ବିଭିନ୍ନ ବିଷୟରେ ଚଳିତ ବିଧାନସଭାରେ ପ୍ରଶ୍ନ କଲେ ଛତ୍ରପୁର ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଛତ୍ରପୁର ତହସିଲ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଏବଂ ଗଞ୍ଜାମ ତହସିଲ ଅନ୍ତର୍ଗତ ପୋଡିମପେଟା ଠାରେ ସମୁଦ୍ର କୂଳ ଖାଇ ଜନବସତି ଆଡକୁ ମାଡି ଆସୁଛି । ଏହାର ପ୍ରତିରୋଧ ପାଇଁ ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ସେନେଇ ଚଳିତ ବିଧାନସଭାରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ପ୍ରଶ୍ନ କରିଛନ୍ତି । ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ଏବଂ ଗଞ୍ଜାମ ତହସିଲ ଅନ୍ତର୍ଗତ କେଉଁ କେଉଁ ସବୁ ପଡା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ ପାଇଁ ପ୍ରସ୍ତାବ ରହିଛି ସେନେଇ ମଧ୍ୟ ଚଳିତ ବିଧାନ ସଭାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ପ୍ରଶ୍ନ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ନିର୍ବାଚନ ମଣ୍ଡଳୀର ଛତ୍ରପୁର ତହସିଲ ଅଧିନରେ ଥିବା ତରାଇ ପାଟପୁର, ସାନ ଆର୍ଯ୍ୟପଲ୍ଲୀ, ଚଷା କଣମଣା, ନୂଆପଲ୍ଲୀ, ବଳରାମପୁର, ରାଜନାପଲ୍ଲୀ, ସାଇବ ଜେନାପଲ୍ଲୀ, ପୁରୁଣା ପାଟଣା, ବାସନାପଲ୍ଲୀ, ତେଲାପଲ୍ଲୀ, କେଉଟପଲ୍ଲୀ, ହରିଆପଲ୍ଲୀ, ଚନ୍ଦ୍ରପଦା, କାଳିଆବାଲି ଓ ତୋଟାପଲ୍ଲୀ ଏବଂ ଗଞ୍ଜାମ ତହସିଲ ଅଧିନରେ ଥିବା ଅରୁଣପୁର ଓ ଗଜପତିନଗର, ଗୌରାଙ୍ଗପାଟ୍ଟଣା, କଳା ଯମୁନା ଓ ପରୁଣାବନ୍ଧ ଆଦି ପଡା ଗ୍ରାମକୁ ରାଜସ୍ୱ ଗ୍ରାମ ଘୋଷଣା କରିବା ପାଇଁ ସରକାରଙ୍କ ବିଚାରାଧିନ ରହିଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତି ମଲ୍ଲିକ ଛତ୍ରପୁର ବିଧାୟକ ପ୍ରଶ୍ନର ଉତ୍ତର ରଖିଛନ୍ତି ।


