କାଶ୍ମୀର କନ୍ଦଳ

ବିପିନ ବିହାରୀ ମହାନ୍ତି
ଭାରତ ବିଭାଜନ ୧୯୪୭ ଅଗଷ୍ଟ ୧୫ ପରଠାରୁ କାଶ୍ମୀରକୁ ନେଇ ପାକିସ୍ତାନ ଓ ଭାରତ ମଧ୍ୟରେ ନାନା କନ୍ଦଳ ଲାଗି ରହିଛି । ଖାଲି କନ୍ଦଳ ନୁହେଁ, ଚାରିଚାରିଟା ଯୁଦ୍ଧ ୧୯୪୭-୪୮, ୧୯୬୫, ୧୯୭୧ ଏବଂ ୧୯୯୯ ସଂଘଟିତ ହୋଇଗଲାଣି । ଉଭୟ ପକ୍ଷରୁ କେତେ ମୃତାହତ ଓ କେତେ କ୍ଷୟକ୍ଷତି ଘଟିଲାଣି । ଏହା ଜାତିସଂଘ ଦ୍ୱାରା ନିଷ୍ପତି ହେଉ ବୋଲି କେହି କହିଲା ବେଳେ ମିଳିତ ଜାତିସଂଘ କୁହେ, ଏହା ଭାରତ ଓ ପାକିସ୍ତାନର ଆଭ୍ୟନ୍ତରୀଣ ସମସ୍ୟା ହେତୁ ସେମାନେ ମିଶି ଏହାକୁ ତୁଟାନ୍ତୁ । ହେଲେ ଭାରତ ପାକିସ୍ତାନ ଏ ଦ୍ୱିପାକ୍ଷିକ ଆଲୋଚନାରେ ବସିବେ ନାହିଁ କି ସମସ୍ୟା ତୁଟିବ ନାହିଁ । ଏଣୁ କାଳ କାଳକୁ ଏହା କନ୍ଦଳର କାରଣ ହୋଇଥିବ ।
ଦେଶ ବିଭାଜନ ବେଳେ ଟ୍ରାଭାନକୋର, ଜୁନାଗଡ଼, ହାଇଦ୍ରାବାଦ ଓ କାଶ୍ମୀର ପାକିସ୍ତାନ ଅଥବା ଭାରତ ସହିତ ମିଶିକି ନଥିଲେ କି ସେ ମୁହୂର୍ତରେ ସେମାନଙ୍କୁ ନେଇ କାହାରି କିଛି ସାଂଗରେ ନେବାର ଆପତି ନଥିଲା । ସେମାନେ କିନ୍ତୁ ଭାରତ ଓ ପାକିସ୍ତାନ ସହ ସ୍ୱାଧୀନ ହେଲେ ଏବଂ ଭବିଷ୍ୟତରେ ସେମିତି ରହିବେ ବୋଲି ଚାହିଁଲେ । ମାତ୍ର ଦେଶ ବିଭାଜନ ଓ ସ୍ୱାଧୀନତା ପ୍ରଦାନ ବେଳେ ସର୍ତ ଥିଲା ଯେ ଏମାନେ ସ୍ୱାଧୀନ ରାଷ୍ଟ୍ର ଭାବେ ରହିପାରିବେ ନାହିଁ । ସୁବିଧା ଦେଖି ନିଜ ନିଜ ବ୍ୟବସ୍ଥାରେ ଭାରତ ଅଥବା ପାକିସ୍ତାନ ସହ ମିଶିଯିବାକୁ ବାଧ୍ୟ । କେହି ପାକିସ୍ତାନରେ ମିଶିବାକୁ ରାଜି ହେଲେନି । ଜୁନାଗଡ଼ ତା ନିଜ ବ୍ୟବସ୍ଥାରେ ଗଣଭୋଟ୍ ଦ୍ୱାରା ଭାରତରେ ମିଶିଗଲା, ଟ୍ରାଭାନ୍‌କୋର ଓ ହାଇଦ୍ରାବାଦ ପ୍ରଥମେ କୌଣସି ନିଷ୍ପତି ନେଇନଥିଲେ ହେଁ, ପରେ ଭାରତ ସହ ମିଶିଗଲେ । ବାକି ରହିଗଲା କାଶ୍ମୀର ।
ସେତେବେଳେ କାଶ୍ମୀରର ସ୍ୱାଧୀନ ରାଜା ଥିଲେ ହିନ୍ଦୁ ରାଜା ହରିସିଂ । ସେ କେବେ ବି ପାକିସ୍ତାନ ସହ ହାତ ମିଳାଇବେ ନାହିଁ । ସେମିତି ଏଥିପୂର୍ବରୁ କାଶ୍ମୀରକୁ ନେଇ ପାକିସ୍ତାନ ଗଠନ କରିବାର ସ୍ୱପ୍ନ ପାକିସ୍ତାନ ମୁଖ୍ୟ ମହମ୍ମଦ ଅଲ୍ଲିଜିନ୍ନା ଦେଖିନଥିଲେ । ଅଥଚ ବିଭାଜନ ନିୟନ୍ତ୍ରକ ଲର୍ଡ ମାଉଂଟବ୍ୟାଟେନ୍ ପାକିସ୍ତାନ ସପକ୍ଷବାଦୀ ଥିଲେ ଏବଂ ଜିନ୍ନା କାଶ୍ମୀରକୁ ନେଇ ବୃହତର ପାକିସ୍ତାନ ଗଠନ କରନ୍ତୁ ବୋଲି ଚାହୁଁଥିଲେ । ସେଥିପାଇଁ ସେ ଜିନ୍ନାଙ୍କୁ ଉସ୍‌କାଉ ଥିଲେ ଏବଂ ତାଙ୍କୁ ସହଯୋଗ କରୁଥିଲେ ।
କାଶ୍ମୀରକୁ ଭାରତ ସହ ମିଶାଇବାରେ ହରି ସିଂ କୁଣ୍ଠିତ ନଥିଲେ । ତେବେ ସେ କାଳ ବିଳମ୍ବ କରିବାର କାରଣ ଏହାଥିଲା ଯେ ଭାରତୀୟ କଂଗ୍ରେସ ଓ ନେହୁରୁଙ୍କ ସହିତ ତାଙ୍କର ଉତମ ବୁଝାମଣା ନଥିଲା । ପୁନଶ୍ଚ କାଶ୍ମୀରର ଶେଖ ଅବଦୁଲ୍ଲାଙ୍କର ନେହୁରୁ ଥିଲେ ପ୍ରିୟପାତ୍ର । କାଶ୍ମୀର ଭାରତ ସହ ମିଶିଲେ, ନେହୁରୁ ଅବଦୁଲ୍ଲାଙ୍କୁ କାଶ୍ମୀର ମୁଖ୍ୟ କରିଦେବେ ଏବଂ ହରିସିଂ ତାଙ୍କ ଅଧସ୍ତନ କର୍ମଚାରୀ ହୋଇଯିବେ, ସେ ଏକଥା ଚାହୁଁନଥିଲେ ।
ଶେଖ ଅବଦୁଲ୍ଲା ଚାହୁଁଥିଲେ ସେ କାଶ୍ମୀରର ଏକାଙ୍ଗ ଚକ୍ରବର୍ତୀ ହୋଇ ହରିସିଂଙ୍କ ସ୍ଥାନ ଅଧିକାର କରିବେ । ଏଣୁ କାଶ୍ମୀର ପାକିସ୍ତାନ ହାତକୁ ନଯାଉ । ଅନ୍ୟପକ୍ଷରେ ଭାରତ ସହାୟତାରେ ତାଙ୍କ ହାତରେ କାଶ୍ମୀର ରହୁ ।
ଗୋଟିଏ ପଟେ ନେହୁରୁ ଓ ଜିନ୍ନାଙ୍କ କଳିରୁ ଭାରତ ହେଲା ବିଭାଜନ । ଆଉ ଗୋଟିଏ ପଟେ ନେହୁରୁଙ୍କର ମାଉଂଟବ୍ୟାଟେନ୍‌ଙ୍କ ପ୍ରୀତି ଓ ଭିନ୍ନ ପକ୍ଷେ ଶେଷ ଅବଦୁଲ୍ଲାଙ୍କ ସହ ବନ୍ଧୁତ୍ୱ; ମାଉଂଟବ୍ୟାଟେନ୍‌ଙ୍କ ପାକିସ୍ତାନ ପ୍ରତି ସପକ୍ଷବାଦୀତାରେ ବଳି ପଡ଼ିଲା କାଶ୍ମୀର ଭୂଖଣ୍ଡ ।
ମାଉଂଟବ୍ୟାଟେନ୍ ଚାହୁଁଥିଲେ ଜୁନାଗଡ଼ ପରି କାଶ୍ମୀରରେ ଗଣଭୋଟ୍ ଦ୍ୱାରା ତା’ ସ୍ଥିତି ନିର୍ଣ୍ଣୟ କରାଯାଉ । ଏହାକୁ ଭାରତ ବିରୋଧ କଲା । ଅଥଚ ପରିସ୍ଥିତି ଏମିତି ହେଲା ଯେ ଶେଷରେ ହରି ସିଂ ଗଣଭୋଟ ଉପର ରାଜି ହେଲେ ଏବଂ ୨୬ ଅକ୍ଟୋବର ୧୯୪୮ରେ ଇନ୍‌ଷ୍ଟ୍ରୁମେଂଟ ଅଫ୍ ଆକ୍‌ସେସନ୍ ଆକ୍ଟ ଗୃହୀତ ହେଲା । ଅଥଚ ମାଉଂଟବ୍ୟାଟେନଙ୍କ କୂଟନୀତି ଫଳରେ ପାକିସ୍ତାନୀ ସେନା ଓ ଆଦିବାସୀ ଲସ୍କର କାଶ୍ମୀରର ଗିଲଗଟ୍‌, ବାଲଚିସ୍ଥାନ, ମୁଜାଫରବାଦ ସହ ପୁଂଚର ଅର୍ଦ୍ଧାଧିକ ଅଂଶ ମୀରପୁର ଜିଲ୍ଲା ଓ ବାରମୂଳାର କିଛି ଅଂଶ ମାଡ଼ି ବସିଲେଣି । ସେଇଠି ଯୁଦ୍ଧ ବନ୍ଦ କରିବାକୁ ମାଉଂଟବ୍ୟାଟେନ୍ ସେତେବେଳକୁ ମହମ୍ମଦ ଜିନ୍ନାଙ୍କୁ ନିର୍ଦ୍ଦେଶ ଦେଲେ । କଥା ରହିଲା ଯେ ମିଳିତ ଜାତିସଂଘ ଅଧ୍ୟକ୍ଷତାରେ ଗଣଭୋଟ୍ ହେବ । କିନ୍ତୁ ପାକିସ୍ତାନ ଏହାକୁ ଗ୍ରହଣ କରିବାକୁ ବାଧ୍ୟ ନୁହେଁ ବୋଲି କହିଲା । ଏତିକିରେ ଭାରତ-ପାକ୍ ପ୍ରଥମ ଯୁଦ୍ଧ ୧୯୪୭-୪୮ର ସମାପ୍ତି ଘୋଷଣା ହେଲା । କିନ୍ତୁ ପାକିସ୍ତାନ ଅଧିକୃତ କରିଥିବା କାଶ୍ମୀରର ଏ ବିରାଟ ଭୂଖଣ୍ଡର ଭବିଷ୍ୟତ ଭାଗ୍ୟ କ’ଣ ହେବ, ସେ କଥା ନିଷ୍ପତି ହେଲା ନାହିଁ ।
ସେତେବେଳେ ଭାରତୀୟ ସେନାର ଜେନେରାଲ ଥିମାୟା ଥିଲେ ମୁଖ୍ୟ । ସେ ଚାହିଁଥିଲେ ଏ ଅଂଚଳକୁ ଫେରାଇ ଆଣି ପାକିସ୍ତାନ ଭିତରକୁ ପଶିଯାଇଥାନ୍ତେ; କିନ୍ତୁ ବାରଣ କଲେ ନେହୁରୁ । କହିଲେ ଭାରତ କ୍ୟାବିନେଟ୍‌ର ବିନା ଅନୁମୋଦନରେ ସେ ଆଗେଇପାରିବେନି । ଏକଥା ନୁହେଁ ଯେ ସେ ନିଜର ଭାବମୂର୍ତିକୁ ଅକ୍ଷୁର୍ଣ୍ଣ ରଖିବାକୁ ଚାହୁଁଥିଲେ । ଯେମିତି ମାଉଂଟବ୍ୟାଟେନ୍ ପାକିସ୍ତାନ ସେନାଙ୍କୁ ସାହାଯ୍ୟ କରୁଥିଲେ ପାକିସ୍ତାନ ସମଗ୍ର କାଶ୍ମୀରକୁ ଦଖଲ ନେଇଯାଇଥାନ୍ତା ସେତେବେଳେ କ’ଣ ନେହୁରୁ କ୍ୟାବିନେଟ୍‌ର ଅନୁମୋଦନକୁ ଅପେକ୍ଷା କରିଥାନ୍ତେ । ସେତେବେଳକୁ ତ ସବୁ ସରି ଯାଇଥାନ୍ତା । କାଶ୍ମୀରକୁ ଫେରାଇ ପାରିଥାନ୍ତେ ତ ? ଯେତିକି ଯାଇଛି, ସେତକ ଏଯାଏ ଫେରିନି ସେ ଏବେ କାଶ୍ମୀର ଅଧିକୃତ ଅଂଚଳ (ପି.ଓ.କେ);ନିୟନ୍ତ୍ରଣ ସୀମାରେଖା (ଏଲ୍‌.ଓ.ସି) ଆରପଟେ ।
୧୯୪୯ ମସିହାରେ ମିଳିତ ଜାତିସଂଘର ଏକ କମିଶନ ଦଳ ଆସି ସୀମା ସୁରକ୍ଷା ନିୟନ୍ତ୍ରଣ ରେଖା ନିର୍ଣ୍ଣୟ କଲା ପରେ ଆନୁଷ୍ଠାନିକ ଯୁଦ୍ଧ ବିରତି ଘୋଷଣା କଲା । ଦୁଇ ଦେଶର ସେନାଧ୍ୟକ୍ଷଙ୍କ ମଧ୍ୟରେ ଏ ଚୁକ୍ତିକୁ କୁହାଗଲା କରାଚି ଚୁକ୍ତି ।
୧୯୬୫ରେ ପୁଣି ସେହି ଭାରତ ପାକ୍ ୨ୟ ଯୁଦ୍ଧ । ୧୯୭୧ରେ ତୃତୀୟ ଭାରତପାକ୍ ଯୁଦ୍ଧ । ୧୯୭୨ ମସିହା ସିମଳା ରାଜିନାମାର ଅସ୍ତ୍ରବିରତି ଚୁକ୍ତିରେ କାଶ୍ମୀର ପ୍ରସଙ୍ଗ ଦୁଇଦେଶର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏହା ଦୁଇ ଦେଶ ମଧ୍ୟରେ ଆଲୋଚନା ଦ୍ୱାରା ଆପୋଷ ସମାଧାନ ହୋଇପାରେ ବୋଲି ଥିଲେ ମଧ୍ୟ ଏହାକୁ ସମ୍ମାନ ଦେଉଛି କିଏ ?
ସତ କହିଲେ ଗଣଭୋଟ୍ ଭଳି ଏକ ପ୍ରି କଣ୍ଡିସନ୍ ଯୋଗୁଁ କାଶ୍ମୀରକୁ ବିଳମ୍ବରେ ଭାରତୀୟ ସେନା ପଠାଇବା ଦ୍ୱାରା ଏକ ବୃହତ୍ କାଶ୍ମୀର ଅଂଶ ପାକିିସ୍ତାନ ହାତକୁ ଚାଲିଗଲା । ଖାଲି ସେତିକି ନୁହେଁ ନେହୁରୁଙ୍କର ଜାତିସଂଘର ଦ୍ୱାରସ୍ଥ ହେବା ଦୂରଦୃଷ୍ଟିର ଘୋର ଅଭାବ ଛଡ଼ା ଆଉ କଣ ହୋଇପାରେ ? ପୁଣି ମାଉଂଟବ୍ୟାଟେନ୍ କୂଟନୀତିରେ ପ୍ରଭାବିତ ହୋଇ କାଶ୍ମୀରରେ ଏକ ମଧ୍ୟବର୍ତୀକାଳୀନ ସରକାର ଗଠନ କରି ଶେଖ ଅବଦୁଲ୍ଲାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ କରିବାରେ ଘୋଷଣା, ଏକ ସ୍ୱତନ୍ତ୍ର ସଂବିଧାନ ଗଠନ, ସଂବିଧାନର ୩୭୦ ଧାରା ପ୍ରୟୋଗ ଦ୍ୱାରା କାଶ୍ମୀରକୁ ଭାରତ ଠାରୁ ଦୂରେଇ ରଖିବା ଓ ସ୍ୱତନ୍ତ୍ର ପତାକା ପ୍ରଚଳନ କରାଇବା ଯେତେବେଳେ ଏକ ମୁର୍ଖାମୀ କଥା, ସେତେବେଳେ ଭାରତର ଏହା ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିବା ଠାରୁ ଏହାକୁ ମସ୍ତବଡ଼ ଭୁଲ୍ ଛଡ଼ା କ’ଣ କୁହାଯାଇପାରେ ? ମଳୁ ଲୋଡୁଥିଲା ଯାହା ବଇଦ କହିଲା ତାହାପରି ଶେଖ୍ ଅବଦୁଲ୍ଲା ହେଲେ କାଶ୍ମୀରର ସର୍ବେସର୍ବା । ଏବେ ପୁତ୍ର ଫାରୁକ୍ ଅବଦୁଲ୍ଲା ଓ ନାତି ଓମାର ଅବଦୁଲ୍ଲା ସମେତ ସମସ୍ତେ ଭାରତ ବିରୋଧୀ । ସେ ଚାହାଁନ୍ତି କାଶ୍ମୀର ଭାରତ ମୁକ୍ତ ହେଉ । ସେମାନେ ନିରଙ୍କୁଶ ହୋଇ କାଶ୍ମୀର ଶାସନ କରନ୍ତୁ । ଏଣୁ ସେମାନେ ଆତଙ୍କବାଦୀ ତଥା ବିଚ୍ଛିନ୍ନାବାଦୀଙ୍କ ସହ ହାତ ମିଳାଇଛନ୍ତି । ଏଣୁ ପାକିସ୍ତାନ ସହ ଭାରତ ଯୁଦ୍ଧରେ ତାଙ୍କର ଫାଇଦା ଅଛି ।
ଏବେ ଅବଦୁଲ୍ଲାମାନଙ୍କୁ ସାମ୍‌ନା କରିବାର ଅଛି । ଧାରା ୩୭୦କୁ ବାତିଲ କରିବାର ଅଛି । ମୋଟ୍ ଉପରେ କାଶ୍ମୀର କନ୍ଦଳ ଏବେ ଏକ ଅଛିଣ୍ଡା ସୂତା ପରି । ଏହାର ମୁଖ୍ୟ କାରଣ ହେଲେ ମାଉଂଟ ବ୍ୟାଟେନ୍‌, ଜିନ୍ନା, ଶେଖ ଅବଦୁଲ୍ଲା ଏବଂ ସର୍ବୋପରି ପଣ୍ଡିତ ନେହୁରୁ । ତଥାପି ଆମେ କହିବୁ କାଶ୍ମୀର ଆମର ଥିଲା ଏବଂ ହରିସିଂଙ୍କ ସର୍ତାନୁଯାୟୀ ଆମର ହୋଇ କାଳ କାଳ ଥିବ । ଭାରତମାତାର ଜୟ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ :
ବିପିନବିହାରୀ ପାଠାଗାର, ଜଟଣୀ, ଖୋର୍ଦ୍ଧା
ମୋ-୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ