ଅଗଷ୍ଟ ୨୫ରେ ସୃଜନିକା ମହୋତ୍ସବ-୨୦୨୨
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଏଥିସହିତ ସହବନ୍ଧିତ ସମସ୍ତ ମହାବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନରତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗଠିତ ଓଡ଼ିଶା କଳାକାର ମଞ୍ଚ ତରଫରୁ ସୃଜନିକା ମହୋତ୍ସବ-୨୦୨୨ ଆସନ୍ତା ଅଗଷ୍ଟ ୨୫ ତାରିଖରେ ରବୀନ୍ଦ୍ର ମଣ୍ଡପ, ଭୁବନେଶ୍ୱରଠାରେ ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ଅନୁଷ୍ଠିତ ହେବ । ଓଡ଼ିଶାରେ ପ୍ରଥମଥର ସମୂହ କଳାକାରମାନଙ୍କ ସ୍ୱାର୍ଥ ଉଦ୍ଦେଶ୍ୟରେ ଏକ ଓଡ଼ିଆ ଆଲବମ୍ ବଲିଉଡ୍ ଜଗତର ୫ ଜଣ ସୁନାମଧନ୍ୟ ଗାୟକ ଗାୟିକା ସୋନୁ ନିଗମ, ହରିହରନ, ସୁରେଶ ୱାଡ଼େକର, ବେଲା ସିନ୍ଧେ, ବିଜୟ ପ୍ରକାଶଙ୍କ କଣ୍ଠରୁ ମୁମ୍ବାଇରେ ସଙ୍ଗୀତ ରେକର୍ଡ଼ କରାଯାଇଛି । ସୃଜନିକା ସନ୍ଧ୍ୟାରେ ଏହି ଖ୍ୟାତନାମା ଆଲବମ୍ ଉନ୍ମୋଚନ କରାଯିବା ସହ ସେହି ଟ୍ରାକ୍ ଗୁଡ଼ିକରେ ଆମ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯଥା ସୌରଭ ନାୟକ, ରତିକାନ୍ତ ଶତପଥୀ, ରୂପକ ପରିଡ଼ା ଓ ଅନ୍ୟମାନେ ଗାୟନ କରିବେ । ବିଶେଷଭାବରେ ସମସ୍ତ ସଙ୍ଗୀତ ଗୁଡ଼ିକର ନିର୍ଦ୍ଦେଶନା ଦେଇଛନ୍ତି ଅନିଲ୍ କୁମାର ମହାପାତ୍ର । ଅନ୍ୟ ପାଶ୍ୱର୍ରେ ସୃଜନିକା ସମ୍ମାନ-୨୦୨୨ ପଦ୍ମଶ୍ରୀ ଅରୁଣା ମହାନ୍ତି, ପଣ୍ଡିତ ଉମେଶ ଚନ୍ଦ୍ର କର, ପ୍ରଫେସର ଗୁରୁ ରାମହରି ଦାସ, ଡଃ ଗୁରୁ ବିଜୟ କୁମାର ଜେନା, ପ୍ରଫେସର ଡଃ ବ୍ୟୋମକେଶ ତ୍ରିପାଠୀ, ରାଜକିଶୋର ଦାସ, ଗୁରୁ ଧନେଶ୍ୱର ସ୍ୱାଇଁ, ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ମଲ୍ଲିକ, ବିଜୟ ମଲ୍ଲ, ଜ୍ୟୋତିରଞ୍ଜନ ମହାପାତ୍ର, ଅଭିରାମ ନନ୍ଦ ପ୍ରମୁଖ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ପ୍ରଦାନ କରାଯିବ । ସନ୍ଧ୍ୟାରେ ଓଡ଼ିଶା କଳାକାର ମଞ୍ଚ ତରଫରୁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ବୃନ୍ଦଗାୟନ, ଓଡ଼ିଶୀ ନୃତ୍ୟ ଫ୍ୟୁଜନ, ନାଟକ (ଅଭିନେତ୍ରୀ) ପରିବେଷଣ ହେବା ସହ ସୁଦୂର ସମ୍ବଲପୁରରୁ ଆସିଥିବା ଓଡ଼ିଶା କଳା ଶିକ୍ଷକ ସଂଘର କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିବେ ବୋଲି ଏକ ପ୍ରେସ୍ ଇସ୍ତାହାରରେ ଓଡ଼ିଶା କଳାକାର ମଞ୍ଚର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ ଜଣାଇଛନ୍ତି ।