ଲଗାଣ ବର୍ଷାର ପ୍ରଭାବରେ ଭୂସ୍ଖଳନ : ରାସ୍ତା ଅବରୋଧ, ଯାତାୟତ ବନ୍ଦ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରୁ ତଳକୁ ଖସୁଛି ପଥର । ଗୁମ୍ମାରେ କିଛି ଦିନ ହେଲା ବର୍ଷା ଲାଗି ରହିଥିବା ବେଳେ ପାହାଡ଼ିଆ ଅଞ୍ଚଳରେ ଅଧିକା ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ଅନେକ ସ୍ଥାନରେ ଭୂସ୍ଖଳନ ହେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ ଗତ ୪ଦିନ ଗୁମ୍ମା ଅଞ୍ଚଳରେ ବର୍ଷା ଲାଗି ରହିଥିଲା । ତେଣୁ ରବିବାର ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଲ ପଞ୍ଚାୟତ ନିକଟରେ ରବିବାର ସକାଳ ୬ଟା ସମୟରେ ତାବାରସିଂ ପାହାଡ଼ରୁ ତାବାରସିଂ ଗ୍ରାମ ନିକଟସ୍ଥ ମୁଖ୍ୟ ରାସ୍ତାରେ ଏକ ବଡ଼ ଧରଣର ପଥର ସହ ମାଟି ଅତଡ଼ା ପଡ଼ିଛି। ତାବାରସିଂ ଓ ଏରାଙ୍ଗଗୁଲ ରାସ୍ତା ଏବେ ଅବରୋଧ ହେଇଥିବା ଜଣାପଡ଼ିଛି। ତାବାରସିଂ ଗ୍ରାମରେ ୬୦ପରିବାର ୩ଶହ ଲୋକେ ବିଶେଷ ଭାବେ କାହାର କିଛି କ୍ଷତି ହୋଇନଥିବା ବେଳେ ଏହି ରାସ୍ତା ଉପରେ ନିର୍ଭର କରନ୍ତି ଗ୍ରାମବାସୀ । ବର୍ତ୍ତମାନ ତୁମୁଲ ଠାରୁ ତାବାରସିଂ ୨କିମି ରାସ୍ତା ଉପରେ ମାଟି ପଥର ପଡ଼ିଥିବା ଜଣାପଡ଼ିଛି। ସେହିପରି ସେରଙ୍ଗ, ଭୁବନି ଓ ତୁମୁଲ ପଞ୍ଚାୟତର କେତେକ ଚାଷ ଜମି ଉପରେ ବାଲି ମାଟି ରହିଛି କିଛି କିଛି ଚାଷ ଜମିରେ ମାଟି ଅତଡ଼ା ଉବୁଟୁବୁ । ଭୁବନି ପଞ୍ଚାୟତ କିତୁମ୍ବା ଗାଁ ରିବୟ ଭୂୟାଁଙ୍କ ଘର କାନ୍ଦ ଭାଙ୍ଗିଯାଇଛି । ସେହି ପଞ୍ଚାୟତ ଅମେଇସିଂ ଠାରୁ କୂଲପଟ, ତୁବୁରଡ଼ା ଠାରୁ ସିଣ୍ଡିସିଂ ପର୍ଯ୍ୟନ୍ତ ୨କିମି ମାଟି ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ଯାଇଛି।ସେହିପରି ତୁମୁଲ ଓ ସେରଙ୍ଗ ପଞ୍ଚାୟତର ଅନେକ ରାସ୍ତା ଘର ଭିତରେ ପାଣି ପସିଯାଇଛି । ପାଣ୍ଡରୁସିଂ, ତାରଗି, ପୁଟା, ରେଗଡ଼ି ଓ କୁମୁଣ୍ଡିଆ ଅଞ୍ଚଳରେ ଚାଷ ଜମି ଉପରେ ପାଣି ମାଟି ପଥର ପଶି ଏକର ଏକର ଚାଷ ଜମି କ୍ଷତି ହୋଇଥିବା ଜଣାପଡିଛି । ଏନେଇ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ତହସିଲଦାର, ଆରଆଇ, ଏଓ, ଜିଆରଏସ, ସ୍ଥାନୀୟ ସମିତି, ସରପଞ୍ଚ ଓ ପିଇଓ ଉପସ୍ଥିତ ରହି ଏହି ୪ଟି ପଞ୍ଚାୟତ ଅଜୟଗଡ଼, ଭୁବନି, ସେରଙ୍ଗ ଓ ଟୁଲୁମ ଅଞ୍ଚଳର ୧୨ହେକ୍ଟର ଚାଷଜମି ନଷ୍ଟ ହୋଇଛି ବୋଲି ସୂଚନା ଦେଇଛନ୍ତି ।