ଅଳପୁଆ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଦାବୀ ଜୋର ଧରିଲା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଚିର ବନ୍ୟା, ବାତ୍ୟା ପ୍ରପିଡିତ ଅଳପୁଆ ପଞ୍ଚାୟତ ଅଧିବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ସତ୍ୱେ ହାଇସ୍କୁଲ ପରିସରରେ ଏକ ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ଦାବି ପ୍ରଶାସନର କାଳ କ୍ଷେପଣ ନୀତି ପାଇଁ ଅଧିବାସୀଙ୍କୁ ନିରାଶ କରିଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ନିର୍ମିତ ହୋଇଥିବା ଆଶ୍ରୟସ୍ଥଳକୁ ସୁରକ୍ଷା ଦୃଷ୍ଟିକୋଣରୁ ଭାଙ୍ଗି ଦିଆଯାଇଥିଲା । କାରଣ ସଂପୃକ୍ତ ବିଲଡିଂର ନିର୍ମାଣ କାର୍ଯ୍ୟ ନିମ୍ନମାନର ଥିଲା । ତେବେ ସେହି ସ୍ଥାନରେ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ବିଲଡିଂ ନିର୍ମାଣ କରିବାକୁ ପ୍ରଶାସନର ପ୍ରତିଶୃତି ପାଣିରେ ଗାର ସଦୃଶ ହୋଇଛି । ଏଥିପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି । ଏସମ୍ପର୍କରେ ଅଳପୁଆବାସୀଙ୍କ ପକ୍ଷରୁ ପ୍ରଶାସନ ଓ ନେତୃ ମଣ୍ଡଳୀଙ୍କୁ ବାରମ୍ବାର ଅବଗତ ମଧ୍ୟ କରାଯାଇଛି । କିନ୍ତୁ ଅଦ୍ୟାବଧି କୈାଣସି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅଳପୁଆ ପଞ୍ଚାୟତ ଅଧିବାସୀଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ବିଭୁତି ଭୂଷଣ ପଟ୍ଟନାୟକ, ଗଗନ ମାହାଳିକ, ଅଶୋକ କୁମାର ନାୟକ, ନରେନ୍ଦ୍ର ଧଳ, ସୁକାନ୍ତ ରାଉତ, ଚନ୍ଦନ ସାହୁ, ଡମ୍ବରୁଧର ବିଶ୍ୱାଳ, କୃତ୍ତିିବାସ ସାହୁ, ରଶ୍ମୀକାନ୍ତ ବେହେରା, ରଞ୍ଜିତ ନାୟକ, ବବୃବାହନ ଧଳ, ନିରାକାର ବିଶ୍ୱାଳ, ମନୋଜ ଧଳ, ରାହୁଲ ଧଳ ପ୍ରମୁଖ ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।