ପ୍ରଦ୍ୟୁମ୍ନ ଓସ୍ତପୁର ସମବାୟ ସମିତି ସଭାପତି ନିର୍ବାଚିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଭାବେ କଂସାର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନା ନିର୍ବାଚିତ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୧୫ଟି ଜୋନ ବିଶିଷ୍ଟ ଏହି ସମବାୟ ସମିତିର ନିର୍ବାଚନ ଅଧିକାରୀ ଶିବ ପ୍ରସାଦ ହାଂସଦା ପ୍ରଦ୍ୟୁମ୍ନଙ୍କୁ ବିଜୟୀ ଘୋଷଣା କରିଥିଲେ । ଏ ସମ୍ପର୍କରେ ଖବର ପ୍ରଚାରିତ ହେବା ପରେ ପ୍ରଦ୍ୟୁମ୍ନଙ୍କ ସମର୍ଥକମାନେ ଆତସବାଜି ଫୁଟାଇ ମିଷ୍ଟାନ ବଣ୍ଟନ କରିଥିଲେ । ପ୍ରଦ୍ୟୁମ୍ନଙ୍କୁ ଏକ ଶୋଭାଯାତ୍ରାରେ କଂସାର ଏବଂ ଓସ୍ତପୁର ପଞ୍ଚାୟତ ପରିକ୍ରମା କରାଯାଇଥିଲା । ଏହି ନିର୍ବାଚନରେ ପ୍ରିଜାଇଡିଂ ଅଫିସର ଭାବେ ବୈରାଗୀ ଚରଣ ସାହୁ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିବା ବେଳେ ସମିତି ସମ୍ପାଦକ ପ୍ରେମାଞ୍ଜନ ସାହୁ ଏଥିରେ ତାଙ୍କୁ ସହଯୋଗ କରିଥିଲେ । କୃଷି ଓ କୃଷକଙ୍କର ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବ ବୋଲି ନବ ନିର୍ବାଚିତ ସମିତି ସଭାପତି ଶ୍ରୀ ଜେନା ଏହି ଅବସରରେ କହିଛନ୍ତି । ଶୋଭାଯାତ୍ରାରେ କଂଗ୍ରେସ ନେତା ମହେନ୍ଦ୍ର ପରିଡ଼ା, ଦିପ୍ତୀ ରଞ୍ଜନ ମହାପାତ୍ର, ଚନ୍ଦ୍ରକାନ୍ତ ବେହେରା, ପ୍ରମୋଦ ରାଉତରାୟ, ଶରତ ଦାସ, ବଂଶୀଧର ସାମଲ, ପ୍ରଫୁଲ୍ଲ ରାଉତ, କବିଚନ୍ଦ୍ର ବିଶ୍ୱାଳ, କୈଳାଶ ବେହେରା ଓ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ସାମିଲ ଥିଲେ ।