ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ଦାବି, ରାଜଧାନୀରେ ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜ୍ୟରେ ଥିବା ଏକ ସଂସ୍କୃତ ମହାବିଦ୍ୟାଳୟରେ ନିଯୁକ୍ତି ଜାଲିଆତି ଧରାପଡ଼ିଛି । ହେଲେ ଉଚ୍ଚ ଶିକ୍ଷା ବିଭାଗ ଏହା ବିରୁଦ୍ଧରେ କୌଣସି ପଦକ୍ଷେପ ନେଇ ପାରିନାହିଁ । ଯାହା ଫଳରେ ରାଜଧାନୀରେ ଆନ୍ଦୋଳନ କରାଯିବ ବୋଲି ବରି ସ୍ୱାଭିମାନ ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ମଂଚର ସମ୍ପାଦକ ଅନିଲ କୁମାର ଦାସ କହିଛନ୍ତି ଯେ, ଯାଜପୁର ଜିଲ୍ଲାର ସାବିତ୍ରୀ ଦେବୀ ସଂସ୍କୃତ ମହାବିଦ୍ୟାଳୟରେ ୨୦୧୬-୧୭ ବର୍ଷରେ ନିଯୁକ୍ତି ପାଇଥିବା ଅଧ୍ୟାପକମାନେ ଉଚ୍ଚଶିକ୍ଷା ବିଭାଗର କିଛି ଅସାଧୁ ଅଧିକାରୀଙ୍କ ସାହାଯ୍ୟରେ ଜାଲିଆତି କରି ବ୍ଲକଗ୍ରାଣ୍ଡ ଓ ଅନୁଦାନ ହାତେଇବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗତ ୨୦୨୧ମସିହା ସେପ୍ଟେମ୍ବର ୨୭ରେ ଆଂଚଳିକ ନିର୍ଦ୍ଦେଶକ ତାଙ୍କର ଚିଠି ନଂ ୩୯୦୦୭ରେ ତଦନ୍ତ ରିପୋର୍ଟରେ ଏହି ଜାଲିଆତିକୁ ସ୍ୱୀକାର କରିବା ସହ କାର୍ଯ୍ୟାନୁଷ୍ଠାନ ଲାଗି ଉଚ୍ଚଶିକ୍ଷା ବିଭାଗକୁ ସୁପାରିଶ କରିଥିଲେ । ଉକ୍ତ କଲେଜର ଅଧ୍ୟକ୍ଷା କ୍ଷଣପ୍ରଭା ମହାପାତ୍ରଙ୍କ ନିଯୁକ୍ତି ୧୯୯୯ ମସିହା ଦର୍ଶାଯାଇଥିବା ବେଳେ ଶିକ୍ଷାନୁଷ୍ଠାର ପ୍ରତିଷ୍ଠା ୨୦୦୨ରେ ହୋଇଥିବା ସ୍ଥଳେ ସେ ପ୍ରକୃତରେ ୨୦୦୭ ଅଗଷ୍ଟ ୧ ତାରିଖରେ ନିଯୁକ୍ତି ପାଇଥିବା ବିଭାଗ ନିକଟରେ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି । ସେହିପରି ଇତିହାସ ବିଭାଗର ଅଧ୍ୟାପକ ମନୋଜ ସାମଲଙ୍କ ନିଯୁକ୍ତି ୨୦୦୨ ମସିହା ସେପ୍ଟେମ୍ବର ୬ ତାରିଖ ଦର୍ଶାଯାଇଥିବା ବେଳେ ପ୍ରକୃତ ପକ୍ଷେ ବୈଜୟନ୍ତୀମାଳା ତ୍ରିପାଠୀ ୨୦୧୨ଯାଏ କାର୍ଯ୍ୟ କରୁଥିଲେ ଏବଂ ୨୦୧୩-୧୪ରୁ ସୁଲୋଚନା ଧଳ କାର୍ଯ୍ୟ କରୁଥିଲେ । ଶ୍ରୀ ସାମଲଙ୍କ ନିଯୁକ୍ତି ୨୦୦୦ ମସିହାରେ ଦର୍ଶାଯାଇ ଜାଲିଆତି କରାଯାଇଥିବାର କୁହାଯାଇଛି । ପୁନଶ୍ଚ ବ୍ୟାକରଣ ବିଭାଗରେ କାର୍ଯ୍ୟରତ ଗୀତାଞ୍ଜଳି କରଙ୍କ ନିଯୁକ୍ତି ୨୦୦୦ ମସିହାରେ ବୋଲି ଦର୍ଶାଯାଇଥିବା ବେଳେ ୨୦୧୫ଯାଏ ସେ ବଡ଼ଚଣା ବ୍ଲକ କାଶୀନାଥ ସଂସ୍କୃତ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ଅନ୍ୟପକ୍ଷରେ ସଂସ୍କୃତ ସାହିତ୍ୟରେ କାର୍ଯ୍ୟ କରୁଥିବା ଅଧ୍ୟାପକ ଦୁର୍ଯ୍ୟୋଧନ ନାଥ ବାରିପଦା ସରକାରୀ ସଂସ୍କୃତ ମହାବିଦ୍ୟାଳୟରେ ୨୦୧୪-୧୫ ଓ ୨୦୧୫-୧୬ରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟ କରି ସରକାରଙ୍କ ଠାରୁ ଦରମା ନେଇଥିବା ବେଳେ ତାଙ୍କର ନିଯୁକ୍ତି ମଧ୍ୟ ୨୦୦୩ରେ ଏହି ଶିକ୍ଷାନୁଷ୍ଠାନରେ ହୋଇଥିବା ଦର୍ଶାଯାଇଛି । ଅନ୍ୟପକ୍ଷରେ ଅଧ୍ୟାପକ ଅରବିନ୍ଦ ଶତପଥୀ, ମହେଶ୍ୱର ବେହେରା ପ୍ରମୁଖଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ଜାଲିଆତି କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୨୦୧୫ରେ ଏହି ଶିକ୍ଷାନୁଷ୍ଠାନକୁ ସ୍ଥାୟୀ ସ୍ୱୀକୃତି ପ୍ରଦାନ କରି ଦିଆଯାଇଥିଲା । ଯାହାକି ଅନିୟମିତତା ହୋଇଥିବା କଥାକୁ ଅସ୍ୱୀକାର କରାଯାଇ ନପାରେ ବୋଲି ଆଂଚଳିକ ନିର୍ଦ୍ଦେଶକ ସଦ୍ୟ ତାଙ୍କ ଦଦନ୍ତରେ ଦର୍ଶାଇଛନ୍ତି । ତେବେ ଏ ନେଇ କାର୍ଯ୍ୟାନୁଷ୍ଠାନ ନହେଲେ ରାଜଧାନୀରେ ବିକ୍ଷୋଭ ଆନ୍ଦୋଳନ କରାଯିବ ବୋଲି ବରି ସ୍ୱାଭିମାନ ମଂଚ ରାଜଧାନୀ ଶାଖା ସମ୍ପାଦକ ଅନିଲ କୁମାର ଦାସ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ