ସ୍ୱାଧୀନୋତ୍ତର ପରେ ଧର୍ମଗତ ବିଦ୍ୱେଷ ବୃଦ୍ଧି
ପ୍ରଦୀପ ସେନାପତି
ବିଶ୍ୱ ଜାଣିଲା, ଅଖଣ୍ଡ ଭାରତବର୍ଷ ଛିନ୍ନବିଚ୍ଛିନ୍ନ ହେଲାପରେ ସ୍ୱାଧୀନତା ପାଇଲା । ସାମ୍ପ୍ରଦାୟିକତା ଓ ଧାର୍ମୀକତାକୁ ଆଧାର କରିବାର ଏହା ଥିଲା ବାସ୍ତବ ମୂଳମନ୍ତ୍ର । ବାକି ଯାହାସବୁ ରହିଗଲା ତାହା ବିଚ୍ଛିନ୍ନତାବାଦ ଭାରତବର୍ଷକୁ ପୃଥିବୀର ସର୍ବବୃହତ, ଶକ୍ତିଶାଳୀ, ସାର୍ବଭୌମ, ଧର୍ମନିରପେକ୍ଷ, ସମନ୍ୱୟ, ଗଣତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇବା ମଧ୍ୟ ଥିଲା ଆମର ମୂଳମନ୍ତ୍ର । ତାହା ଆଜି ସମଗ୍ର ବିଶ୍ୱରେ ଏହି ଭାଇଚାରାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କାଳର କରାଳ ଗ୍ରାସରେ ସ୍ୱାଧୀନତା ପ୍ରାପ୍ତିପରେ ଘୃଣ୍ୟ ରାଜନୈତିକ ଚକ୍ରାନ୍ତର ଶିକାର ହୋଇଛନ୍ତି ଆମର ନିରୀହ ଜନସାଧାରଣ, ଯାହା ଅତ୍ୟନ୍ତ ଚିନ୍ତାଜନକ ଅଟେ । ସଂଗ୍ରାମୀମାନଙ୍କର ବର୍ଷ ବର୍ଷ ତପସ୍ୟା, ବହୁ ଦୁଃଖ କଷ୍ଟସାଧ୍ୟ ତ୍ୟାଗ ଫଳରେ ଆଜିର ମହାବଳୀ ହୋଇଥିବା ରାଜନେତାମାନେ ଉପଭୋଗ କରିବା ସଙ୍ଗେ ସଙ୍ଗେ ନିରୀହ ଜନସାଧାରଣମାନଙ୍କୁ ଆଉଥରେ ପରାଧୀନତାର ସ୍ୱାଦ ଦେଖାଇବା ଭଳି ଆଭାସର ଦୃଶ୍ୟ ଏବେ ପ୍ରତୀୟମାନ ହେଉଛି । ଗଣତନ୍ତ୍ରର ମୂଳମନ୍ତ୍ର ଆଜି ନ୍ୟସ୍ତସ୍ୱାର୍ଥ ରାଜନୈତିକ ଚକ୍ରାନ୍ତର ଶିକାର ହୋଇଛି । ଏଠାରେ ଘଟୁଥିବା କେତେକ ପ୍ରାମାଣିକ ଉଦାହରଣସ୍ୱରୂପ ଘଟଣା ସଂକ୍ଷୀପ୍ତରେ ଆଜିର ଏହି ପବିତ୍ର ଦିବସରେ ଆଜିର ଅନୁଚିନ୍ତା ଭାବରେ ଗ୍ରହଣ କରିବା ପାଇଁ ବର୍ଣ୍ଣନା କରାଯାଇପାରେ । ଆଜି ଦେଶରେ ଘୃଣା ଓ ବିଦ୍ୱେଷର ବାତାବରଣ ଦିନକୁ ଦିନ ଅଧିକ ତୀବ୍ର ରୂପ ନେଉଥିବା ଅତ୍ୟନ୍ତ ଉଦ୍ବେଗଜନକ । ଏହାର ଗୋଟିଏ ପରେ ଗୋଟିଏ ଦୃଷ୍ଟାନ୍ତ ଚିନ୍ତା ବଢାଇଛି । କେରଳରେ ଭାରତ ନାଟ୍ୟମ ନର୍ତ୍ତକୀ ମନସିୟା ଭିପିଙ୍କ ସମସ୍ୟା ଚର୍ଚ୍ଚାକୁ ଆସିଛି । ରାଜ୍ୟର ତ୍ରିଶ୍ୱର ଜିଲ୍ଲାରେ ଇରିଞ୍ଜା ଲାକୁଡ଼ସ୍ଥିତ କୁଦାଲା ମାଣିକ୍ୟମ ମନ୍ଦିରରେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ତାଙ୍କୁ ଅନୁମତି ଦିଆଗଲା ନାହିଁ । କାରଣ ସେ ହିନ୍ଦୁ ନୁହଁନ୍ତି ବୋଲି କୁହାଗଲା । ଯଦିଓ ସେ ମୁସଲମାନ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କିନ୍ତୁ ପରେ ସେ ଜଣେ ହିନ୍ଦୁଙ୍କୁ ବିବାହ କରିଛନ୍ତି ଓ ଇସଲାମ ଧର୍ମକୁ ପରିତ୍ୟାଗ କରିଛନ୍ତି । ଏବେ ତାଙ୍କର କୌଣସି ଧର୍ମ ନାହିଁ, ଯାହାକୁ ସେ ନିଜର ବୋଲି କହି ପାରିବେ । ହିନ୍ଦୁ ଧର୍ମରେ ଏକ ସମଧର୍ମୀ ଭାବ ରହିଛି । ଯେଉଁଥିରେ ଜଣେ ନାସ୍ତିକ ମଧ୍ୟ ନିଜ ସ୍ଥାନ ପାଇପାରିବ । ‘ମନସିୟା’ଙ୍କ ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ସମାନ ଅଭିଜ୍ଞତା ହୋଇଥିଲା । ବଡ଼କଥା ହେଲା ଏସବୁ ଘଟଣା କେରଳ ପରି ରାଜ୍ୟରେ ଘଟୁଛି । ଯାହାକୁ ଦେଶର ସର୍ବାଧିକ ଉଦାର ଓ ଶିକ୍ଷିତ ପ୍ରଦେଶ ଭାବେ ଧରାଯାଏ । ଉଲ୍ଲେଖର ବିଷୟ ଯେ, ଯେଉଁ ମନ୍ଦିରରେ ‘ମନସିୟା’ଙ୍କୁ ବାରଣ କରାଗଲା ତା’ର ବୋର୍ଡ଼ ମାର୍କ୍ସବାଦୀମାନଙ୍କ ଦ୍ୱାରା ପରିଚାଳିତ ଓ ସେମାନଙ୍କ ଦଳ ଏବେ ରାଜ୍ୟରେ ଶାସନରେ ରହିଛି । ଆଗରୁ ‘ମନସିୟା’ଙ୍କୁ ମୁସଲମାନ ଧର୍ମଯାଜକମାନେ ଏକ ଘରକିଆ କରିଥିଲେ । କାରଣ ହେଲା ସେ ଭାରତ ନାଟ୍ୟମ ନୃତ୍ୟ ଶିକ୍ଷା ପାଇଁ ନିଷ୍ପତ୍ତି ନେଇଥିଲେ । ଯାହାକୁ ଏକ ହିନ୍ଦୁ ନୃତ୍ୟ ପଦ୍ଧତି ବୋଲି ବିଚାର କରାଯାଏ । ମୋଟାମୋଟି ଭାବେ ଦେଖିବାକୁ ଗଲେ ମନସିୟା ଜଣେ ନର୍ତ୍ତକୀ ହେବାରୁ ଓ ନିଜ ପସନ୍ଦର ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ବିବାହ କରିବାରୁ ଉଭୟ ହିନ୍ଦୁ ଓ ମୁସଲମାନ ଧର୍ମ ପାଖରେ ସେ ପ୍ରତ୍ୟାଖ୍ୟାନ ହୋଇଛନ୍ତି । ଯଦିଓ ତାଙ୍କର ଆଚରଣ ବିରୋଧରେ କୌଣସି ଶାସ୍ତ୍ରଗତ କଟକଣା ନାହିଁ ତଥାପି ତାଙ୍କୁ ଏକ ମନ୍ଦିର ପରିସରରେ ନୃତ୍ୟ ପରିବେଷଣ କରିବାକୁ ନିବୃତ୍ତ କରାଯାଇଛି ।
ପଡ଼ୋଶୀ କର୍ଣ୍ଣାଟକରେ ମୁସଲମାନ ବ୍ୟବସାୟୀ ମାନଙ୍କୁ ମନ୍ଦିର ଉତ୍ସବ ଗୁଡ଼ିକରେ ଭାଗ ନେବାକୁ ବାରଣ କରାଯାଇଥିବା ଘଟଣା ସେଠାରେ ହିଜାବ ବିବାଦ ପରେ ଆଉ ଏକ ସାମ୍ପ୍ରଦାୟିକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କର୍ଣ୍ଣାଟକରେ କେତେକ ମୌଳବାଦୀ ହିନ୍ଦୁ ସଂଗଠନଙ୍କର ଆହ୍ୱାନରେ ତାହା ଘଟିଛି । ମନ୍ଦିର ମସଜିଦ ଓ ଗୀର୍ଜା ଉତ୍ସବ ଗୁଡ଼ିକ ସବୁବେଳେ ସମାଜର ସବୁଶ୍ରେଣୀକୁ ଆକର୍ଷିତ କରିଥାଏ । ଅଧିକାଂଶ ସମୟରେ ବ୍ୟତିକ୍ରମ ହିଁ ନୂତନତ୍ୱ ଯାହା ସୁନ୍ଦରତାର ପରିପ୍ରକାଶ । ସମାଜରେ ଅନେକ ନୂଆ କଥା ଦେଖା ଦେଇଥାଏ ଯାହାର ରୁଟିନ ଠାରୁ ଭିନ୍ନ ଏବଂ ତାହା ସାମୂହିକ ଆକର୍ଷଣର କାରଣ । ଜାତୀୟ ଧର୍ମ କ୍ଷେତ୍ରରେ ସେହି ଯୁକ୍ତି ପ୍ରଯୁଜ୍ୟ । ଯଦିଓ ସେମାନଙ୍କ ମଧ୍ୟରେ ବିଦ୍ୱେଷ ସୃଷ୍ଟିକାରୀ ତିକ୍ତତାକୁ ଉସୁକାଇଥା’ନ୍ତି । ଓଡ଼ିଶା ପରି ରାଜ୍ୟରେ ସଂଖ୍ୟାଲଘୁ କମ୍ ହୋଇଥିଲେ ହେଁ ସେଠାରେ ଗୋଟିଏ ଧର୍ମର ଉତ୍ସବରେ ଅନ୍ୟ ଧର୍ମାବଲମ୍ବୀମାନେ ସହଯୋଗ କରିଥାନ୍ତି । କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶରେ ମନ୍ଦିରକୁ ଭୋଗ ନେଇ ଯାଇଥିବା ହିନ୍ଦୁ ଭକ୍ତମାନେ ଯେଉଁ ଦୋକାନୀ ଠାରୁ ଫଳ କିଣନ୍ତି ତା’ର ଧାର୍ମିକ ପରିଚୟ ସେମାନେ ପଚାରିଥା’ନ୍ତି । ଅର୍ଥାତ୍ ମୁସଲମାନ ଫଳ ଦୋକାନୀଙ୍କ ଠାରୁ ହିନ୍ଦୁ ଭକ୍ତମାନେ ଫଳ କିଣି ମନ୍ଦିରକୁ ଯାଆନ୍ତି । ଭାରତ ଯେହେତୁ ଏକ ପ୍ରାଚୀନ ସଭ୍ୟତା, ଏଠାରେ ସମସ୍ତ ଧାର୍ମୀକ କାର୍ଯ୍ୟକ୍ରମ ବ୍ୟବସାୟୀକ ସୁଯୋଗ ସୃଷ୍ଟି କରିଥାଏ । ଯାନିଯାତ୍ରା ବା ମେଳାରେ ବ୍ୟବସାୟ କରୁଥିବା ବିଭିନ୍ନ ଧର୍ମ ଓ ଜାତିର ଲୋକେ ନିଜ ସାମଗ୍ରୀକୁ ବିକନ୍ତି । ଏଥିରେ ଗୁଡ଼ିଏ ଦୋକାନ ବା ଷ୍ଟଲ ଖୋଲିଥାଏ । ସେଥିପାଇଁ ଦୋକାନୀମାନେ ଫିସ୍ ମଧ୍ୟ ଦିଅନ୍ତି । ଏହା ମୋଟାମୋଟି ଭାବେ ଅର୍ଥନୀତିକୁ ସାହାଯ୍ୟ କରେ । ଏ କ୍ଷେତ୍ରରେ କେହି ଦୋକାନୀର ଧର୍ମ ବା ସମ୍ପ୍ରଦାୟକୁ ପଚାରନ୍ତି ନାହିଁ । କିନ୍ତୁ କର୍ଣ୍ଣାଟକରେ ଏବେକାର ବିବାଦରେ ରାଜ୍ୟର ବିଜେପି ସରକାର କୌଣସି ଭୂମିକା ଗ୍ରହଣ ନ କରିବା ବିସ୍ମୟର ବିଷୟ । ପୁଣି ଯୁକ୍ତି ହେଉଛି ଯେ ସେଠାରେ କଂଗ୍ରେସ ସରକାର ବେଳେ ଅନୁରୂପ ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା । ଦୁଇଟି ଭୁଲ୍କୁ ମିଶାଇ ତାକୁ ଗୋଟିଏ ଠିକ୍ ବୋଲି ଗ୍ରହଣ କରାଯାଇ ପାରିବ ନାହିଁ । ଆଶ୍ୱସ୍ତିର ବିଷୟ ରାଜ୍ୟରେ ଦୁଇଜଣ ବିଜେପି ବିଧାୟକ ମୁସଲମାନ ବ୍ୟବସାୟୀଙ୍କୁ ବାଦ୍ ଦିଆଯିବା ଦାବିକୁ ବିରୋଧ କରିଛନ୍ତି । ଏବେ ସ୍ୱାଧୀନତା ପରେ ଗଣତନ୍ତ୍ରରେ ଲୋକେ ଯେ ନିଜର ଶାସକଙ୍କୁ ବାଛିବାର ଅଧିକାର ରହିଛି ସେତିକି ନୁହେଁ ସେମାନେ ନିଜ ପସନ୍ଦର ଦୋକାନରୁ ଜିନିଷ କିଣିପାରିବେ । ଦୋକାନୀ ବା ଖର୍ଦ୍ଦି ଦ୍ରବ୍ୟ ପସନ୍ଦ ଉପରେ ଅଙ୍କୁଶ ଲଗାଇବାର ଅଧିକାର କାହାରି ନାହିଁ । ଭାରତ ପୃଥିବୀର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଯେଉଁଠାରେ ଧର୍ମନିରପେକ୍ଷତାକୁ ଆଧାର ଭାବରେ ଗ୍ରହଣ କରାଯାଇଛି । ଗଣତନ୍ତ୍ରର ବିଶେଷତ୍ୱ ହେଲା ବିବିଧତା । ସେହି ମୂଳ ନୀତି ଉପରେ କୁଠାରଘାତର ପ୍ରତ୍ୟେକ ଉଦ୍ୟମ ନିନ୍ଦନୀୟ । କର୍ଣ୍ଣାଟକରେ ଜଣେ ବିଧାୟକ ଯଥାର୍ଥରେ ପ୍ରଶ୍ନ କରିଛନ୍ତି ଯେ, କେତେକ ମୁସଲମାନ ଦେଶରେ ଯଦି କେବଳ ଗୋଟିଏ ସମ୍ପ୍ରଦାୟର ଲୋକଙ୍କୁ ବ୍ୟବସାୟ କରିବାକୁ ଦିଆଯିବ ତେବେ କ’ଣ ହେବ । ଗଲ୍ଫ ରାଷ୍ଟ୍ର ଗୁଡ଼ିକ ପାଇଁ ଏହି ପ୍ରଶ୍ନ ଉଠାଯାଇପାରେ । କରୋନା ବେଳେ ଯେତେବେଳେ ହଜାର ହଜାର ଲୋକ ଚିକିତ୍ସା ସୁବିଧା ପାଇନଥିଲେ ଏପରିକି ସେଥିରେ ମୃତକଙ୍କ ଶରୀରକୁ ଆତ୍ମୀୟମାନେ ଛୁଇଁ ନଥିଲେ ସେହି ସମୟରେ ଗୁଜୁରାଟରେ ଜଣେ ମୁସଲମାନ ଅବଦୁଲ ରହମାନ ମାଲବାରୀ ଜାତିଧର୍ମ ନିର୍ବିଶେଷରେ ଅନେକ ମୃତକଙ୍କର ଶବ ସଂସ୍କାର କରିଥିଲେ । କାହାର ଶବକୁ ପୋଡ଼ା ଯାଇଥିଲା ତ କାହାକୁ କବର ଦିଆଯାଇଥିଲା । କିନ୍ତୁ ସବୁ କ୍ଷେତ୍ରରେ ମୃତ ବ୍ୟକ୍ତିମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ସେତେବେଳେ କେହି ପଚାରିଲେ ନାହିଁ ଯେ କିପରି ଜଣେ ମୁସଲମାନ ହିନ୍ଦୁ ଶବର ସଂସ୍କାର କରୁଛନ୍ତି । ସେହିପରି ଦିଲ୍ଲୀରେ ଶେର ସିଂ ନାମକ ଜଣେ ବ୍ୟକ୍ତି ଜାଦିର କବର ସ୍ଥାନରେ ବହୁ ଶବକୁ ପୋତିବାରେ ସାହାଯ୍ୟ କରିଥିଲେ । ଯଦି ମୃତ୍ୟୁ ହିନ୍ଦୁ ଓ ମୁସଲମାନ ମାନଙ୍କୁ ଏକାଠି କରିପାରୁଛି, ତେବେ ଜୀବନ କାହିଁକି ସେହି ବିଶେଷତ୍ୱକୁ ସାବ୍ୟସ୍ତ କରିବ ନାହିଁ । ବିଂଶ ଶତାବ୍ଦୀର ପ୍ରାରମ୍ଭରେ କେରଳର ସବରୀମାଳା ମନ୍ଦିର ପୋଡ଼ିଗଲା ପରେ ଜଣେ ଖ୍ରୀଷ୍ଟିୟାନ କଣ୍ଟ୍ରାକ୍ଟର ତା’ର ପୁନରୁଦ୍ଧାର କରିଥିଲେ । ସେହି ମନ୍ଦିରକୁ ଯିବା ପୂର୍ବରୁ ଭକ୍ତଙ୍କୁ ପ୍ରଥମେ ତିରୁମାଲିରେ ଏକ ମସଜିଦକୁ ଯିବାକୁ ପଡ଼େ ଯେଉଁଥିରେ କେହି କିଛି ଅସୁବିଧା ଦେଖନ୍ତି ନାହିଁ । ଦୁଃଖର ବିଷୟ ଯେ ସମ୍ପ୍ରତି ଦେଶରେ ଧର୍ମଭିତ୍ତିରେ ବିଭେଦ ବଢାଇବାକୁ ଯେଉଁ ଉଦ୍ୟମ ହେଉଛି ତାକୁ ବନ୍ଦ କରିବା ପାଇଁ ଆଜିର ପବିତ୍ର ଦିବସର ଅନୁଚିନ୍ତା ଜରୁରୀ । ନଚେତ ସ୍ୱାଧୀନତାର ଭବିଷ୍ୟତ ଗଣତନ୍ତ୍ରକୁ ଦୁର୍ବଳ ଆଡ଼କୁ ଗତି କରିବ ।
ଲେଖକ ଜଣେ କଠୋରପନ୍ଥୀ ଦେଶଭକ୍ତ
ସାମନ୍ତରାପୁର, ପୁରୁଣା ଭୁବନେଶ୍ୱର-୨
ମୋ : ୭୮୪୮୮୯୮୪୫୬


