କୋଣାର୍କ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ପାଇଁ ରାସ୍ତା ପାର୍ଶ୍ବରେ ବସିଥିବା ବ୍ୟବସାୟୀଙ୍କ ଦୋକାନକୁ ଉଛେଦ କଲା ପ୍ରଶାସନ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୋଣାର୍କ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ପରିସର ଓ ମଙ୍ଗଳା ମନ୍ଦିର ପାର୍ଶ୍ଵସ୍ଥ ସରକାରୀ ଜାଗାରେ ଥିବା ୧୭୧ଜଣ ବ୍ୟବସାୟୀଙ୍କ ଦୋକାନକୁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଛି। ଖବରରୁ ପ୍ରକାଶ ଯେ ପୁରୀ ଜିଲ୍ଲା ପ୍ରଶାସନ ଓ କୋଣାର୍କ ଏନଏସି ମିଳିତ କ୍ରମେ ମଙ୍ଗଳା ମନ୍ଦିର ସମ୍ମୁଖ ଜାଗାରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସର ଓ ତତସଂଲଗ୍ନ ଅଂଚଳରେ ହସ୍ତଶିଳ୍ପ ଦୋକାନ କରିଥିବା ବ୍ଯବସାୟୀ ମାନଙ୍କୁ ଉଛେଦ ପରେ ଥଇଥାନ କରାଯାଇଥିଲା। ମାତ୍ର ଏହି ଥଇଥାନରେ କେତେକ ବ୍ଯବସାୟୀ ବାଦ ପଡିବା ଯୋଗୁଁ ହସ୍ତଶିଳ୍ପ ବ୍ୟବସାୟୀ ମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏହି ସମାସ୍ୟା ଯୋଗୁଁ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ସମ୍ମୁଖ ଓ ମଂଗଳା ମନ୍ଦିର ପାର୍ଶ୍ଵରୁ ଉଛେଦ ବ୍ଯବସାୟୀ ମାନେ ପୁନର୍ବାର ସ୍ଥାନାନ୍ତରିତ ସ୍ଥାନରେ ବ୍ଯବସାୟ ନ ହେବା ଓ ପ୍ଲଟ ଆବଣ୍ଟନରେ ପାତରଅନ୍ତର ନୀତି ଆପଣାଇବା ଯୋଗୁଁ ସୂର୍ଯ୍ୟ ମନ୍ଦିର ମୁଖ୍ୟ ଫାଟକ ପରିସର ଓ ମଂଗଳା ମନ୍ଦିର ପାର୍ଶ୍ଵରେ ପୁନର୍ବାର ବ୍ଯବସାୟ ଆରମ୍ଭ କରିଥିଲେ। କୋଣାର୍କ ସୂର୍ଯ୍ୟ ପାରିପାର୍ଶ୍ବିକ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ଏହି ଦୋକାନ ଗୁଡିକ ବାଧକ ସୃଷ୍ଟି କରିବା ଯୋଗୁଁ ସୌନ୍ଦର୍ଯ୍ୟକରଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୋପ ତହସିଲ କାର୍ଯ୍ଯାଳୟ ଓ କୋଣାର୍କ ଏନଏସି କର୍ତ୍ତୃପକ୍ଷଙ୍କ ମିଳିତ ଭାବେ ସରକାରୀ ଜାଗାକୁ ଉଛେଦ ପରେ ଜବରଦଖଲ କରି ବ୍ଯବସାୟ କରୁଥିବା ୧୭୧ଜଣ ହସ୍ତଶିଳ୍ପ ବ୍ଯବସାୟୀ ମାନଙ୍କୁ ଜାଗା ଖାଲି କରିବା ପାଇଁ ନୋଟିସ ଜାରି କରିଥିଲେ। ଏହି ନୋଟିସ ମୁତାବକ ବୁଧବାର ପୂର୍ବାହ୍ନ ସମୟରେ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଓ ଗୋପ ତହସିଲଦାର ଏସକେ ସଗିର ଓ ନିମାପଡା ଡିଏସପି ଦେବାଶିଷ ମିଶ୍ରଙ୍କ ନେତୃତ୍ବରେ ୩ଜଣ ଆଇଆଇସି ଓ ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଦୋକାନ ଉଛେଦ କାର୍ଯ୍ୟ କରାଯାଇଥିଲା। ଏହି ଉଛେଦ ସମୟରେ ଜୀବିକା ପ୍ରଭାବିତ ହେଉଥିବା ବ୍ଯବସାୟୀ ମାନେ ପୋଲିସ ଗାଡିକୁ ଅଟକାଇ ଧାରଣା ଦେଇ ଏହାର ବିରୋଧ ପ୍ରଦର୍ଶନ କରିଥିଲେ। ଏହି ଉଛେଦ କାର୍ଯ୍ୟରେ ଗୋପ ଅତିରିକ୍ତ ତହସିଲଦାର ଶରତ କୁମାର ପରିଡା, କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କ ସମେତ କୋଣାର୍କ ଏନଏସି କର୍ମଚାରୀ ଓ କୋଣାର୍କ ରାଜସ୍ବ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ