କେନ୍ଦ୍ରାପଡା ସାଇକଲ କ୍ଲବ ପକ୍ଷରୁ “ଆରୋହୀ” ଉନ୍ମୋଚିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସାଇକଲ କ୍ଲବର ମୁଖପାତ୍ର ‘ଆରୋହୀ’ ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ସୈାଭାଗ୍ୟ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପୌର ପରିଷଦର ଅଧ୍ୟକ୍ଷା ସରିତା ସାହୁ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ‘ଆରୋହୀ’କୁ ଉନ୍ମୋଚନ କରିବା ସହିତ କେନ୍ଦ୍ରାପଡା ସାଇକଲ କ୍ଲବର ଉଦ୍ୟମକୁ ପ୍ରସଂଶା କରିଥିଲେ । କ୍ଲବର ସଦସ୍ୟମାନେ ଆଗାମୀ ଦିନରେ ପରିବେଶ ସୁରକ୍ଷା ଦିଗରେ ଅଧିକରୁ କାର୍ଯ୍ୟ କରିବା ଉଚିତ୍ ବୋଲି ସେ ମତବ୍ୟକ୍ତ କରିଥିଲେ । ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡେରାବିଶ କଲେଜର ରାଜନିତୀ ବିଜ୍ଞାନ ବିଭାଗ ଅଧ୍ୟାପକ ବୃନ୍ଦାବନ ଦାସ ସାଇକଲ ଚାଳନାର ଉପକାରିତା ସମ୍ପର୍କରେ ଆଲୋଚନା କରିବା ସହ ବ୍ୟସ୍ତ ବହୁଳ ଜୀବନରେ ସମୟ କାଢି ଆମେ ସମସ୍ତେ ସାଇକଲ ଚଳାଇବା ଉଚିତ୍ ବୋଲି କହିଥିଲେ । ସେହିପରି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରାପଡା ଜିଲ୍ଲା ସଚେତନ ନାଗରିକ ମଞ୍ଚ ର ସାଧାରଣ ସମ୍ପାଦକ ଇଂ ସୌମ୍ୟ ରଞ୍ଜନ ବିଶ୍ୱାଳ ଆଗାମୀ ଦିନରେ କେନ୍ଦ୍ରାପଡା ସାଇକଲ କ୍ଲବ ମାତୃଭୁମିର ସମସ୍ୟା ପ୍ରତି ଯତ୍ନବାନ ହେବା ସହ ଦୂରଦୂରାନ୍ତକୁ ସାଇକଲ ଯାତ୍ରା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶଲ୍ୟ ଚିକିତ୍ସକ ଡା. ବିରେନ୍ଦ୍ର କୁମାର ଦାଶ ଅଧ୍ୟକ୍ଷତା କରିଥିଲେ । କ୍ଲବର ଆବାହାକ ମାତୃଦତ୍ତ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଚିତ୍ରଶିଳ୍ପି ଶ୍ରୀବାସ ନାୟକ ଓ ଅକ୍ଷର ଶିଳ୍ପି ବିଭୂତି ଭୁଷଣ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ୨୩ଜଣ ସଦସ୍ୟଙ୍କୁ ସଦ୍ୟସତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଉତ୍ସବକୁ ମଳୟ ସହୁ, ଆଶିଷ ଦାଶ, ରୀନାରାଣୀ ଦାସ, ନମିତା ଜେନା, ବିଷ୍ଣୁପ୍ରିୟା ସାମଲ, ରଶ୍ମି ରଞ୍ଜନ ସ୍ୱାଇଁ, ଉମାକାନ୍ତ ଜେନା ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି, ସମାଜସେବୀ ଓ ସାମ୍ବାଦିକ ଯୋଗଦେଇଥିଲେ ।


