ଜିଲ୍ଲାପ୍ରଶାସନର ନିଆରା ପ୍ରୟାସ : ଭିନ୍ନକ୍ଷମଙ୍କ ଘରେ ପ୍ରସ୍ତୁତ ହେଲା ଆଧାର କାର୍ଡ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ନିଆରା ପ୍ରୟାସ ଯୋଗୁଁ ଭିନ୍ନକ୍ଷମଙ୍କ ଘରେ ଆଧାର କାର୍ଡ ପ୍ରସ୍ତୁତ କରାଯାଇଛି । ଗତ ୨ଠଠ୯ ମସିହା ଜାନୁଆରୀ ୨୪ ତାରିଖରେ ଜନ୍ମ ଗ୍ରହଣ କରିଥିବା ଆଳି ବ୍ଲକ ଅଳଭା ପଞ୍ଚାୟତ ନରେନ୍ଦ୍ରପୁର ଗ୍ରାମର ଟୁକୁନା ମଲ୍ଲିକଙ୍କ ପୁଅ ବିକାଶ ଜଣେ ଆଜନ୍ମ ଭିନ୍ନକ୍ଷମ । ତାଙ୍କୁ କୈାଣସି ସରକାରୀ ସହାୟତା ଯୋଗାଇ ଦିଆଯାଇନଥିଲା । ତାଙ୍କ ପିତା ଟୁକୁନା ଗତ ମାସ ୨୭ ତାରିଖରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ପୁଅର ଭିନ୍ନକ୍ଷମ ଭତ୍ତା ପାଇଁ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କର ଆଧାର କାର୍ଡ ନଥିବାରୁ ତାହା ସମ୍ଭବ ହୋଇନଥିଲା । ଏହା ଜାଣିବା ପରେ ଜିଲ୍ଲାପାଳ ତୁରନ୍ତ ଆଧାର କାର୍ଡ ତିଆରି କରିବା ପାଇଁ ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଦାସ ଭିନ୍ନକ୍ଷମ ଯୁବକଙ୍କ ଘର ଆଳିକୁ ଯାଇ ସେଠାରେ ଆଧାର କାର୍ଡ ପ୍ରସ୍ତୁତ କରାଇଥିଲେ । ଫଳରେ ଅସହାୟ ଭିନ୍ନକ୍ଷମ ଯୁବକର ଭତ୍ତା ହୋଇପାରିବ ।