ନୂଆ ସାତଙ୍କ ଗ୍ରାମ ର ଅନନ୍ୟ ପଶ୍ଚିମାଭିମୁଖୀ ଦୂର୍ଗା ମନ୍ଦିର
ନିମାପଡା, (ସନ୍ତୋଷ ଦାଶ):ପୁଣ୍ୟତୋୟା ପ୍ରାଚୀ ନଦୀ ଉପତ୍ୟକା ରେ ରହିଛି ଶତାଧିକ ପୁରାତନ କାରୁ କାର୍ଯ୍ୟ ପୂର୍ଣ୍ଣ ମନ୍ଦିର ଓ କୀର୍ତ୍ତିରାଜି। ତା ମଧ୍ୟରୁ ନିଆଳି ବ୍ଲକ ଅନ୍ତର୍ଗତ ନୂଆସାତଙ୍କ ଗ୍ରାମରେ ଅବସ୍ଥିତ ପଶ୍ଚିମାଭିମୁଖୀ ଦୂର୍ଗା ମନ୍ଦିର ଅନ୍ୟତମ। ଗବେଷକ ମାନଙ୍କ ମତରେ ଆଉ କୌଣସି ସ୍ଥାନ ରେ ପଶ୍ଚିମାଭିମୁଖୀ ଦୂର୍ଗା ମନ୍ଦିର ନାହିଁ। ସେ ଦୃଷ୍ଟିରୁ ଏହି ମନ୍ଦିର ଟି ବିରଳ ଓ ଅନନ୍ୟ ଅଟେ। ମନ୍ଦିର ଟି ସୁଉଚ୍ଚ ଓ ଇଟା ରେ ତିଆରି ହୋଇଥିବା ବେଳେ ମନ୍ଦିର ମୁଳୁଦୁଆ ଟି ପଥର ରେ ନିର୍ମାଣ ହୋଇଛି। ପୂଜିତ ହେଉଥିବା ମା ଦୂର୍ଗା ଅଷ୍ଟଭୁଜା ହୋଇଥିବା ବେଳେ ଉପର ଦୁଇ ହାତରେ ଶଙ୍ଖ ଓ ଚକ୍ର ରହିଛି। ତଳ ଦୁଇ ହାତରେ ଏକ ତ୍ରିଶୂଳ ଧରିଛନ୍ତି ଯାହା ମହିଷାସୁର ର ଛାତି ଭେଦ କରିଛି । କଳା ମୁଗୁନି ପଥରରେ ସୁନ୍ଦର କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି। ମା ଙ୍କ ଦୁଇପାଶ୍ଵ ରେ ଦୁଇଟି ନାରୀମୂର୍ତ୍ତି ଅଛି ଯାହାଙ୍କୁ ଗଙ୍ଗା, ଯମୁନା କୁହାଯାଉଛି। ମା ଙ୍କ ମୁଣ୍ଡ ରେ ଚନ୍ଦ୍ର ଓ ତୃତୀୟ ନୟନ ରହିଥିବା ଦେଖିବାକୁ ମିଳେ। ମନ୍ଦିର ଭିତରେ ମା ଙ୍କ ବାମ ପାର୍ଶ୍ୱରେ ସୂର୍ଯ୍ୟ ଦେବତା ଓ ଆଉ ଏକ ଅଷ୍ଟଭୁଜା ମହିଷା ମର୍ଦ୍ଧିନୀ ଦୂର୍ଗା ମୂର୍ତ୍ତି ପୂଜା ପାଉଛନ୍ତି । ମାଧବ ଗ୍ରାମ ରୁ ପୁଷ୍ପାଳକ ସେବକ ମାନେ ଏଠାକୁ ଆସି ମାଙ୍କୁ ସବୁଦିନ ପୂଜା କରିଥାନ୍ତି। ଆଶ୍ୱିନ ମାସ ମୂଳାଷ୍ଟମୀ ତିଥି ଠାରୁ ମା ଙ୍କ ମନ୍ଦିର ରେ ଶାରଦୀୟ ପାର୍ବଣ ପୂଜା ପାରମ୍ପରିକ ପ୍ରଥାନୁସାରେ ଅନୁଷ୍ଠିତ ହେଉଛି । ଗ୍ରାମବାସୀ ମାନେ ପାଳି କରି ପ୍ରତିଦିନ ଆମିଷ ଭୋଗ ମା ଙ୍କୁ ଲାଗି କରୁଛନ୍ତି । ମହାଷ୍ଟମୀ ତିଥିରେ ଦିନବେଳା ମା ଙ୍କର ଚନ୍ଦନ ବେଶ ଓ ରାତିରେ ସୁନାବେଶ ଅନୁଷ୍ଠିତ ହେବ । ନିକଟସ୍ଥ କୃଷ୍ଣପ୍ରସାଦ ଗଡର ଗଡୁଆ / ଖଣ୍ଡାୟତ ମାନେ ଏକ ଶୋଭାଯାତ୍ରା ରେ ଆସି ମା ଙ୍କୁ ପୂଜାକରି ଆଜ୍ଞାମାଳ ଗ୍ରହଣ କରି ନିଜ ନିଜ ଅସ୍ତ୍ର ଶସ୍ତ୍ର ପ୍ରଦର୍ଶନ କରିବେ । ରାତି ରେ ସମୂହ ଗ୍ରାମବାସୀ ଙ୍କ ପକ୍ଷରୁ ମା ଙ୍କ ନିକଟରେ ଜନ୍ତାଳ ଭୋଜି ଅନୁଷ୍ଠିତ ହେବ । ଉକ୍ତ ମନ୍ଦିର ଟି ସୋମବଂଶୀ ଶାସକ ଙ୍କ କୀର୍ତ୍ତି ବୋଲି ଐତିହାସିକ ସ୍ବର୍ଗତ ଶ୍ୟାମସୁନ୍ଦର ତ୍ରିପାଠୀ ତାଙ୍କ ପୁସ୍ତକ ରେ ପ୍ରକାଶ କରିଥିବା ବେଳେ ପୂଜା ପାଉଥିବା ଅଷ୍ଟଭୁଜା ମୂର୍ତ୍ତି କୁ ନାରାୟଣୀ ଦୂର୍ଗା ବୋଲି ମତ ପ୍ରକାଶ କରି ଏହା ଏକ ବିରଳ ଓ ଅନନ୍ୟ ଐତିହ୍ୟ ବୋଲି ସୂଚନା ଦେଇଛନ୍ତି। ତେବେ ଏହି ପୁରାତନ ମନ୍ଦିର ଟି ମରାମତି ଓ ରକ୍ଷଣା ବେକ୍ଷଣ ଅଭାବ ରୁ ଧ୍ୱଂସାଭିମୁଖି ହୋଇ ପଡ଼ିଛି। ମନ୍ଦିର ଉପରିଭାଗ ରେ ଗଛ ଉଠି ଗଲାଣି । ଯଥାଶୀଘ୍ର ଯଦି ମନ୍ଦିର ରେ ରାସାୟନିକ ପ୍ରଲେପ ଦିଆନଯାଏ ତେବେ ମନ୍ଦିର ଟି ଭୁଷୁଡି ପଡିବା ଆଶଙ୍କା ସୃଷ୍ଟି ହୋଇଛି। ଉକ୍ତ ବିରଳ ମନ୍ଦିର ଓ ପୂଜା ପାଉଥିବା ମୂର୍ତ୍ତି ଗୁଡ଼ିକୁ ସୁରକ୍ଷା କରିବାକୁ ଗ୍ରାମବାସୀ ମାନେ ରାଜ୍ୟ ସରକାର ଙ୍କ ନିକଟରେ ଦାବି କରିଛନ୍ତି।


