ମନୋରଗା : ସରକାରୀ ପଞ୍ଜିକୃତ ଦୁର୍ନୀତି ଯୋଜନା !!!

ବୁଗୁଡା, (ଅନିଲ କୁମାର ମହାରଣା):ମନୋରଗା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ଯୋଗାଣ ଯୋଜନା ପ୍ରଥମେ ଭାରତର ୬ ଗୋଟି ପଛୁଆ ଜିଲ୍ଲାରେ ଆରମ୍ଭ ହୋଇ ପାରେ ସାରା ଭାରତରେ କାର୍ଯ୍ୟକାରୀ ହୋଇଥିଲା। ଦେଶର ଗ୍ରାମାଞ୍ଚଳର ପଛୁଆ ସମାଜର ଶ୍ରମିକ ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଦେଇ ନିଶ୍ଚିତ ଭାବେ ୧୦୦ ଦିନର କାର୍ଯ୍ୟ ଯୋଗାଇ ଆର୍ଥିକ ଅବସ୍ଥା ଦୂରକରିବା ଉଦ୍ଦେଶ୍ୟରେ ଏହି ଯୋଜନା ପାଇଁ କେନ୍ଦ୍ର ସରକାର ୨୦୦୫ ସେପ୍ଟେମ୍ବର ୭ ତାରିଖରେ ବିଜ୍ଞପ୍ତି ଜାରିକରିଥିଲେ। ମନୋରଗା ଯୋଜନା ପ୍ରଥମେ ୨୦୦୬ ଫେବୃଆରୀ ୨ ତାରିଖ ଦିନ ହରିଆନା ରାଜ୍ୟର ମହେନ୍ଦ୍ରଗଡ଼ ଓ ସିରସା ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା। ପରେ ୨୦୦୭ ଏପ୍ରିଲ ୧ ତାରିଖ ଦିନ ଅନ୍ୟ ଦୁଇ ଓ ପରେ ଅନ୍ୟ ଦୁଇ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା। ଏହି ଯୋଜନାରେ ସୁଫଳ ମିଳିବା ଯୋଗୁଁ ସାରା ଭାରତରେ ଏହା କାର୍ଯ୍ୟକାରୀ ହୋଇଥିଲା। ଦୁଃଖର ବିଷୟ ବର୍ତ୍ତମାନ ଏହା ସରକାରୀ ସହାୟତରେ ଦୁର୍ନୀତିର ଗନ୍ତାଘର ପାଲଟି ଥିବା ଅଭିଯୋଗ ହେଉଛି। ପ୍ରକୃତରେ ଏହି ଯୋଜନାରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉଥିଲେ ମଧ୍ୟ ଦୁର୍ନୀତିରେ କାର୍ଯ୍ୟକାରୀ ହେଉଥିବା ଦାବି ହେଉଛି। କାମତ ହେଲା ଦୁର୍ନୀତି ହେଲା କିପରି ? ଏହି ଦୁର୍ନୀତିର କାରଣ ହେଲା ଶ୍ରମିକ ବଦଳରେ ମିସିନ କରୁଛି କାମ। ଶ୍ରମିକ ମାନେ କାର୍ଯ୍ୟ କରିବା ସ୍ଥଳେ ମିସିନ କାମ କରୁଛି କାହିଁକି ? ଏଥି ପାଇଁ ସରକାରୀଙ୍କ ନୀତି ଓ ଅନ୍ୟ ବିଭିନ୍ନ ଯୋଜନା ଦାୟୀ ନୁହେଁତ ? କେନ୍ଦ୍ର ସରକାର ଆମ ଓଡ଼ିଶା ରାଜ୍ୟରେ ମନୋରଗା କାର୍ଯ୍ୟପାଇଁ ଦୈନିକ ୨୧୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ଅଥଚ ଆମ ରାଜ୍ୟ ଓଡ଼ିଶାର ଶ୍ରମିକ ବୃନ୍ଦ ଘରୋଇ କାର୍ଯ୍ୟରେ ୩୦୦ ଟଙ୍କାରୁ ୪୦୦ ଟଙ୍କା ଦୈନିକ ମଜୁରୀ ପାଉଛନ୍ତି। ଆମ ଓଡ଼ିଶାର ଶ୍ରମିକ ତାମିଲନାଡୁରେ କାମ କରି ଦୈନିକ ୫୦୦ ଟଙ୍କାରୁ ୬୦୦ ଟଙ୍କା ରୋଜଗାର କରୁଛନ୍ତି। ସୁରାଟ ସୁତାକଳରେ କମାକରି ଓଡ଼ିଶାର ଶ୍ରମିକ ଦୈନିକ ୬୦୦ ଟଙ୍କାରୁ ୧୨୦୦ ଟଙ୍କା ରୋଜଗାର କରୁଛନ୍ତି। ଅବଶ୍ୟ ସୁରାଟରେ କାମ କରୁଥିବା ଶ୍ରମିକମାନେ କୁଶଳୀ ଓ ଅତିକୁଶଳୀ କାରିଗର ଅଟନ୍ତି। ମନୋରଗା ରେ କେନ୍ଦ୍ର ସରକାର ଧାର୍ଯ୍ୟ କରିଥିବା ଦୈନିକ ମଜୁରୀ ୨୧୫ ଟଙ୍କା ଠାରୁ ଶ୍ରମିକ ମାନେ ଯଥେଷ୍ଟ ଅଧିକ ତାଙ୍କ ପାଉଥିବା ବେଳେ ସେମାନେ କାହିଁକି ମନୋରଗା କାର୍ଯ୍ୟ କରିବେ ? ଅନ୍ୟ ଏକ କାରଣ ହେଲା କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଉ ଥିବା ବିଭିନ୍ନ ଯୋଜନାରେ ମାଗଣା ଆର୍ଥିକ ସହାୟତା। ଏକ ଟଙ୍କାରେ ଚାଉଳ ଓ ପ୍ରୋତ୍ସାହନ ଅର୍ଥ ଦ୍ୱାରା ସେମାନଙ୍କ ଖାଦ୍ୟ ସମସ୍ୟା ଦୂର ହେଉଥିବା ବେଳେ ୩୦୦ ଟଙ୍କାରୁ ଉର୍ଦ୍ଧ୍ବ ପାଉଥିବା ଘରୋଇ ସଂସ୍ଥାରେ କାର୍ଯ୍ୟ କରିବାକୁ ସେମାନେ ପସନ୍ଦ କରୁଛନ୍ତି। କୋୖଣସି ଶ୍ରମିକ ଦୈନିକ ୨୧୫ ଟଙ୍କାରେ ମନୋରଗା କାର୍ଯ୍ୟ କରିବାକୁ ଇଚ୍ଛୁକ ନୁହନ୍ତି। ବର୍ତ୍ତମାନ ଲୋକଙ୍କ ଆର୍ଥିକ ଅବସ୍ଥା ଭଲ ହେଉଥିବା ବେଳେ ଯେଉଁ କେତେଜଣ ଶ୍ରମିକ ମନୋରଗା କାର୍ଯ୍ୟ କରୁଛନ୍ତି ସେମାନେ ଦୈନିକ ୩୦୦ ଟଙ୍କାରୁ ୩୫୦ ଟଙ୍କାରେ ହିଁ କାର୍ଯ୍ୟ କରୁଛନ୍ତି। ଯାହା ଫଳରେ ମନୋରଗା କାର୍ଯ୍ୟର ଦ୍ୱାୟିତ୍ୱ ନେଇଥିବା ବ୍ୟକ୍ତି ସରକାରୀ ଧାର୍ଯ୍ୟ ୨୧୫ ଟଙ୍କା ଠାରୁ ଶ୍ରମିକ ପିଛା ୮୫ ଟଙ୍କାରୁ ୧୩୫ ଟଙ୍କା ପର୍ଯ୍ୟନ୍ତ ଅଧିକ ଦେବାକୁ ବାଧ୍ୟ ହୋଇଥାନ୍ତି। ମନୋରଗା କାର୍ଯ୍ୟ କରାଉଥିବା ବ୍ୟକ୍ତି ଜଣେ ଶ୍ରମିକଙ୍କୁ ସର୍ବନିମ୍ନ ୩୦୦ ଟଙ୍କା ଦେଉଥିବା ବେଳେ ସରକାର ତାଙ୍କୁ ଦେଉଛନ୍ତୁ ୨୧୫ ଟଙ୍କା। ଶ୍ରମିକ ପିଛା ୮୫ ଟଙ୍କା ଅଧିକ ଦେଉଥିବା ବେଳେ ମନୋରଗା କାର୍ଯ୍ୟର ଦାୟିତ୍ୱ ନେଉଥିବା ବ୍ୟକ୍ତି ଦୁର୍ନୀତି କରିବାକୁ ବାଧ୍ୟ ହୁଅନ୍ତୁ। ଏହି କ୍ଷତି ଭରଣା ପାଇଁ ସେମାନେ ମନୋରଗା କାମରେ ମେସିନର ବ୍ୟବହାର କରି ମିଛ ଶ୍ରମିକଙ୍କ ନାମ ଦର୍ଶାଇବାକୁ ବାଧ୍ୟ ହୋଇଥାନ୍ତି। ଆହୁରି ମଧ୍ୟ ସାଧାରଣ ଜନତାଙ୍କ ଯୋଗୁଁ ମଧ୍ୟ ମନୋରଗା କାର୍ଯ୍ୟରେ ଅଧିକ ଦୁର୍ନୀତି ହେବାର ଜଣା ପଡ଼ିଛି। କେତକ ବ୍ୟକ୍ତି ମନୋରଗା କାର୍ଯ୍ୟରେ ମେସିନ କାର୍ଯ୍ୟ କରୁଥିବା ବେଳେ ତାହାର ଭିଡିଓ ସୁଟିଙ୍ଗ କରି କାମ କରାଉଥିବା ବ୍ୟକ୍ତିଙ୍କୁ ଶ୍ରମିକ ବଦଳରେ କାହିଁକି ମେସିନ ଲଗାଇଛ ବୋଲି ଧମକ ଦେଇ ମୋଟା ଅଙ୍କର ଅର୍ଥ ଆଦାୟ କରିଥାନ୍ତି। ମନୋରଗା କାର୍ଯ୍ୟ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ଉପରେ ଚାପ ପକାଇଥାନ୍ତି। ରାଜ୍ୟ ସରକାର ସେହି ରାଜ୍ୟର ଜିଲ୍ଲାପାଳଙ୍କ ଉପରେ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ଚାପ ପ୍ରୟୋଗ କରିଥାନ୍ତି। ଜିଲ୍ଲା ପ୍ରଶାସନ ବ୍ଲକ ଅଧିକାରୀ ମାନଙ୍କୁ କହି ଯେମିତି ହେଲେ ମନୋରଗା କାର୍ଯ୍ୟ ଆଗେଇ ନେବାକୁ ନିର୍ଦ୍ଦେଶ ଦେଇଥାନ୍ତି। ଯାହା ଫଳରେ ମନୋରଗା କାର୍ଯ୍ୟ ମେସିନ ଦ୍ୱାରା କରାଯାଇ ମିଛ ଶ୍ରମିକଙ୍କ ନାମ ଦର୍ଶାଇବାକୁ ବାଧ୍ୟ ହେଉଛନ୍ତି। ମିଛ ଶ୍ରମିକ ଦର୍ଶାଇବା ମଧ୍ୟ ସମୟେ ସମୟେ ସେମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। କାରଣ ମନୋରଗାରେ ଶ୍ରମିକ ମାନଙ୍କ ମଜୁରୀ ବ୍ୟାଙ୍କ ମାଧ୍ୟମରେ ତାଙ୍କ ଆକାଉଣ୍ଟରେ ଜମା ହେଉଥିବା ବେଳେ ମିଛ ଶ୍ରମିକ କିଛି ଟଙ୍କା ନେଇଥାନ୍ତି। କେତେକ ଶ୍ରମିକ କାମ ନକରି ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ଦ୍ୱାରା ସରକାର ଏହି ଟଙ୍କା ପଠାଇଥିବା ଭାବି ମନୋରଗା କାମ କରୁଥିବା ବ୍ୟକ୍ତିଙ୍କୁ ଦେଇନଥାନ୍ତି। ସମୟ ଆସିବ ମନୋରଗା କାମ ଆଗେଇ ପାରିବ ନାହିଁ। ଯାହାଦ୍ୱାରା ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରିବ ନାହିଁ। ଅଞ୍ଚଳର ପ୍ରଗତିରେ ବାଧା ସୃଷ୍ଟି ହେବ। ଯେହେତୁ କେନ୍ଦ୍ର ସରକାରଙ୍କ ଆନୁଦାନ ଆସିପାରିବ ନାହିଁ। ଏହି ସମସ୍ୟାର ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ମଜୁରୀ ସ୍ଥାନୀୟ ରାଜ୍ୟର ଘରୋଇ ମଜୁରୀ ସହ ସମାନ କରିବାକୁ ପଡିବ ନତୁବା ମନୋରଗା କାର୍ଯ୍ୟ ନିୟମ ପରିବର୍ତ୍ତନ କରି ମେସିନ ଦ୍ୱାରା କାର୍ଯ୍ୟ କରିବାକୁ ଅନୁମତି ଦେବାକୁ ପଡିବ। ମନୋରଗା ଦୁର୍ନୀତି ନିରାକରଣ ପାଇଁ ସରକାର ଏହି ସବୁ ଦିଗ ପ୍ରତି ଅନୁସନ୍ଧାନ କରି ପଦକ୍ଷେପ ଗ୍ରହଣ କରିବା ଜରୁରୀ ଅଟେ। ନତୁବା ରାଜ୍ୟ ମାନଙ୍କରେ ମନୋରଗା କାର୍ଯ୍ୟରେ ବାଧା ସୃଷ୍ଟି ହୋଇ ରାଜ୍ୟର ପ୍ରଗତି ହୋଇପାରିବ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ