ଛେନାପଦିଛକର ବିଭିନ୍ନ ଦୋକାନରୁ ସିରିଜ ଚୋରୀ, ପୁଲିସ ପାଉନି ସୁରାକ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଛେନାପଦି ଛକର ବିଭିନ୍ନ ଦୋକାନରୁ ସିରିଜ ଚୋରୀ ହୋଇଛି । ଶନିବାର ରାତି ୧୨ଟାରୁ ୩ଟା ପର୍ଯ୍ୟନ୍ତ ଏହି ଚୋର ମାନେ ବିଭିନ୍ନ ଦୋକାନର ସ୍କାଏ ଲାଇଟ, କେବିନ ପଟା ଭାଙ୍ଗି ଚୋରୀ କରିଥିବା ଜଣାଯାଇଛି । ନିଉ ତାରିଣୀ ଏଣ୍ଟର ପ୍ରାଇଜର୍ସ ଦୋକାନର ସ୍କାଏ ଲାଇଟ ଭାଙ୍ଗି ଦୋକାନରୁ ନଗଦ ୧୦ହଜାର ଯଙ୍କା ସମେତ ୧୦ହଜାରରୁ ଉର୍ଦ୍ଧ ଗ୍ୟାସ ସରଞ୍ଜାମ ଚୋରୀ କରିନେଇଛନ୍ତି । ସେହିପରି ଦ-ମୋବାଇଲ ଦୋକାନର ଦୁଇଟି ସିସି କେମେରା ନେଇଯାଇଥିବାବେଳେ ବିଣାପାଣି ଗ୍ରୋସରୀ ଦୋକାନର ସ୍କାଏ ଲାଇଟ କୁ ଭାଙ୍ଗିି ଦେଇଛନ୍ତି । କିନ୍ତୁ ସେଠାରେ ଲୁହା ରଡସବୁ ଲାଗି ଥିବାରୁ ଭିତରକୁ ପସି ନପାରି ବିଫଳ ହୋଇଛନ୍ତି । ସେହିପରି ରବି ପାନ ଦୋକାନ, ଗୋପାଳ ଜଳଖିଆ ଦୋକାନ, ନାରଣ ଜଳଖିଆ ଦୋକାନ, ସାହୁ ଫାଷ୍ଟଫୁଡ଼ ଆଦି ଦୋକାନରୁ ୫୦ହଜାରରୁ ଉର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ ଚୋରି ହୋଇଛି। ଏନେଇ ଦୋକାନୀ ମାନଙ୍କ ପକ୍ଷରୁ ନନ୍ଦିପଦା ଥାନାରେ ଅଭିଯୋଗ ହୋଇଛି। ପୁଲିସ ସନ୍ଧ୍ୟାସୁଦ୍ଧା ଘଟଣା ସ୍ଥଳକୁ ତଦନ୍ତ ପାଇଁ ଆସି ନଥିବା ଜଣାଯାଇଛି। ସେହିପରି ଗତ କିଛିଦିନ ହେଲା ଢେଙ୍କା ବଜାରରୁ ୮ଟି ସ୍ଥାନରୁ ଚୋରି ହୋଇଥିଲେ ବି ସୋସୋ ପୁଲିସ ଆଜି ସୁଦ୍ଧା ଗୋଟିଏ ଚୋରକୁ ଧରିବାରେ ସଖ୍ୟମ ହୋଇ ପାରିନି। ସେହିପରି ଗତ ମାସରେ ହାଟଡ଼ିହିର ଗଣପତି ମେଡିସିନି ଷ୍ଟୋରରୁ ୨୫ହଜାର ରୁ ଉର୍ଦ୍ଧ୍ବ ଟଙ୍କା ଚୋରି ହୋଇଥିଲେ ବି ପୁଲିସ ଚୋରଙ୍କ ସମ୍ପର୍କରେ ସାମାନ୍ୟତମ ସୂଚନା ପାଇ ପାରିନାହିଁ। ଆଜିର ଏହି ଚୋରୀ ସମ୍ପର୍କରେ କିଛି ସିସିଟିଭି ଫୁଟେଜ ଦେଖିଲେ ଚୋରଙ୍କ ସମ୍ପର୍କରେ କିଛି ସୁରାକ ମିଳି ପାରୁଥିବା ଦୋକାନୀମାନେ କହିଛନ୍ତି। ପୁଲିସ ଉପଯୁକ୍ତ ତଦନ୍ତ କରିବାକୁ ଦୋକାନୀମାନେ ଦାବି କରିଛନ୍ତି।


