ସ୍ଥାୟୀ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଂଜ ଜିଲ୍ଲାର ବହଳଦା ବ୍ଲକର ଗମ୍ଭାରୀଆ ଗ୍ରାମପଞ୍ଚାୟତର ଗମ୍ଭାରିଆ ଗ୍ରାମଠାରୁ-ଜଗନ୍ନାଥପୁର ଗ୍ରାମ ୩ କିମି ରାସ୍ତା ମରଣଯନ୍ତା ପାଲଟିଛି । ଏହି ଗ୍ରାମ୍ୟ ରାସ୍ତା ଉପରେ ୫ଟି ଗ୍ରାମର ବାସିନ୍ଦା ନିର୍ଭର କରୁଛନ୍ତି । ଗ୍ରାମ ଗୁଡ଼ିକ ହେଲା ଗମ୍ଭାରୀଆ, କଣ୍ଟାଶୋଳ, ପାହାଡପୁର, କୁମ୍ଭୀରଦା ଏବଂ ଜଗନ୍ନାଥପୁର ସହ ଅନ୍ୟ ଆଡକୁ ସଂଯୋଗ ରହିଛି । ଏହି ଗ୍ରାମୀଣ ଜଙ୍ଗଲ ରାସ୍ତାଟି ମରାମତି ଅଭାବରୁ ବିପର୍ଯ୍ୟସ୍ତ ହୋଇପଡିଛି । ଗମନାଗମନ କରିବା ଅତି କଷ୍ଟକର ହେଉଛି । ଗାଁ ଲୋକେ ଦୈନନ୍ଦିନ ୧୦୦ ରୁ ଉର୍ଦ୍ଧ୍ବ ସ୍କୁଲ ଛୁଆ, ଡାକ୍ତରଖାନାକୁ, ସରକାରୀ ଓ ବେସରକାରୀ କାମ ପାଇଁ ବାହାରକୁ ଯାଇ କଂଚା ରାସ୍ତା ଖାଲ କମାଲ ଦେଇ ନାହିଁ ନ ଥିବା ଅସୁବିଧା ରେ ପଡ଼ିବା ସହ ଦୁର୍ଘଟଣାରେ ଶିକାର ହୁଅନ୍ତି । ସ୍ଥାୟୀ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀମାନେ ଦିର୍ଘ ୮ ବର୍ଷ ହେଲା ସରପଞ୍ଚ, ବିଡ଼ିଓ, ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ମଧ୍ୟ କିଛି ଫଳ ମିଳୁନାହିଁ । କଣ୍ଟାଶୋଳ ଗ୍ରାମରେ ସିଙ୍ଘଲ ଆଗ୍ରୋ ରାଇସ ମିଲ ଅଛି । ରାଇସ ମିଲକୁ ୧୮ ଚକିଆ ଟ୍ରକ ଯାଇ ରାସ୍ତା ଖରାପ କରୁଛି । ଗ୍ରାମବାସୀ ରାଇସ ମିଲ ମାଲିକକୁ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନାହାନ୍ତି । ପ୍ରଶାସନ ଶୁଣୁ ନାହିଁ । ବାରମ୍ବାର ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁ ନଥିବାରୁ ଗ୍ରାମବାସୀ ଅସନ୍ତୁଷ୍ଟ ଓ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ଗମ୍ଭାରୀଆ ସରପଞ୍ଚ ବୈଦହୀ ହାଁସଦା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ସେ କହିଥିଲେ ପଞ୍ଚାୟତରୁ ରାସ୍ତା ନିର୍ମାଣ ପାଇଁ ଅର୍ଥ ମଂଜୁର କରିବେ । ହେଲେ ତାହା ସମୁଦ୍ରକୁ ଶଙ୍ଖେ । ତେଣୁ ସେ ଓ ଗ୍ରାମବାସୀ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ବନ ବିଭାଗ, ଆରଡ଼ି ବିଭାଗ, ବିଡ଼ିଓ, ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଆଜି ଲିଖିତ ଜଣାଇଛନ୍ତି ।ଖୁବ୍ ଶିଘ୍ର ପ୍ରଶାସନ ସମାଧାନ ନ କଲେ ଅଳ୍ପ ଦିନ ମଧ୍ୟରେ ସମସ୍ତ ୫ଖଣ୍ଡ ଗ୍ରାମବାସୀ ଆନ୍ଦୋଳନ କରି ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେବେ । ସେଥିପାଇଁ ପ୍ରଶାସନ ଦାୟୀ ରହିବ ।


