ବନ୍ୟା ଉଜାଡ଼ିଦେଲା ଚାଷ ଆଉ ବାସ
ନିମାପଡ଼ା, (ସନ୍ତୋଷ ଦାଶ):ଚଳିତ ବର୍ଷ ର ବନ୍ୟା ଉଜାଡିଦେଇଛି ପୁରୀ ଜିଲ୍ଲା ନିମାପଡ଼ା, ଗୋପ, ଅସ୍ତରଙ୍ଗ, କାକଟପୁର ବ୍ଲକ ଅଞ୍ଚଳ ରେ ହୋଇଥିବା ବିଭିନ୍ନ ପ୍ରକାର ଚାଷ ଆଉ ଭୁଷୁଡି ପଡ଼ିଛି ଅନେକ ଗରିବ ଲୋକ ଙ୍କ ବାସଗୃହ। ଧନୁଆ ନଦୀ ଓ କୁଶଭଦ୍ରା ନଦୀ ବନ୍ୟା ଜଳ ରେ ପୁରୀ ଜିଲ୍ଲା ନିମାପଡା କୃଷିଜିଲ୍ଳା ଅନ୍ତର୍ଗତ ନିମାପଡାର ବ୍ଲକ ୧୮ ପଂଚାୟତର ୭ ହଜାର ୫୦୧ ହେକ୍ଟର ଚାଷ ଜମି ବୁଡିଥିବା ବେଳେ ଗୋପ ବ୍ଲକର ୪ହଜାର ୭୦ହେକ୍ଟର , ଦେବୀ ନଦୀ ବନ୍ୟା ରେ ଅସ୍ତରଙ୍ଗ ବ୍ଲକର ୪୩୮ହେକ୍ଟର ଓ ପ୍ରାଚୀ ଓ କାଦୁଆ ନଦୀ ବନ୍ୟା ରେ କାକଟପୁର ବ୍ଲକର ୪୩୮ହେକ୍ଟର ଧାନ ଓ ଅଣଧାନ ଜମି ଜଳମଗ୍ନ ହୋଇପଡି ଥିଲା । ଗୋପ, ଅସ୍ତରଙ୍ଗ, ନିମାପଡା,କାକଟପୁର ବ୍ଲକ ର ବିଭିନ୍ନ ଗାଁରୁ ବନ୍ୟା ପାଣି ହ୍ରାସ ପାଇଥିଲେ ମଧ୍ୟ ଏହି ସବୁ ଅଂଚଳର ଅଧିକାଂଶ ଚାଷ ଜମି ଏବେବି ଜଳମଗ୍ନ ହୋଇ ରହିଛି । ବନ୍ୟାର ପ୍ରଭାବରେ ଧାନ ,ବିଭିନ୍ନ ପନିପରିବା ,ଛତୁ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ସବୁ ଫସଲ ଏବେ ବିଲରେ ସଢ଼ୁଛି । ପାନ ବରଜ ବୁଡି ଯିବାରୁ ପାନ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି।ଏଥି ସହିତ ଗୋ ଚାଷୀ, ଛେଳି,ମେଣ୍ଢା, କୁକୁଡା ଚାଷୀ ମାନେ ବି କ୍ଷତିଗ୍ରସ୍ତ ହୋଇଛନ୍ତି। କଣ କରିବେ ଏଥି ନେଇ ଏବେ ଚିନ୍ତାରେ ହଜାର ହଜାର ଚାଷୀ । ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ସ୍ୱଳ୍ପ ସମୟ କ୍ଷମ ଧାନ ବିହନ ଓ ଆଗାମୀ ରବି ଫସଲ ପାଇଁ ମୁଗ ,ବିରି ଆଦି ବିହନ ମାଗଣା ରେ ଯୋଗାଇ ଦେବାକୁ ବିଜେପି ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରିଛନ୍ତି । ତେବେ ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ବୁଲି କୃଷି ବିଭାଗ , ଉଦ୍ୟାନ ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଉଛି। ବନ୍ୟାପାଣି ସମ୍ପୂର୍ଣ୍ଣ ଛାଡିବା ପରେ ସରକାରଙ୍କୁ କ୍ଷୟକ୍ଷତି ର ବିସ୍ତୁତ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ନିମାପଡା କୃଷି ଜିଲ୍ଲା ଅଧିକାରୀ ଶରତ ପରିଡ଼ା।