ବ୍ରାହ୍ମଣ ସମିତିର ତ୍ରିଦିବସୀୟ ଶତବାର୍ଷିକ ସମାରୋହ ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତିର ତ୍ରିଦିବସୀୟ ଶତବାର୍ଷିକ ସମାରୋହ ଉତ୍ସବ ଗତ ରବିବାର ଠାରୁ ବାଲେଶ୍ୱର ସହରସ୍ଥିତ ଦାମୋଦରପୁର ଜିଲ୍ଲା କାର୍ଯ୍ୟାଳୟରେ ଆରମ୍ଭ ହୋଇଛି । ରବିବାର ଦିନ ଅଧିବାସ ଓ ଜିଲ୍ଲା କମିଟି ବୈଠକ ପରେ ସୋମବାର ଦିନ ୧୦୮ ବ୍ରାହ୍ମଣ ପଣ୍ଡିତ ଗାୟତ୍ରୀ ଜପଯଜ୍ଞରେ ୧ଲକ୍ଷ ୨୫ ହଜାର ଗାୟତ୍ରୀ ମନ୍ତ୍ର ଜପ କରାଯାଉଛି । ଅପରାହ୍ନରେ ଘୃତଯଜ୍ଞ, ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମଙ୍ଗଳବାରଦିନ ସ୍ଥାନୀୟ ଗାନ୍ଧିସ୍ମୃତି ଭବନରେ ସାଧାରଣ ସଭା, ବ୍ରାହ୍ମଣ ମହାସଭା ଓ ଉଦ୍ଯାପନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ଜାତୀୟସ୍ତରର ପଣ୍ଡିତମାନେ ଅତିଥି ଓ ବକ୍ତାଭାବେ ଯୋଗଦେବେ । ଦାମୋଦରପୁର ଜିଲ୍ଲା କାର୍ଯ୍ୟାଳୟରୁ ପଣ୍ଡିତମାନେ ବେଦପାଠ କରି ଏକ ଶୋଭାଯାତ୍ରା ସହର ପରିକ୍ରମା କରିବାପରେ ଗାନ୍ଧିସ୍ମୃତିଭବନରେ ପହଂଚିବ । ସୋମବାର ଦିନ ପୂର୍ବାହ୍ନରେ ଦାମୋଦର -ପୁର ଜିଲ୍ଲା କାର୍ଯ୍ୟାଳୟରେ ସମିତିର କାର୍ଯ୍ୟାଳୟରେ ଆହୂତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଏକ ସମ୍ମିଳନୀରେ ସଭାପତି ଡାକ୍ତର ଶ୍ରୀଶ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ଡ. କ୍ଷିତିଶ୍ୱର ଦାଶ, ଉପସଭାପତି ଶକ୍ତିପଦ ପଣ୍ଡା, ସାଧାରଣ ସଂପାଦକ ଗୌର ଚନ୍ଦ୍ର ଦାଶ, ଉପଦେଷ୍ଟା ଶୁଭଙ୍କର ମହାପାତ୍ର ଓ ଜିଲ୍ଲା କର୍ମକର୍ତ୍ତା ବୁଦ୍ଧିରାମ ପାଣିଗ୍ରାହୀ, ସରୋଜ କୁମାର ଷଡ଼ଙ୍ଗୀ ଓ ଡ. ଯଦୁନାଥ ମିଶ୍ର ପ୍ରମୁଖ ସମିତି ଗଠନ ପରେ ଶହେବର୍ଷର ଗୌରବମୟ ଇତିହାସ ଓ ଶତବାର୍ଷିକ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ । ସମାଜକୁ ଜାତି ଭିତ୍ତିରେ ବିଭକ୍ତ ନକରି ଆର୍ଥିକ ମାନଦଣ୍ଡ ଆଧାରରେ ଶିକ୍ଷା, ନିଯୁକ୍ତି ଓ ସରକାରୀ ସହାୟତା ପ୍ରଦାନ ଓ ବୈଷୟିକ ନିଯୁକ୍ତି କ୍ଷେତ୍ରରେ ମେଧାକୁ ଗୁରୁତ୍ୱ ଦେବାପାଇଁ ବ୍ରାହ୍ମଣ ସମିତିର ଉଦ୍ଦେଶ୍ୟ ସଂପର୍କରେ ସେମାନେ ସୂଚନା ଦେଇଥିଲେ । ଦେଶର ଅଖଣ୍ଡତା ସାର୍ବଭୌମତ୍ୱ ଓ ସଂବିଧାନର ସୁରକ୍ଷା ସହ ‘ସର୍ବେଭବନ୍ତୁ ସୁଖିନଃ’ ସମିତିର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ । ଭୃଗୁରାମ କର ଧନ୍ୟବାଦ ଦେଇଥିଲେ । ଶତବାର୍ଷିକ କାର୍ଯ୍ୟକ୍ରମ ସଂପାଦନାରେ ସର୍ବଶ୍ରୀ ବୈଦ୍ୟନାଥ ଆଚାର୍ଯ୍ୟ, କମଳାକାନ୍ତ ଦାଶ, ଲୋକନାଥ ଧର, ସୁଶାନ୍ତ ପାଣିଗ୍ରାହୀ, ରାଧାକୃଷ୍ଣ ଆଚାର୍ଯ୍ୟ, କ୍ଷିତିଶ୍ୱର ପଣ୍ଡା, ଗୌରାଙ୍ଗ ପାଣିଗ୍ରାହୀ, ନିରାକାର ଦାଶ, ଗଦାଧର ପଣ୍ଡା, ପୂଣ୍ୟଶ୍ଳୋକ ନନ୍ଦ, ଲକ୍ଷ୍ମୀକାନ୍ତ ନନ୍ଦ, ଲକ୍ଷ୍ମୀଧର ମହାପାତ୍ର, ରାଜା ନନ୍ଦ ପ୍ରମୁଖ ସହଯୋଗ ପ୍ରଦାନ କରୁଛନ୍ତି ।


