ଗଞ୍ଜାମ, ଗଜପତି ଓ କନ୍ଧମାଲ ଜିଲ୍ଲାର ଗୃହ ଓ ସହର ଉନ୍ନୟନ ବିଭାଗୀୟ କ୍ଲଷ୍ଟର ସ୍ତରୀୟ ସମୀକ୍ଷା

ଛତ୍ରପୁର, (ଦେବଦତ୍ତ ମହାରଣା) : ଜିଲ୍ଲା ପରପିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ଗୃହ ଓ ନଗର ଉନ୍ନୟନ ବିଭାଗୀୟ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ତରଫରୁ ଆୟୋଜିତ ଏହି ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଜି ମାଥି ଭାଥାନନ୍ ନିଜ ବକ୍ତବ୍ୟରେ ଜଣାଇଥିଲେ ସହରାଞ୍ଚଳ ବିକାଶ କ୍ଷେତ୍ରରେ ପୂର୍ବରୁ ଯେଉଁ ସ୍ଥିତି ରହିଥିଲା ସେଥିରେ ଅନେକ ପରିବର୍ତ୍ତନ ଆସିଛି । ଗତ ୨୦୧୫-୧୬ ମସିହା ବେଳକୁ ଜଳ ଯୋଗାଣ କ୍ଷେତ୍ରରେ ଏକ ଆହ୍ବାନ ଥିଲା, ଏଥି ସକାଶେ ବିଧାନ ସଭାରେ ହଟଗୋଳ ହେଉଥିଲା, ଅନେକ ମାମଲା କୋର୍ଟରେ ବିଚାର ହେଉଥିଲା ଏଭଳି ଅନେକ ସମସ୍ୟା ମଧ୍ୟରେ ଜନ ସାଧାରଣ ଜଳ ନପାଇ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ । ସମ୍ପ୍ରତି ଜଳ ଯୋଗାଣ କ୍ଷେତ୍ରରେ ଅନେକ ସୁଧାର ଆସିଛି । ଫାଇଭ୍-ଟି ଅନ୍ତର୍ଗତ କାର୍ଯ୍ୟଧାରାରେ ସହରାଞ୍ଚଳର ପ୍ରତ୍ୟେକ ଗୃହକୁ ଶତ ପ୍ରତିଶତ ଜଳ ଯୋଗାଣ ସକାଶେ ପାଇପ୍ ସଂଯୋଗ ହୋଇ ଯଥେଷ୍ଟ ପରିମାଣରେ ସ୍ବଚ୍ଛ ଜଳ ଯୋଗାଇ ଦିଆଯାଇ ପାରୁଛି । ସହରର ଉପାନ୍ତ ଅଞ୍ଚଳରେ ରହୁଥିବା ପରିବାର ବର୍ଗ ଯଦି ସଠିକ୍ ସ୍ବଚ୍ଛ ଜଳ ପର୍ଯ୍ୟାପ୍ତ ପରିମାଣରେ ବିନା ଦ୍ବିଧାରେ ପାଇପାରୁଛି ସେତେବେଳେ ଯାଇ ଏହି ଯୋଜନାର ସଫଳତା ହୋଇ ପାରିଲା ବୋଲି ଆମେ ମାନେ ହୃଦବୋଧ କରିବା । ବର୍ତ୍ତମାନ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ ଗୃହକୁ ଶତ ପ୍ରତିଶତ ପାଇପ୍ ଖଞ୍ଜାଯାଇ ଜଳ ଯୋଗାଣ ହୋଇ ପାରୁଛି । ବର୍ତ୍ତମାନ ସ୍ଥିତିରେ ଏହାର ସଠିକ୍ ପରିଚାଳନା ନିମନ୍ତେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ପ୍ରତ୍ୟେକ ଘରକୁ ନିୟମିତ ଦୁଇ ଘଣ୍ଟା ଲେଖାଏଁ ସ୍ଥିର କରାଯାଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ ଜଳ ଯୋଗାଣ ହେବା ଆବଶ୍ୟକ । ତେବେ ଲୋକେ ସଚେତନ ହେବେ ସେହି ନିର୍ଦ୍ଧାରୀତ ସମୟରେ ଜଳ ସକାଶେ ନିଜ ଘରେ ରହିଥିବା ଟ୍ୟାପ୍ ଖୋଲି ଜଳ ସଂଗ୍ରହ କରିବେ ଏବଂ ଟ୍ୟାପ ବନ୍ଦ କରିବେ । ଯଦ୍ବାରା ଜଳ ପରିଚାଳନା ଦିଗରେ ଶୃଙ୍ଖଳା ରହିବ । ସମସ୍ତ ପରିଚାଳନା କାର୍ଯ୍ୟ ମିଶନ୍ ଶକ୍ତି ଦ୍ବାରା କରାଯିବ । ଓ୍ବାଟକୋ ଏବଂ ଜନ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ସହରାଞ୍ଚଳର ସମସ୍ତ ଘରକୁ ପାଇପ୍ ସଂଯୋଗ ହୋଇଛି । ଜଳ ଯୋଗାଣ ସକାଶେ ସରକାରଙ୍କ ଠାରୁ ଆସିଥିବା ଅନୁଦାନ କେବଳ ଜଳ ଯୋଗାଣ ସକାଶେ ସେବା ଯୋଗାଉଥିବା ସଂସ୍ଥା ଓ୍ବାଟକୋ ଏବଂ ପିଏଚ୍ଇଡି ଙ୍କୁ ପ୍ରଦାନ କରିବାକୁ ସମସ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କାର୍ଯ୍ୟକାରୀ ହେଉଥିବା ମଳ ଉପଚାର ପ୍ଲାଣ୍ଟର ଏବଂ ଏହା ଦ୍ବାରା ପରିମଳ ବ୍ୟବସ୍ଥାର ସୁଧାରିକରଣ ଦିଗରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ଶୌଚାଳୟ ବ୍ୟବହାର ସକାଶେ କୌଣସି ଅର୍ଥ ଆଦାୟ କରାଯିବ ନାହିଁ ଏଥି ସକାଶେ ଗତ ଦୁଇ ବର୍ଷ ତଳୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାକୁ ଅନୁପାଳନ କରିବାକୁ କୁହାଯାଇଛି । ଗରିମାରେ ମଳ ପରିମଳ ପରିଚାଳନା କର୍ମଚାରୀ ମାନଙ୍କ ନିରାପତ୍ତା ଏବଂ ସମ୍ମାନ ସକାଶେ ସମସ୍ତଙ୍କର କର୍ତ୍ତବ୍ୟ ରହିଛି । ସେମାନେ ଯୋଗାଉଥିବା ସେବା ଯୋଗୁଁ ଆମ ସହରର ପରିମଳ ବ୍ୟବସ୍ଥା ସୁଦୃଢ ହୋଇ ପାରୁଛି ଏବଂ ଏକ ସ୍ବଚ୍ଛ ସୁନ୍ଦର ପରିବେଶରେ ଆମେ ମାନେ ବଞ୍ଚିଛେ । ସେମାନେ ବି ମଣିଷ । ଏଥି ସକାଶେ କର୍ମଚାରୀ ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ରହିଛି । ରାସ୍ତା ପାର୍ଶ୍ବରେ ମଇଳା ଆବର୍ଜନା ଯେପରି ରହିବ ନାହିଁ ଏଥି ସକାଶେ ସଠିକ ପରିଚାଳନା କରିବାକୁ କୁହାଯାଇଛି । ପ୍ରତ୍ୟେକ ଗୃହରୁ ମଇଳା ଆବର୍ଜନା ସଂଗ୍ରହ ପ୍ରକ୍ରିୟାର ସଠିକ ପରିଚାଳନା ହୋଇ ପାରିଲେ ରାସ୍ତାରେ ମଇଳା ପଡିବ ନାହିଁ, ଏଣୁ ତାହାର ସଠିକ ପରିଚାଳନା କ୍ଷେତ୍ରରେ ପଦକ୍ଷେପ ଜାରି ରଖିବାକୁ କୁହାଯାଇଛି । ପରିମଳ ବ୍ୟବସ୍ଥାର ସୁପରିଚାଳନା ଓ ମୋ ଖତ କାର୍ଯ୍ୟକୁ ବ୍ୟାପକ କରିବାକୁ କୁହାଯାଇଛି । ସମାଜରେ ରହୁଥିବା ତୃତୀୟ ଲିଙ୍ଗ ବ୍ୟକ୍ତି ମାନଙ୍କୁ ସହରୀ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କୁ ସ୍ବାବଲମ୍ବୀ କରିବାକୁ କୁହାଯାଇଛି । ଆଇ.ଟି.ଆଇ. ରେ ତାଲିମ୍ ନେଉଥିବା ଛାତ୍ର ମାନଙ୍କୁ ବିଭିନ୍ନ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ସେମାନଙ୍କ ସେବା ନେବାକୁ କୁହାଯାଇଛି । ସଫେଇ କାର୍ଯ୍ୟ ସକାଶେ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷ ଆମ ମାନଙ୍କ ପାଇଁ ଗର୍ବ ଓ ଗୌରବ । ଏଣୁ ସେମନାନଙ୍କୁ ପ୍ରୋତ୍ସାହନ ଦେବା ସକାଶେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ କୁହାଯାଇଛି । ଜାଗା ମିଶନ୍ ଦ୍ବାରା ସମସ୍ତ ପରିବାର ସକାଶେ ବ୍ୟକ୍ତିଗତ ଗୃହ, ସେମାନେ ରହୁଥିବା ସ୍ଥାନରେ ଶୌଚାଳୟ ବ୍ୟବସ୍ଥା ଯୋଗାଇ ପ୍ରତ୍ୟେକ ପରିବାରଙ୍କୁ ଗୋଟିଏ ଗୋଟିଏ ଶୌଚାଳୟ ପ୍ରଦାନ, ଆଲୋକୀ କରଣ, ଆହାର ଯୋଜନା, ମୁକ୍ତା ଯୋଜନା, ସହରାଞ୍ଚଳ ଏଲ୍.ଇ.ଡି., ଷ୍ଟ୍ରିଟ୍ ଲାଇଟ୍ ଇତ୍ୟାଦି ବିଷୟ ସମ୍ପର୍କିତ ସୁବିସ୍ତୃତ ଆଲୋଚନା ହୋଇଯାଇଛି । ମୁକ୍ତା ଯୋଜନା ମୁଖ୍ୟମନ୍ତ୍ରୀଙ୍କ ତତ୍ପର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ । ପୌରାଞ୍ଚଳ ପ୍ରଶାସକ ଏବଂ ଜାଗା ମିଶନର ମିଶନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ସମସ୍ତ ଯୋଜନାର ସମୀକ୍ଷା କରିଥିଲେ । ପ୍ରଦାନ କରାଯାଉଥିବା ଅନୁଦାନ ଗୁଡିକ ସଠିକ ବିନିଯୋଗ କରିବାକୁ ପରାମର୍ଶ ଦେଇ ବିନିଯୋଗ ପତ୍ର ଅବିଳମ୍ବେ ପ୍ରେରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗୃହ ଓ ନଗର ଉନ୍ନୟନ ବିଭାଗୀୟ ଯୁଗ୍ମ ସଚିବ ତଥା ମୁକ୍ତାର ନୋଡାଲ ଅଧିକାରୀ ସାରଦା ପ୍ରସାଦ ପଣ୍ଡା ସମସ୍ତ ଅନୁଦାନ ରାଶି ଓ ଖର୍ଚର ବିବରଣୀ ଉପସ୍ଥାପନ କରିଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ସ୍ଵାଗତ ଭାଷଣ ଉପସ୍ଥାପନ କରି ଜାଗା ମିଶନ ବିଶ୍ଵ ସ୍ତରରେ ଓଡିଶା ସୁନାମ ଆଣିଥିବା ପ୍ରକାଶ କରିଥିଲେ । କୋଭିଡ ସମୟରେ ମୁକ୍ତା ଯୋଜନାର ସଫଳତା ଏବଂ ସ୍ୱାସ୍ଥ୍ୟ ପରିମଳ ବ୍ୟବସ୍ଥାର ଉପଯୁକ୍ତ ପ୍ରଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ । ପରିଶେଷ ରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସମୀକ୍ଷା ବୈଠକରେ ଗଜପତି ଜିଲ୍ଲା ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, କନ୍ଧମାଳ ଜିଲ୍ଲା ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ,ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଗଞ୍ଜାମ ଭି.କୀର୍ତ୍ତିୱାସନ,ବ୍ରହ୍ମପୁର ମହାନଗର ନିଗମ କମିଶନର, ଜେ.ସୋନାଲ, ଜାଗା ମିଶନ ଅତିରିକ୍ତ ସଚିବ,ସୁରେନ୍ଦ୍ର କୁମାର ରାଉତରାୟ,ଗଜପତି ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ରୋମାଞ୍ଚଳ ଖମାରି, କନ୍ଧମାଳ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵ ରଞ୍ଜନ ନାୟକ, ଗଞ୍ଜାମ,ଗଜପତି ଏବଂ କନ୍ଧମାଳ ଜିଲ୍ଲାର କାର୍ଯ୍ୟ ନିର୍ବାହୀ ଅଧିକାରୀ,ଯନ୍ତ୍ରୀ ଏବଂ ସମ୍ପୃକ୍ତ ଅଧିକାରୀଗଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ