ବୁଧେଇ ଓଷା ବା ବୁଦ୍ଧିବାମନ ବ୍ରତ
ବିପିନ ବିହାରୀ ମହାନ୍ତି
ଓଡ଼ିଶାରେ ଜଗନ୍ନାଥଙ୍କୁ କେନ୍ଦ୍ରକରି ବାରମାସରେ ତେର ଯାତ୍ରା ହୁଏ । ଏହା ବ୍ୟତୀତ ଅନ୍ୟାନ୍ୟ ଓଷାବ୍ରତ ଅଛି । ଏମିତିରେ ସୁଦଶାବ୍ରତ, କାର୍ତ୍ତିକବ୍ରତ, ମାଘବ୍ରତ, ସୋମନାଥ ବ୍ରତ, ନିଶାମଙ୍ଗଳବାର ଓଷା, ଦ୍ୱିତୀୟା ଓଷା, ତଅପୋଇ ଓଷା ଇତ୍ୟାଦି । ଏହି ଓଷାମାନଙ୍କ ମଧ୍ୟରୁ ବୁଧେଇ ଓଷା ଅନ୍ୟତମ । ଏହି ଓଷା ଭାଦ୍ରବ ମାସର ପ୍ରତି ବୁଧବାରଦିନ ପାଳିତ ହୁଏ ।
ବୁଧେଇ ଓଷାରେ ପାଞ୍ଛଟି ବୁଧବାର ସାଧାରଣ ଭାବରେ ଓଷା କରାଯାଏ । ଏହି ହିସାବକୁ ଧରି ଅନେକ ଗହ୍ମାପୂର୍ଣ୍ଣମୀଠାରୁ ଇନ୍ଦୁପୂର୍ଣ୍ଣିମା, ଆଉ କିଏ ସଂକ୍ରାନ୍ତି ଘରକୁ ଧରି ଭଦ୍ର ସଂକ୍ରାନ୍ତିରୁ ଆଶ୍ୱୀନ ସଂକ୍ରାନ୍ତିକୁ ହିସାବକୁ ନେଇଥାନ୍ତି । ଏହି ଓଷାଟି ସାଧାରଣତଃ ସଧବା ନାରୀମାନେ କରିଥାଆନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ସନ୍ତାନ କାମନା କରିବା ଏବଂ ତା’ର ଶୁଭ ମନାସିବା । ଏହା ବ୍ୟତିତ ସେ କିପରି ବିପଦ ଏବଂ ରୋଗବ୍ୟାଧି ମୁକ୍ତ ହେବ, ସେ ନେଇ ପୂଜା କରିବା ତଥା ଧନ ସଂପଦ ଲାଭ ବା ଆଶା ରଖିବା । ଏହା ନିର୍ଜଳ ଓ ନିଷ୍ଠାର ଓଷା ।
ଏହି ଓଷାରେ ବୁଦ୍ଧିବାମନଙ୍କୁ ପୂଜା କରାଯାଏ । ଏଠାରେ ବୁଦ୍ଧ ବା ବୁଧେଇ ଯିଏ କି ଭୈରବୀ ବା ବିମଳା । ବାମନ କହିଲେ ଭୈରବ ଯିଏ କି ସ୍ୱୟଂ ଜଗନ୍ନାଥ । ଅର୍ଥାତ୍ ଏହି ଓଷାରେ ଆରାଧ୍ୟ ଦେବାଦେବୀ ହେଲେ ଶ୍ରୀ ଜଗନ୍ନାଥ ଓ ବିମଳା । କିନ୍ତୁ ଜ୍ୟେତିଷଶାସ୍ତ୍ର ଅନୁସାରେ ଏଥିରେ ନାରୀରୂପୀ ବୁଧ ଓ ମଙ୍ଗଳଙ୍କୁ ପୂଜା କରାଯାଏ । କାରଣ ଏମାନେ ସୃଷ୍ଟି କର୍ତ୍ତୀ ।
ଏହି ଓଷାଟି ବଡ଼ ନିଷ୍ଠାରସହିତ ପାଳନ କରାଯାଏ । ପୂଜାସ୍ଥଳୀଟିକୁ ଶୁଚି ନିମନ୍ତେ ଗୋବରରେ ଲିପାଯାଏ । ଏହି ପୂଜା ନିମନ୍ତେ ପାଞ୍ଛଟି ରଂଗର ଫୁଲ, ପାଞ୍ଚ ପ୍ରକାରର ଫଳ, ପାଞ୍ଚଟି ଧୂପ, ପାଞ୍ଚଟି ଦୁବ ଏବଂ ପାଞ୍ଚ ଅକ୍ଷତ ଦରକାର ହୁଏ । ଏଥିରେ ବେଲପତ୍ର, ଫୁଲମାଳ ଏବଂ ଖଇମାଳରେ ଠାକୁରଙ୍କୁ ଲାଗି କରାଯାଏ । ପ୍ରଥମ ପାଳିରୁ ଏଥିରେ ଗୋଟେ ନଡ଼ିଆ ବସାଯାଏ । ଶେଷ ପାଳିଦିନ ଏହାକୁ ଭାଙ୍ଗି ଠାକୁରଙ୍କୁ ସମର୍ପଣ କରାଯାଏ । ମଝି ପାଳିଗୁଡ଼ିକରେ ପିଠାପଣା ଭୋଗରାଗ ହୁଏ । ତେବେ ଶେଷ ପାଳିଦିନ ଅନ୍ତତଃ ୫ ପ୍ରକାରର ପିଠାପଣା ନିଶ୍ଚିତ ହୁଏ । ଏହି ବ୍ରତରେ ଦିନଯାକ ଉପବାସ କରି ରାତିରେ ପୂଜାପରେ ଉପାସ ଭଙ୍ଗାଯାଏ ଏବଂ ଭୋଗ ଖିଆଯାଏ ।
ବିଶ୍ୱାସ ଯେ ନିଃସନ୍ତାନୀ ମହିଳା ପ୍ରଥମ ପାଳିରୁ ଗୋଟେ ଶାଢ଼ୀ, ପୂଜା ଘର ଦୁଆରେ ମୁହଁରେ ପକାଇଲେ, ସମସ୍ତଙ୍କ ପବିତ୍ର ପଦସ୍ପର୍ଶ ଯୋଗୁଁ ସେ କୃତାର୍ଥ ହୁଏ ଏବଂ ସନ୍ତାନ ପ୍ରସବା ହୁଏ । ଏହି ଲୁଗାକୁ ପାହାଡା କୁହନ୍ତି ।
ଅନ୍ୟାନ୍ୟ ପୂଜାପରି କୌଣସି ମୂର୍ତ୍ତି ବା ପଟ୍ଟଚିତ୍ର ଏ ପୂଜାରେ ନିଆଯାଏ ନାହିଁ । ଶିଳ ଏବଂ ଶିଳପୁଆ ଏହାର ଦେବଦେବୀ ଅଟନ୍ତି । ପ୍ରଥମେ ଏହି ଶିଳ ଓ ଶିଳପୁଆକୁ ବଟା ଅଁଳା ପାଣି ସହ ଗଙ୍ଗାଜଳରେ ସ୍ନାନ କରଯାଏ । ତା’ ପରେ ହଳଦୀକନା ଓ ସୂତାରେ ଗୁଡାଇ ନାରୀବେଶ କରାଯାଏ; ମଥାରେ ସିନ୍ଦୁର ଏବଂ ଆଖିରେ କଜଳ ଦିଆଯାଏ । ଏବେ ଏହାର କିଛି ପରିବର୍ତ୍ତନ ହେଲାଣି । ଏହି ପରିବର୍ତ୍ତନରେ ଶିଳ-ଶିଳପୁଆ ଉପରେ ମୂର୍ତ୍ତି ତିଆରି କରାଯାଏ, ତା’ ଆଖିକୁ ସୁନା ବା ରୂପାର ଚିତି ମରାଯାଏ ।
ବୁଦ୍ଧିବାମନ ଓଷାପାଇଁ ସ୍ୱତନ୍ତ୍ର ପୁରାଣ ଅଛି । ଏଥିରେ ବୁଦ୍ଧିବାମନଙ୍କର କରାମତି ବର୍ଣ୍ଣିତ ହୋଇଅଛି । ଏହା ପାଞ୍ଚଟି କାହାଣୀକୁ ନେଇ ରଚିତ । କାହାଣୀଗୁଡିକ ହେଲେ: ମଗଧର ସାଧବ ସାଧବାଣୀ, ଯଯାତି ନଗର ଶୁଣ୍ଢି-ଶୁଣ୍ଢିଆଣୀ, ଯାଜପୁରର ବନ୍ଧୁ ମହାନ୍ତି, ଗର୍ଭଶୂନ୍ୟା ବ୍ରାହ୍ମଣୀ ଏବଂ ଆଉଜଣେ ନାରୀ, ଘର ହରିପୁର ।
ସଂକ୍ଷେପରେ ଏହାହିଁ ବୁଦ୍ଧିବାମନ ଓଷାର ପରମ୍ପରା ।
ମା’ ସଦାବେଳେ ସର୍ବସଂହା । ତା’ ତ୍ୟାଗର ପଟାନ୍ତର ନାହିଁ । ମାତୃତ୍ୱ ପାଇଁ ସେ ଯେ କେତେ ଡହଳ ବିକଳ, ସେକଥା ତା’ଛଡା ଆଉ କେହି ବୁଝିପାରିବ ନାହିଁ । ସନ୍ତାନର ମୁଖ ଚାହିଁ ମରିବା ତା’ ପାଇଁ ଯେମିତି ବଡ଼ ଆତ୍ମତୃପ୍ତି । ସେଥିପାଇଁ ସନ୍ତାନ ଓ ତା’ର ଉନ୍ନତି କଳ୍ପେ ତଥା ପରିବାରର ମଙ୍ଗଳାର୍ଥେ ନାରୀର ଏ ପୂଜା: ବୁଦ୍ଧିବାମନ । ଧନ୍ୟ ତୁମେ ମା’; ଧନ୍ୟ ତୁମ ବିଶ୍ୱାସ; ତୁମ ପଦତଳେ କୋଟି ପ୍ରଣାମ ଜଣାଉଛି ମା’ । ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିକାଶ ନଗର, ଜଟଣୀ, ଖୋର୍ଦ୍ଧା
ଦୂରଭାଷ : ୯୯୩୮୩୪୪୧୩୮