ଜନ୍ମାଷ୍ଟମୀକୁ ନେଇ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମରେ ପ୍ରସ୍ତୁତି ଜୋରଦାର୍

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆସନ୍ତାକାଲି ପବିତ୍ର ଜନ୍ମାଷ୍ଟମୀ, ଏହି ତିଥିରେ ପାଳନ ହେଉଛି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷୀକି । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜଲେଶପଟ୍ଟା ଆଶ୍ରମରେ ଚାଲିଛି ଜୋରଦାର୍ ପ୍ରସ୍ତୁତି । ଏଥିରେ ବହୁ ସନ୍ଥ ଓ ଶତାଧିକ ସ୍ବାମୀଜୀଙ୍କ ଶ୍ରଦ୍ଧାଳୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବାବେଳେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ସହଯୋଗୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିଥିଲେ କିଛି ଆତତାୟୀ । ଏହାପରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ସାରା ଜିଲ୍ଲାରେ । ସ୍ବାମୀଜୀଙ୍କ ହତ୍ୟା ଘଟଣାକୁ ପୁରିଛି ୧୪ ବର୍ଷ । ଆଜି ଜଲେଶପଟ୍ଟା ଆଶ୍ରମ ମୁଖ୍ୟ ସ୍ବାମୀ ଜୀବନ ଯୁକ୍ତାନନ୍ଦ ପୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ତେବାସୀ ଅତିଥିମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ଉତ୍ସବ ପାଳନ ପାଇଁ ଜଲେଶପଟ୍ଟା ଆଶ୍ରମ ପରିସରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆସନ୍ତାକାଲି ସକାଳୁ କଳସ ଯାତ୍ରା,ନାମ ସଂକିର୍ତ୍ତନ ହେବାସହ ସୂର୍ଯ୍ୟ ପୂଜା, ଗୋ ପୂଜା, ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଜନ୍ମାଷ୍ଟମୀ ପାଳନ କରାଯିବ । ସ୍ବାମୀଜୀଙ୍କୁ ସ୍ମରଣକରି ଆମେ ଆଜିବି ତାଙ୍କ ଚଲାପଥରେ ଚାଲିଛୁ ବୋଲି କହିଛନ୍ତି ଆଶ୍ରମ ମୁଖ୍ୟ। ଅନ୍ୟପଟେ ଏହି ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରଶାସନ ପକ୍ଷରୁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକା କରାଯାଇ ଗାଡ଼ି ମୋଟର ଯାଞ୍ଚ୍ କରୁଛି ଜିଲ୍ଲା ପୋଲିସ । ତୁମୁଡିବନ୍ଧର ଜଲେଶପଟ୍ଟାରେ ଜଣେ ଡିଏସପି,ତିନିଜଣ କମାଣ୍ଡାଣ୍ଟ, ୯ଜଣ ଅଫିସର୍,୧ ପ୍ଲାଟୁନ୍ ପୋଲିସ୍ ଫୋର୍ସଙ୍କ ସମେତ ସ୍ଥାନୀୟ ପୋଲିସ୍ ମୁତୟନ ଅଛନ୍ତି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ ସମସ୍ତ ସ୍ଥିତି ଉପରେ କଡ଼ାନଜର ରଖିଥିବା ବେଳେ ବାଲିଗୁଡ଼ା ଅଞ୍ଚଳରେ ମଧ୍ୟ ଏସଡିପିଓ ଜି.ଆର୍.ରେଡ୍ଡୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାସହ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ