ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡାଦେଶ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲାଦୈାରାଜଜଙ୍କ କୋର୍ଟ ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ବର୍ଷ ଜେଲଦଣ୍ଡାଦେଶରେ ଦଣ୍ଡିତ କରିଥିବା ଜଣାପଡିଛି । କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲାଦୈାରାଜଜ ତ୍ରିବିକ୍ରମ କେଶରୀ ଚିନାରା ଏକ ୧୨ବର୍ଷରୁ କମ ବୟସର ନାବାଳିକାଙ୍କୁ ଅସଦାଚରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜାଗୁଳେଇପଡା ଗ୍ରାମର ଜଗନ୍ନାଥ ବେହେରାଙ୍କ ପୁଅ ଅଭିଯୁକ୍ତ ଦିଲ୍ଲିପ କୁମାର ବେହେରା ଓରଫ ଦିଲିଆକୁ ୨୦ବର୍ଷ ଜେଲଦଣ୍ଡ ସମେତ ୨୦ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ୨୦୧୮ମସିହା ଜୁଲାଇମାସ ୧୯ତାରିଖ ସନ୍ଧ୍ୟାରେ ପିଡିତା ନାବାଳିକା ତା’ର ମାଉସୀ ଓ ସମ୍ପର୍କୀୟ ଜଣେ ଭାଇ ଏବଂ ଭଉଣୀ ସହିତ ଇଛାପୁରସ୍ଥିତ ଶ୍ରୀବଳଦେବଜୀୟୁଙ୍କ ମାଉସୀ ମା’ ମନ୍ଦିର ନିକଟକୁ ରଥଯାତ୍ରା ଦେଖିବାକୁ ଆସିଥିଲା । ପିଡିତାଙ୍କ ମାଉସୀ ମନ୍ଦିରରେ ଶ୍ରୀଜୀୟୁଙ୍କୁ ଦର୍ଶନ କରିବା ପରେ ମନ୍ଦିର ସମ୍ମୁଖରେ ଭଜନ ସମାରୋହ ଦେଖୁଥିବା ବେଳେ ପିଡିତା ଏବଂ ତାଙ୍କର ସମ୍ପର୍କୀୟ ଭାଇ ଓ ଭଉଣୀ ୨ଜଣଙ୍କ ସହିତ ଶ୍ରୀଜୀଉଙ୍କ ରଥ ନିକଟରେ ଖେଳୁଥିଲେ । ଠିକ ସେହି ସମୟରେ ଅଭିଯୁକ୍ତ ଜଣଙ୍କ ସେଠାରେ ପହଞ୍ଚି ପିଡିତା ନାବାଳିକା ଜଣଙ୍କୁ ତାଙ୍କ ନାମ ଓ ଗ୍ରାମର ନାମ ପଚାରିଥିଲେ । ଏଥିସହିତ ପିଡିତା ନାବାଳିକା ଜଣଙ୍କୁ ସେହି ରଥ ତଳେ ଥିବା ଏକ ଅନ୍ଧାର ସ୍ଥାନକୁ ନେଇଯାଇ ତାଙ୍କୁ ଅସଦ ବ୍ୟବହାର କରିବା ସହ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ତାହାର ବିରୋଧ କରିବା ସହ କାନ୍ଦିଥିଲେ । ପରେ ସଂପୃକ୍ତ ନାବାଳିକା ଜଣଙ୍କ ମାଉସୀଙ୍କ ନିକଟକୁ ଯାଇ ଏସମ୍ପର୍କରେ ତାଙ୍କ ମାଉସୀଙ୍କ ଆଗରେ ସମସ୍ତ ବିଷୟ କହିଥିଲେ । ପିଡିତାଙ୍କ ମାଉସୀ ରଥ ନିକଟରେ ଦାୟୀତ୍ୱରେ ଥିବା ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପିଡିତା ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିବା ବେଳେ ତାଙ୍କ ମାଉସୀଙ୍କ ଅଭିଯୋଗ କ୍ରମେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ଅଭିଯୁକ୍ତ ଜଣଙ୍କୁ ଆଣି ଥାନାରେ ଅଟକ ରଖିଥିଲେ । ପରେ ଏକ ଅସଦାଚରଣ ଓ ଦୁଷ୍କର୍ମ ମାମଲା ଥାନାରେ ଦାୟର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହି ଘଟଣାର ବିଚାର କରି କେନ୍ଦ୍ରାପଡା ଫାଷ୍ଟଟ୍ରାକ୍ ଆଡହକ ଅତିରିକ୍ତ ଜିଲ୍ଲାଦୈାରାଜଜ ତ୍ରିବିକ୍ରମ କେଶରୀ ଚିନାରା ଅଭିଯୁକ୍ତ ଦିଲ୍ଲିପ କୁମାର ବେହେରାଙ୍କୁ ଆଇପିସିର ୩୫୪ଦଫାରେ ୫ବର୍ଷ ଜେଲଦଣ୍ଡ ସହିତ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ । ସେହିପରି ୩୫୪-(କ)ଦଫାରେ ୩ବର୍ଷ ଜେଲଦଣ୍ଡ ସହିତ ୩ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଥିବା ବେଳେ ଜୋରିମାନା ଅନାଦେୟ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡିବ । ୩୭୬-(କଖ)ଦଫାରେ ୨୦ବର୍ଷ ଜେଲଦଣ୍ଡ ସହିତ ୨୦ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିବା ସହ ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟଙ୍କ ରାୟରେ ଉଲ୍ଲେଖ ରହିଛି । ଏହି ଦଣ୍ଡଗୁଡିକ କ୍ରମାନ୍ୱୟରେ ଲାଗୁହେବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ମନୋଜ କୁମାର ସାହୁ କୋର୍ଟରେ ମାମଲା ପରିଚାଳନା କରୁଥିଲେ ।