ପୋଖରୀରେ ବୁଡି ନାବାଳିକା ମୃତ୍ୟୁ
ବୁଗୁଡ଼ା, (ଅନିଲ କୁମାର ମହାରଣା) :ପୋଲସରା ବ୍ଳକ ଅନ୍ତର୍ଗତ ପାଣ୍ଡିରିପଡା ଗ୍ରାମ ପଞ୍ଚାୟତର ଅନ୍ଧାରି ଗ୍ରାମର ଜଣେ ନାବାଳିକା ଜୁଲାଇ ୨୭ ତାରିଖ ଦିନ ପୋଖରୀ ପାଣିରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ପ୍ରକାରେ ଅନ୍ଧାରି ଗ୍ରାମ ସୁରେନ୍ଦ୍ର ଶବରଙ୍କ ଝିଅ ଅଗସ୍ତି ଶବର ନିଜ ଗ୍ରାମର ଆଗୁଳ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ପୋଖରୀରେ ଗାଧୋଉଥିବା ଅନ୍ୟ ମହିଳା ମାନେ ଅଗସ୍ତିଙ୍କୁ ଉଦ୍ଧାର କରିଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ରଘୁନାଥ ଭୂୟାଁ ପୋଲସରା ପୋଲିସ ଓ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରି ପୋଲସରା ମେଡିକାଲକୁ ଚିକିତ୍ସା ପାଇଁ ପଠାଇ ଥିଲେ । ଡାକ୍ତର ଅଗସ୍ତି ଶବରକୁ ମୃତ୍ୟୁ ଘୋଷଣା କରିବା ପରେ ପୋଲିସ ମର ଶରୀର ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପାଣ୍ଡିରିପଡା ସରପଞ୍ଚ ଶ୍ରୀ ଭୂୟାଁ ସ୍ୱର୍ଗତ ଅଗସ୍ତିଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।


