କ୍ୟାବ୍ ଚଳାଇ ଅଧୁରା ପାଠପଢ଼ାକୁ ପୂରା କରୁଛନ୍ତି ଯୁବତୀ
ସଂସାରରେ କୌଣସି କାମ ଅସାଧ୍ୟ ନୁହେଁ । କଠୋର ପରିଶ୍ରମ ସହିତ ଲକ୍ଷ୍ୟସ୍ଥଳ ପ୍ରତି ଦୃଢ଼ତା ରହିଲେ ଜଣେ ନିଶ୍ଚିତ ରୂପେ ସଫଳ ମଣିଷ ହୋଇପାରିବ । ଏମିତି ପ୍ରତିଦିନ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସିଥାଏ । ସମ୍ପ୍ରତି ଜଣେ ଉବେର ଚାଳିକାଙ୍କ ଖବର ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଛି । ଏହି ପୋଷ୍ଟକୁ ଉଦ୍ୟୋଗୀ ଓଲିଭିୟା ଡେକା ନିଜର ଦିଲ୍ଲୀ ଯାତ୍ରା ପରେ ସେୟାର କରିଛନ୍ତି । ସେ ନିଜର ଏହି ପୋଷ୍ଟରେ ଦିଲ୍ଲୀର ଉବେର କ୍ୟାବ୍ ଚଳାଉଥିବା ଏହି ଯୁବତୀଙ୍କ ପ୍ରେରଣାଦାୟକ କାହାଣୀ ସେୟାର କରି ଲେଖିଛନ୍ତି, ଏହି ଯୁବତୀଙ୍କ ପିତା ତାଙ୍କୁ ପାଠପଢ଼ା ଛଡାଇ ଦେଇଥିଲେ । କାରଣ ଝିଅ ପାଠପଢ଼ୁ ବୋଲି ସେ ଚାହୁଁ ନଥିଲେ । କିନ୍ତୁ ଯୁବତୀ ଜଣକ ନିଜ ଚେଷ୍ଟା ବଳରେ କ୍ୟାବ୍ ଚଳାଇ ନିଜର ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପୂରା କରୁଛନ୍ତି । ତାଙ୍କ ନାମ ହେଉଛି କୋମଲ । ତାଙ୍କ ବୟସ ୧୯ବର୍ଷ । ଘରେ ତାଙ୍କର ଗୋଟିଏ ଛୋଟ ଓ ଦୁଇଟି ବଡ଼ ଭଉଣୀ ଅଛନ୍ତି । ପିଲାଦିନେ ତାଙ୍କ ପିତା ପାଠପଢ଼ା ଛଡାଇ ଦେଇଥିବାରୁ ସେ ଏବେ ନିଜର ପାଠପଢ଼ା କ୍ୟାବ୍ ଚଳାଇ ପୂରା କରୁଛନ୍ତି । କ୍ୟାବ୍ ଚଳାଇବାକୁ ତାଙ୍କୁ ଗୋଟିଏ ବର୍ଷ ହୋଇଗଲାଣି । ଚଳିତ ବର୍ଷ ସେ ଦ୍ୱାଦଶ ପରୀକ୍ଷା ଦେବେ ।