ଶ୍ରୀମନ୍ଦିରର ରହସ୍ୟମୟ ବାଇଶି ପାହଚ
ନିମାପଡା, (ସନ୍ତୋଷ ଦାଶ) :-ପୁରୀ ଶ୍ରୀମନ୍ଦିରରେ ରହିଛି ବାଇଶି ପାହଚ। ଏହି ପାହାଚ ଗୁଡ଼ିକ ର ନାମ ହେଉଛି, ତ୍ରୀବ୍ରା, କୁମୁଦବତୀ, ମନ୍ଦା, ଚାନ୍ଦୋବତୀ, ଦୟାବତୀ, ରଞ୍ଜନୀ, ରତୀକା, ରୋଦ୍ରା, କ୍ରୋଧା, ବଦ୍ରିକା, ପ୍ରସାରଣୀ, ବ୍ରତୀ, ମାର୍ଜନୀ, କ୍ଷାତୀ, ରକ୍ତା, ସନ୍ଦିପନୀ, ଅଜପନୀ, ମନ୍ଦାନ୍ତି, ରୋହିଣୀ, ରାମ୍ୟ, ଉଗ୍ରା, କ୍ଷୋଭିନୀ । ଏହି ପାହାଚ ଗୁଡ଼ିକ ବଉଳମାଳା ପଥରରେ ନିର୍ମିତ ହୋଇଥିବା ବେଳେ ଶ୍ରୀ ଜିୟୁ ମାନଙ୍କୁ ଦର୍ଶନ କରିବାକୁ ଯିବାବେଳେ ଏହି ପାହାଚ ଅତିକ୍ରମ କରି ଯିବାକୁ ପଡ଼ିଥାଏ । ବାଇଶି ପାହାଚ ନିର୍ମାଣ ସମ୍ପର୍କ ରେ ଏକ କିମ୍ବଦନ୍ତୀ ରହିଛି । ନିଃସନ୍ତାନ ଥିବା ରାଜା ଭାନୁଦେବ ଜମ୍ୱେଶ୍ୱର ଶମ୍ଭୁ ଙ୍କୁ ଆରାଧନା କରି ପୁତ୍ର ସନ୍ତାନଟିଏ ଲାଭ କରିବା ପରେ ତାର ଜାତକ ଦେଖା-ଇବାରୁ ଜାଣିବାକୁ ପାଇଲେ ତାଙ୍କ ପୁତ୍ର ର ଆୟୁଷ ମାତ୍ର ୨୨ବର୍ଷ । ଦୁଃଖ ରେ ଭାଙ୍ଗିପଡି ସେ ପୁନଃ ଜମ୍ବେଶ୍ୱର ଶମ୍ଭୁ ଙ୍କ ଶରଣ ପଶିଲେ । ପ୍ରଭୁ ଭୋଳାନାଥ ତାଙ୍କ ଭକ୍ତି ରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ସମ୍ମୁଖ ରେ ୨୨ପାହାଚ ନିର୍ମାଣ ପାଇଁ ସ୍ୱପ୍ନାଦେଶ କରି ସେହି ୨୨ପାହାଚ ଉପରେ ତାଙ୍କ ପୁଅ କୁ ଗଡ଼ାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।ରାଜା ଭାନୁଦେବ ତାହା କରିବାରୁ ତାଙ୍କ ପୁତ୍ର ର ସମସ୍ତ ରିଷ୍ଟ ଓ ଅଳ୍ପାୟୁଶ ରିଷ୍ଟଖଣ୍ଡନ ହୋଇଥିଲା । ସେହି କିମ୍ବଦନ୍ତୀ କୁ ବିଶ୍ୱାସ କରି ଆଜି ବି ପିତାମାତା ମାନେ ସେମାନଙ୍କ ସନ୍ତାନ ର ଦୀର୍ଘାୟୁ ଓ ନିରାମୟ ଜୀବନ କାମନା କରି ସେମାନଙ୍କୁ ଶ୍ରୀ ମନ୍ଦିର ର ୨୨ ପାହାଚ ରେ ଗଡ଼ାଇ ଦେଉଛନ୍ତି । ଆଉ କେତେକ ଙ୍କ ମତରେ ଶ୍ରୀ ମନ୍ଦିର ନିର୍ମାଣ କରିଥିବା ଶିଳ୍ପୀ ମାନେ ବହୁ ଗୁଣୀ ଜ୍ଞାନୀ ଥିଲେ । ମହାପ୍ରଭୂ ଙ୍କ ଦଶାବତାର ଙ୍କ ଗୋଡ଼ ସଂଖ୍ୟା ମିଶି ୨୨। ଏଣୁ ୨୨ପାହାଚ ଦେଇ ଶ୍ରୀ ମନ୍ଦିର ପ୍ରବେଶ କଲେ ଦଶାବତାର ଙ୍କ ଆଶ୍ରିବାଦ ପ୍ରାପ୍ତ ହୋଇଥାଏ । ଆଉ ଏକ ମତ ହେଉଛି ୨୨ ଟି ତୀର୍ଥଭୂମି ର ସ୍ୱରୂପ ୨୨ ତତ୍ତ୍ଵ ଓ ୨୨ ଭାବ ର ପ୍ରତୀକ ହେଉଛି ୨୨ ପାହାଚ। ପଞ୍ଚରସ, ତ୍ରିବିଜ , ଅଷ୍ଟ ତାଲ୍ପିକ ଭାବ, ତ୍ରିଗୁଣ ର ସମାହାର ହେଉଛି ବାଇଶି । ପଞ୍ଚମାତ୍ରା, ପଞ୍ଚ ଭୂତ, ପଞ୍ଚ ବୀଜ, ପଞ୍ଚ ଦେବ ଙ୍କ ସହିତ ଜୀବ ଓ ପରମ ଦୁଇ ମିଶି ୨୨, ଏଣୁ ଏହାର ପ୍ରତୀକାତ୍ମକ ହେଉଛି ୨୨ ପାହାଚ । ଭାଗବତ ହେଉଛି ଶ୍ରୀ ଜଗନ୍ନାଥ ଙ୍କ ଭାଷା ସ୍ୱରୂପ । ଏହା ଦ୍ୱାଦଶ ଖଣ୍ଡ ସହିତ ବାସୁଦେବ, ନୃସିଂହ, ରାମକୃଷ୍ଣ, ନାରାୟଣ, ଗୋବିନ୍ଦ, ମାଧବ, ମଦନ ମୋହନ, ଶ୍ରୀ ଦେବୀ, ଭୂ ଦେବୀ, କମଳା, ଓ ଭୁବନେଶ୍ଵରୀ । ବାରଖଣ୍ଡ ଭାଗବତ ଓ ଦଶ ଦେବାଦେବୀ ମିଶି ୨୨ସଂଖ୍ୟା ହେଉଛି ୨୨ପାହାଚ ର ପ୍ରତିଫଳନ । ଦ୍ୱିତୀୟତଃ ଶ୍ରୀ ଜଗନ୍ନାଥ ହେଉଛନ୍ତି ପରମବ୍ରହ୍ମ। ତାଙ୍କ ଦର୍ଶନ କରିବାକୁହେଲେ ଅଷ୍ଟ ବୈକୁଣ୍ଠ ଯଥା – ଶ୍ରୀ ବୈକୁଣ୍ଠ, କୈବଲ୍ୟ ବୈକୁଣ୍ଠ, କାରଣାର୍ବ ବୈକୁଣ୍ଠ, ଶେଷଶାୟୀ ବୈକୁଣ୍ଠ, ଶ୍ୱେତଦ୍ଵୀପ ବୈକୁଣ୍ଠ, ପରବେଶ୍ୟାମ ବୈକୁଣ୍ଠ, ଗଭ୍ୟୌଦକଶାୟୀ ବୈକୁଣ୍ଠ, କୈଳାସ ବୈକୁଣ୍ଠ । ଏହି ଅଷ୍ଟ ବୈକୁଣ୍ଠ ନିମ୍ନ ରେ ଚଉଦ ଭୁବନ ବିଦ୍ୟମାନ। ଏହା ମିଶି ୨୨। ଏଣୁ ଏହି ୨୨ମଣ୍ଡଳ ଅତିକ୍ରମ କରିବା ପରେ ଯାଇ ପରବ୍ରହ୍ମ ଙ୍କୁ ସାକ୍ଷାତ କରି ହେବ। ଏଣୁ ୨୨ପାହାଚ ହେଉଛି ଅତ୍ୟନ୍ତ ତତ୍ତ୍ଵପୂର୍ଣ୍ଣ ଓ ରହସ୍ୟମୟ । ବାଇଶି ପାହାଚ ର ଅଧିଷ୍ଠାତ୍ରୀ ଦେବୀଗଣ ହେଉଛନ୍ତି ମାୟା, ଚେତନା, ବୁଦ୍ଧି, ନିଦ୍ରା, କ୍ଷୁଧା, ଛାୟା, ତୃଷ୍ଣା, କ୍ଷାନ୍ତି, ଜାତି,ଲଜ୍ୟା, ଶାନ୍ତି, କାନ୍ତି, ବୃତ୍ତି, ସ୍ମୃତି, ଦୟା, ତୁଷ୍ଟି, ବିକ୍ରୀ, ମାତ, ଭ୍ରାନ୍ତି, ପ୍ରଙ୍ଗ୍ୟା। ବାଇଶି ପାହାଚ ଉପରେ ଶ୍ରଦ୍ଧାଳୁ ମାନେ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଏଠାରେ ଶ୍ରାଦ୍ଧ ଦେଲେ ପିତୃ ପୁରୁଷ ମୋକ୍ଷ ପ୍ରାପ୍ତି ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ବାଇଶି ପାହାଚ ର ଦ୍ୱିତୀୟ ସୋପାନ ରେ ରହିଛି ଯମ ଶିଳା । ଭକ୍ତ ଶ୍ରଦ୍ଧାଳୁ ମାନେ ଏହି ଶିଳା କୁ ଛୁଇଁ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କଲେ ଅକାଳ ମୃତ୍ୟୁ ହୁଏ ନାହିଁ ଓ ସମସ୍ତ ପାପ ନାଶ ହୋଇ ଜୀବ ବୈକୁଣ୍ଠ ଗାମୀ ହୋଇଥାଏ ବୋଲି ବିଶ୍ୱାସ ରହିଛି । ୨୨ ପାହାଚ ର ପ୍ରତି ପାହାଚ ଉଚ୍ଚ ୬/୭ ଇଞ୍ଚ, ଓସାର ୬ଫୁଟ ଓ ଲମ୍ବ ୭୦ଫୁଟ ରହିଛି । ଅଷ୍ଟାଦଶ ପାହାଚ ର ପ୍ରସ୍ଥ ୧୫ଫୁଟ, ଆନନ୍ଦ ବଜାର ପ୍ରବେଶ ମାର୍ଗ ରେ ଏହାର ୧୯ ଓ ୨୦ ତମ ପାହାଚ ରହିଛି । ଯାହା ଅର୍ଦ୍ଧ ଗୋଲାକାର। ପ୍ରବେଶ ମାର୍ଗ ର ତୃତୀୟ ପାହାଚ ରେ ରହିଛି କାଶୀ ବିଶ୍ଵନାଥଙ୍କ ମନ୍ଦିର । ଆଷାଢ ଶୁକ୍ଳ ଦ୍ୱିତୀୟା ଦିନ ଶ୍ରୀ ଜିୟୁ ମାନେ ଶ୍ରୀ ମନ୍ଦିର ର ରତ୍ନ ସିଂହାସନ ଛାଡି ଏଇ ବାଇଶି ପାହାଚ ବାଟ ଦେଇ ପହଣ୍ଡି ରେ ଯାଇ ବଡ଼ଦାଣ୍ଡ ରେ ଥିବା ରଥକୁ ଯାଇଥାନ୍ତି । ଶ୍ରୀ ମନ୍ଦିର ସ୍ୱତ୍ତ୍ୱଲିପି ଅନୁଯାୟୀ ଶ୍ରୀ ମନ୍ଦିର ପ୍ଲଟ ନଂ ୧୫୭(କ) ରେ ବାଇଶି ପାହାଚ ରହିଅଛି । ଶ୍ରୀ ମନ୍ଦିର ଓ ଶ୍ରୀ ଜିୟୁ ମାନେ ଯେମିତି ରହସ୍ୟମୟ ଶ୍ରୀ ମନ୍ଦିର ର ବାଇଶି ପାହାଚ ମଧ୍ୟ ସେମିତି ରହସ୍ୟମୟ।ଜୟଜଗନ୍ନାଥ ।