ କେନାଲ ବିପର୍ଯ୍ୟସ୍ତ ହୋଇ ପଡିଛି । କେନାଲର ପୁନରୁଦ୍ଧାର କରିବା ପାଇଁ ୨୬ କୋଟି ଟଙ୍କା ସରକାର ମଞ୍ଜୁର କରିଥିଲେ ମଧ୍ୟ ତାହା କାର୍ଯ୍ୟରେ ଲାଗି ପାରି ନାହିଁ । ୨୦୨୧ ମସିହା ଡିସେମ୍ବର ମାସ ୧୫ ତାରିଖରେ କେନ୍ଦ୍ରାପଡ଼ା ବିଧାୟକ ଗୋବରୀ କେନାଲର ନବୀକରଣ ପାଇଁ କାକଟ ଲକ ନିକଟରେ ଭିତ୍ତିଭୂମି ପକାଇଥିଲେ । କିନ୍ତୁ ଭିତ୍ତିଭୂମି ପଡିବାର ୬ ମାସ ପରେବି ନବୀକରଣ କାର୍ଯ୍ୟ ଆରମ୍ଭ ହୋଇ ପାରି ନାହିଁ । କରିଲୋପାଟଣା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଡଃ. ସର୍ବେସ୍ୱର ସେଣ କୁହନ୍ତି ନଅଙ୍କ ଦୁର୍ବିକ୍ଷ ପରେ ବ୍ରିଟିଶ ସରକାର କେନ୍ଦ୍ରାପଡ଼ା ଗୋବରୀ କେନାଲ ଓ ପଟ୍ଟାମୁଣ୍ଡାଇ କେନାଲକୁ ଖୋଳିଥିଲେ । ସେ ସମୟରେ ଲୋକେ ପ୍ରାୟତଃ ଖାଇବାକୁ ପାଉ ନ ଥିଲେ । ତେଣୁ ବ୍ରିିଟିଶ ସରକାର ଶ୍ରମିକମାନଙ୍କୁ କେନାଲ ଖୋଳା କାର୍ଯ୍ୟରେ ଲଗାଇଥିଲେ । ବଦଳରେ ସେମାନଙ୍କୁ ଖାଇବାକୁ ଦେଉଥିଲେ । କାରଣ ସେତେବେଳେ ଖାଦ୍ୟାଭାବ ପରିସ୍ଥିତି ଲାଗି ରହିଥିଲା । ଏହି କେନାଲ ଖୋଳା ହେବା ପରେ କଟକରୁ ମାଲପତ୍ର ପରିବହନ ହେବା ସୁଗମ ହେଲା । କେନ୍ଦ୍ରାପଡ଼ାରୁ ଯାହା ଖାଦ୍ୟ ଶଶ୍ୟ ଅମଳ ହେଲା ତାହା କଟକକୁ ଯାଉଥିଲା । କଟକରୁ ଆବଶ୍ୟକ ଖାଦ୍ୟ ଶସ୍ୟ କେନ୍ଦ୍ରାପଡ଼ାକୁ ଆସୁଥିଲା । ଫଳରେ ଲୋକଙ୍କ ଖାଦ୍ୟ ଆବଶ୍ୟକତା ମେଣ୍ଟାଇବାରେ ଏହି କେନାଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି କେନାଲ ପଟ୍ଟାମୁଣ୍ଡାଇ ବ୍ଲକର ଅଳଭା ଠାରେ ବ୍ରାହ୍ମଣୀ ନଦୀ ସହ ସଂଯୋଗ ହୋଇଛି । ଏହି କେନାଲ ଯୋଗେ ଲୋକେ ଷ୍ଟିମର ସାହାଯ୍ୟରେ ଯିବା ଆସିବା କରୁଥିଲେ । କାରଣ ସ୍ଥଳ ପଥରେ ଗମନାଗମନ କରିବାର ମାଧ୍ୟମ ସୁଗମ ନ ଥିଲା । ଫଳରେ ସେତେବେଳେ ସ୍ଥଳ ପଥରେ ଯାତାୟତ ଓ ମାଲ ପରିବହନର ସୁବିଧା ନ ଥିବାରୁ ଜଳପଥରେ ଏହା ପରିବହନ ହେଉଥିଲା । ପରବର୍ତ୍ତୀ ସମୟରେ ରାସ୍ତାଘାଟ ନିର୍ମାଣ ହୋଇଯିବା ପରେ ଜଳପଥରେ ପରିବହନ କାର୍ଯ୍ୟ ହେଲା ନାହିଁ । ତେଣୁ କେନାଲର ଆବଶ୍ୟକତା ପଡିଲା ନାହିଁ । ଏହାପରେ କେନାଲ ଉପକୂଳରେ ଥିବା ଚାଷଜମି ଜଳସେଚିତ ହେଲା । ଚାଷୀମାନେ ଗୋବରୀ କେନାଲରୁ ପାଣି ନେଇ ବିଲରେ ମଡାଇ ଭଲ ଅମଳ କଲେ । କିନ୍ତୁ କାଳକ୍ରମେ କେନାଲ କଡ଼ରେ ଜବରଦଖଲ ବୃଦ୍ଧି ପାଇଲା । ଲୋକେ କେନାଲରେ ଅଳିଆ ଆବର୍ଜନା ପକାଇଲେ । ଏହାଦ୍ୱାରା ଧୀରେ ଧୀରେ ତାହା ପୋତି ହୋଇପଡିଲା । ତେଣୁ ଚାଷୀମାନେ ମଧ୍ୟ ଚାଷ କରିବା ପାଇଁ ପୂର୍ବରୁ ଯେପରି ଭାବେ ଗୋବରୀ କେନାଲ ଉପରେ ନିର୍ଭରଶୀଳ ହେଉଥିଲେ ସେ ଅବସ୍ଥା ଆଉ ଏବେ ନାହିଁ । ଚାଷୀଙ୍କ କାର୍ଯ୍ୟରେ ମଧ୍ୟ ଗୋବରୀ କେନାଲ ଲାଗି ପାରୁନାହିଁ । ଏହାର ପୁନରୁଦ୍ଧାର ପାଇଁ ଯେଉଁ ବ୍ୟୟ ଅଟକଳ ହୋଇଛି ତାହାକୁ କାର୍ଯ୍ୟକାରୀ କରାଗଲେ ଅନ୍ତତଃ ପକ୍ଷେ ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ପ୍ରଫେସର ଡଃ. ସେଣ କହିଛନ୍ତି ।


