ପୁନଃ ରାସ୍ତା ନିର୍ମାଣ ଲାଗି ମରୈଗାଁ-ବଳିପୁର ନଦୀବନ୍ଧ ରାସ୍ତା  ପରିଦର୍ଶନ କଲେ ଜିଲ୍ଲାପାଳ

ହାଟଡିହି, (ବିକାଶ ବିଶ୍ୱାଳ) :-ମରୈଗାଁ ବଳିପୁର ନଦୀବନ୍ଧ ରାସ୍ତା ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ । କିପରି ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରାଯିବ ସେନେଇ ପ୍ରକଳ୍ପ ନିଦେ୍ର୍ଦଶକ ଓ ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀଙ୍କ ସହିତ ଆଲୋଚନା କରି ରାସ୍ତାଟିକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ରାସ୍ତାଟି ଉପରେ ଓରାଳି, ଇଞ୍ଚୋଳ,  ଶାଳଣିଆଁ, ଡଅଁର, ଗେଡମା, ଷଡଙ୍ଗ, ଆଇତିପୁର, ଆଦି ୮ଟି ପଞ୍ଚାୟତର ଲୋକମାନେ ଏହି ନଦୀବନ୍ଧ ରାସ୍ତା ଉପରେ ନିର୍ଭର କରିଥାନ୍ତି । ନଦୀବନ୍ଧ ରାସ୍ତାଟି ଖାଲଖମାରେ ପରିପୁର୍ଣ୍ଣ ହୋଇ ଗମନା ଗମନ ବନ୍ଦ ହେବା ଅବସ୍ଥାକୁ ଆସିଥିଲା ।  ଅଞ୍ଚଳବାସୀଙ୍କ ଦାବିପରେ ଏହି ରାସ୍ତାନିର୍ମାଣ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୧୫କୋଟି ୭୧ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ମରୈଗାଁ ଠାରୁ ବଳିପୁର ପର୍ଯ୍ୟନ୍ତ ଦୀର୍ଘ ୧୯କିଲୋମିଟର ରାସ୍ତା ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିଲା । ଏସ.କେ.ଏମ ଇନଫ୍ରାଭେଞ୍ଚର ନାମକ ଏକ ଠିକାସଂସ୍ଥା ଏହିକାମ କରୁଥିବାବେଳେ ଧାର୍ଯ୍ୟ ସମୟରେ କାମ କରିନଥିଲେ । ଯେତିକି ବି କାମ କରିଥିଲେ ତାହା ଅତି ନିମ୍ନମାନର ହୋଇଥିବାରୁ ଦିନ କେଇଟା ମଧ୍ୟରେ  ରାସ୍ତାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବା ସହ ପୁର୍ବାବସ୍ଥାକୁ ଫେରି ଆସିଥିଲା । ଏପରିକି ଦିନ କେଇଟା ଭିତରେ ପିଚୁ ରାସ୍ତାର ଚିହ୍ନବର୍ଣ୍ଣ ମଧ୍ୟ ରହିଲାନି । ଏନେଇ ସ୍ଥାନୀୟ ଲୋକମାନେ ଅନେକବାର ବିରୋଧ କରିବା ସହ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବାପରେ  ଜିଲ୍ଲାପରିଷଦର ୩ନଂ କମିଟି ଏହି କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭିନ୍ନ ବିଭାଗର ନିର୍ବାହୀଯନ୍ତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇଥିଲେ । ସେହିପରି ଏହି ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ମଧ୍ୟ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ । କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ । ଏବେ ରାସ୍ତା ସାରା ଖାଲଖମାରେ ପରିପୁର୍ଣ୍ଣ ହୋଇଯାଇଥିବାରୁ ଲୋକମାନେ ଯାତାୟତ କରିବାରେ ନାନା ସମସ୍ୟା ଭୋଗ କରୁଛନ୍ତି । ଏବେ ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ ଗତ ଜିଲ୍ଲାପରିଷଦ ବୈଠକରେ ଏହି ପ୍ରସଙ୍ଗ ଉଠାଇ ତୁରନ୍ତ ଜିଲ୍ଲାପାଳ ଓ ପିଡି ଉକ୍ତ ରାସ୍ତା ପରିଦର୍ଶନ କରି ଲୋକଙ୍କ ଯାତାୟତର ସୁବିଧା କରାନ୍ତୁ ବୋଲି ଦାବି କରିଥିଲେ । ସେହିପରି ନନ୍ଦିପଦାର ଭଗବାନ ରାଉତ ନାମକ ଜଣେ ବ୍ୟକ୍ତି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଜଣାଇ ଏହି ରାସ୍ତାଟିକୁ ପୁର୍ତ୍ତ ବିଭାଗକୁ ହସ୍ତାନ୍ତର କରିବାକୁ ଦାବି ଜଣାଇଥିଲେ । ସେହି ଅନୁସାରେ ଆଜି ଜିଲ୍ଲାପାଳ ଆଶିଷ ଠାକରେ, ପ୍ରକଳ୍ପ ନିଦେ୍ର୍ଦଶକ ବିଷ୍ଣୁପଦ ଆଚାର୍ଯ୍ୟ, ବୈତରଣୀ ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ ପ୍ରଣବ କୁମାର ନାୟକ, ବିଡିଓ ବିଚିତ୍ର କୁମାର କର ପ୍ରମୁଖ ଉକ୍ତ ରାସ୍ତା ପରିଦର୍ଶନ କରି ରାସ୍ତାର ଅବସ୍ଥା ସ୍ୱଚକ୍ଷୁରେ ଦେଖିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ