ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ) : ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଶ୍ୟାମ ଢାବା ପରିସରରୁ ରବିବାର ସକାଳେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପରିଚୟ ବ୍ରହ୍ମପୁର ଗୋଇଲୁଣ୍ଡି ବଡସାହିର ନିଳାଞ୍ଚଳ ମହାନ୍ତି( ୩୦) ବୋଲି ଜଣାପଡିଛି । ଢାବା ମାଲି୍କ କହିବାନୁଯାୟୀ ଶନିବାର ରାତିରେ ଯୁବକ ଜଣକ ଆସି ଢାବାରେ କାମ କରିବାକୁ କହିଥିଲେ କିନ୍ତୁ ଢାବା ମାଲିକ ମନା କରିଥିଲେ । ଏହା ପରେ ରାତ୍ର ପ୍ରାୟ ୧୧ ଟା ସମୟରେ ଢାବା ମାଲିକ ଏସ୍. ଶ୍ୟାମ ସୁନ୍ଦର ରାଓ ଢାବା ଛାଡି ନିଜର ଘରକୁ ଚାଲିଆସିଥିଲେ ।ଏହା ପରେ ରାତିରେ ଢାବାର ୨ କର୍ମଚାରୀ ଦିଲ୍ଲୀ ରେଡ୍ଡି, ଓ ବାବୁଲା ସାହୁ ଢାବାରେ ଶୋଇଥିଲେ । ସକାଳ ପ୍ରାୟ ୫ ଟା ସମୟରେ ନିଦରୁ ଉଠି ଢାବା ସଫା କରୁଥିବା ବେଳେ ହଠାତ ଯୁବକଙ୍କ ମୃତଦେହ ଦେଖିଥିଲେ । ଏହା ପରେ ସଂଗେ ସଂଗେ ୨ ଜଣ ଯୁବକ ମାଲିକଙ୍କୁ ଖବର ଦେଇଥିଲେ । ମାଲିକ ଖବର ପାଇ ସଂଗେ ସଂଗେ ଗୋଳନ୍ଥରା ପୋଲିସ କୁ ଖବର ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତ କରି ବ୍ରହ୍ମପୁର ବଡ ମେଡିକାଲକୁ ପଂଚନାମା ନିମନ୍ତେ ପଠାଇଛି । ଅନ୍ୟ ପଟେ ମୃତକ ଯୁବକଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ପରିବାର ଲୋକ କହିବାନୁଯାୟୀ ଗତ ୧୫ ଦିନ ତଳେ ମୃତକ ନିଳାଞ୍ଚଳ ତାଙ୍କ ପରିବାର ସହ ଫୋନଯୋଗେ କଥା ହେବା ସହ ଶ୍ୟାମଢାବାରେ କାମ କରୁଛନ୍ତି ବୋଲି କହିଛନ୍ତି । ପୋଲିସ ସମସ୍ତ ଦିଗକୁ ଅନୁଧ୍ୟାନ କରି ତଦନ୍ତ ଜାରୀ ରଖିଛି । ଅନ୍ୟ ପଟେ ଶବବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।


