ନଭେମ୍ବର ୩୦ରେ ବିଧାନସଭା ଘେରିବ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର, : ରାଜ୍ୟରେ ମୋ ସରକାର ଯୋଜନା ଚାଲିଛି କିନ୍ତୁ ମୋ ଶିକ୍ଷକ ଯୋଜନା ନାହିଁ । ମାନବ ସମ୍ବଳ ବିକାଶ ନିମନ୍ତେ ଶିକ୍ଷାର ଗୁରୁତ୍ୱ ସବୁଠାରୁ ଅଧିକ ଥିଲାବେଳେ ସରକାର ଶିକ୍ଷାକୁ ଗୁରୁତ୍ୱ ଦେଉନାହାଁନ୍ତି । ବିଦ୍ୟାଳୟରେ ଭିତ୍ତିଭୂମି ନାହିଁ କିମ୍ବା ଶିକ୍ଷକ କର୍ମଚାରୀ ନାହାଁନ୍ତି । ବିଦ୍ୟାଳୟଗୁଡ଼ିକ ନାହିଁ ନାହିଁରେ ଚାଲିଛି । ଶିକ୍ଷା ଅଧିକାର ଆଇନ୍‌ରେ ଯାହାସବୁ ଉଲ୍ଲେଖ ରହିଛି ତାହାକୁ କାର୍ଯ୍ୟକାରୀ କରୁନାହାଁନ୍ତି । ଶିକ୍ଷାକୁ ଘରୋଇ ମାଲିକମାନଙ୍କ ହାତକୁ ଟେକି ଦେବାପାଇଁ ସରକାର ଏସବୁ କରୁଛନ୍ତି ବୋଲି ନୂତନ ପେନ୍‌ସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ଅଭିଯୋଗ କରିଛି । ସ୍ୱାଧୀନତା ପରଠାରୁ ସରକାରୀ କର୍ମଚାରୀମାନଙ୍କ ଅବସର ପରେ ଯେଉଁ ପେନ୍‌ସନ ବ୍ୟବସ୍ଥା ଲାଗୁ କରାଯାଇଥିଲା ତାହାକୁ ୨୦୦୫ ମସିହାରେ ସରକାର ଉଠାଇ ନୂତନ ପେନ୍‌ସନ ବ୍ୟବସ୍ଥା ଲାଗୁ କରାଗଲା । ବଡ଼ ଆଶ୍ଚର୍ଯ୍ୟର ବିଷୟ ଆମ ଦେଶର ମାନ୍ୟବର ବିଧାୟକ ଓ ସାଂସଦଙ୍କ ପାଇଁ ନୂତନ ପେନ୍‌ସନ ନିୟମ ଲାଗୁ କରାଗଲା ନାହିଁ, କିନ୍ତୁ ସେମାନଙ୍କ ପାଇଁ ପୁରୁଣା ପେନ୍‌ସନ ବ୍ୟବସ୍ଥା ଲାଗୁ କରାଯାଇଛି । ଜଣେ ଶିକ୍ଷକ ଓ ସରକାରୀ କର୍ମଚାରୀ ୩୦-୪୦ ବର୍ଷ ଚାକିରୀ କଲାପରେ ମଧ୍ୟ ପେନ୍‌ସନ୍ ପାଉନାହିଁ । ନୂତନ ପେନ୍‌ସନ ଯୋଜନାରେ ସରକାର ଯେଉଁ ନିୟମ କରିଛନ୍ତି, ସେଥିରେ କେବଳ ୫୦୦ ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ଭତ୍ତା ମିଳୁଛି । ସରକାରୀ କର୍ମଚାରୀ ଓ ଶିକ୍ଷକମାନେ ଅବସର ପରେ ନିଜର ପରିବାର ଭରଣପୋଷଣ କିପରି କରିବେ ତାହା ଆଜି ଚିନ୍ତାର ବିଷୟ ହୋଇଛି । ତେଣୁ ସବୁ ସରକାରୀ କର୍ମଚାରୀ ଓ ଶିକ୍ଷକମାନଙ୍କ ପାଇଁ ୨୦୦୫ ମସିହା ପୂର୍ବ ପ୍ରଚଳିତ ପେନ୍‌ସନ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ଦାବି କରାଯାଇଛି । ପ୍ରାଥମିକ ଶିକ୍ଷକମାନଙ୍କ ମୂଳ ଦରମା ସହ ୨୮୦୦ ଗ୍ରେଡ୍ ପେ ଦେଇ ୭ମ ବେତନ କମିଶନକୁ ସଂଶୋଧନ କରିବା ପାଇଁ ୨୦୧୭ ମସିହାରେ ଦାବି କରାଯାଇଥିଲା । କ୍ୟାଡ଼ର ସଂଶୋଧନ କରି ତାହାକୁ ପ୍ରଦାନ କରିବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନ ଆଚରଣ ବିଧି ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରାଥମିକ ଶିକ୍ଷକମାନଙ୍କ କ୍ୟାଡ଼ର ପୁନଃ ଗଠନକୁ ଘୋଷଣା କରିଥିଲେ ମଧ୍ୟ ନିର୍ବାଚନ ୮ ମାସ ବିତିବା ପରେ ଏହା ପ୍ରାଥମିକ ଶିକ୍ଷକମାନଙ୍କ ପାଇଁ ଉର୍ଦ୍ଦିଷ୍ଟ କ୍ୟାଡ଼ର ନିୟମ କାର୍ଯ୍ୟକାରୀ କରିନାହାଁନ୍ତି । କ୍ୟାଡ଼ର ନିୟମକୁ କାର୍ଯ୍ୟକାରୀ ନହେବାରୁ ଶିକ୍ଷକ କର୍ମଚାରୀମାନେ ବିନା ପଦୋନ୍ନତିରେ ଅବସର ନେଉଛନ୍ତି । ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ହୋଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ମଧ୍ୟ ଅବହେଳିତ କରାଯାଉଛି । ସେମାନଙ୍କର ମୂଳ ଦରମାର ୨୫% ବୃଦ୍ଧି କରାଯାଉନାହିଁ, କେନ୍ଦ୍ର ସରକାର ଘରଭଡ଼ା ଓ ମହଙ୍ଗା ଭତ୍ତା କର୍ମଚାରୀଙ୍କ ବଢାଇଥିଲେ ମଧ୍ୟ ରାଜ୍ୟ ସରକାର ନିଜ କର୍ମଚାରୀମାନଙ୍କୁ ୭ମ ବେତନ କମିଶନ ଅନୁଯାୟୀ ଘରଭଡ଼ା ଓ ବର୍ଦ୍ଧିତ ମହଙ୍ଗା ଭତ୍ତା ଦେଉନାହାଁନ୍ତି । ୨୦୦୫ ପୂର୍ବ ପ୍ରଚଳିତ ପେନ୍‌ସନ ବ୍ୟବସ୍ଥା ପୁନଃ ପ୍ରଚଳନ, ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ଦରମା, କନିଷ୍ଠ ଶିକ୍ଷକମାନଙ୍କର ମୂଳ ଦରମାର ୨୫% ବୃଦ୍ଧି, ଠିକା ନିଯୁକ୍ତି ଶିକ୍ଷକ ବାତିଲ୍ କରି ନିୟମିତ ଶିକ୍ଷକ ନିଯୁକ୍ତି ଦାବିରେ ଆଗାମୀ ନଭେମ୍ବର ୩୦ ତାରିଖ ଦିନ ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ବ୍ରହ୍ମାନନ୍ଦ ମହାରଣା ଓ ସାଧାରଣ ସମ୍ପାଦକ ବିଭୂପ୍ରସାଦ ସାହୁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗୋପଳ କିଶୋର ସେନ୍‌, ସୁରେନ୍ଦ୍ର ନାଥ ରାଉତ, କେଶବ ଚନ୍ଦ୍ର କର, ଟୁଲୁ ଦେଇ, ଜିତେନ୍ଦ୍ର କୁମାର ନାୟକ, ସୁଧାଂଶୁ ଶେଖର ମଣ୍ଡଳ, ଚିତ୍ତରଞ୍ଜନ ପଣ୍ଡା, ପ୍ରସନ୍ନ୍ କୁମାର ଜେନା, ସୁଧାଂଶୁ ଶେଖର ନାୟକ, ଦିଲ୍ଳୀପ ସେଠୀ, ସବିତା ମିଶ୍ର, ଅମିତାଭ ଜେନା, ସଞ୍ଜୟ କୁମାର ବେହେରା, ସବୀର ଅଲ୍ଳୀ ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ