ଓଇସି କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ଓଡ଼ିଶା ଇଞ୍ଜିନିୟରିଂ କଲେଜର କର୍ମଚାରୀଙ୍କ ବିଭିନ୍ନ ଦାବି ନେଇ ଓଡ଼ିଶା ଇଞ୍ଜିନିୟରିଂ କଲେଜ ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୂତି ଦେବେ ବୋଲି କହିଥିଲେ । ତେବେ ୟୁନିୟନ ପକ୍ଷରୁ ନବୀନ ନିବାସ ନିକଟ ପଲାସପଲ୍ଲୀ ଛକଠାରେ ବିକ୍ଷୋଭ କରାଯିବା ସହ ସ୍ୱଳ୍ପ ଦିନ ପାଇଁ ଏହି ଆନ୍ଦୋଳନ ସ୍ଥଗିତ ରଖା ଯାଇଛି ବୋଲି ଘୋଷଣା କରାଯାଇଛି । ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ଆଜି ସକାଳୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଅଗ୍ରସର ହେବା ବେଳେ ପୁଲିସ ପକ୍ଷରୁ ଏହାକୁ ବାରଣ କରାଯାଇଥିଲା । ପୁଲିସ ଅନୁପ ସାହୁ ମଧ୍ୟସ୍ଥିରେ ୟୁନିୟନର ସଭାପତି ସୁରେଶ କୁମାର ରାଉତରାୟ ଓ ୧୧ଜଣ ସଭ୍ୟ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ । ତେବେ କିଛି ମାସର ଦରମା ଦିଆଯିବା ପାଇଁ କଲେଜ କତୃପକ୍ଷଙ୍କୁ କୁହାଯିବା ସହ ଅନ୍ୟ ପଦକ୍ଷେପ ଦିଆଯିବ ବୋଲି ଶ୍ରୀ ମହାନ୍ତି ପ୍ରତିଶୃତି ଦେଇଥିଲେ । ଏହି ଆଧାରରେ ଆନ୍ଦୋଳନକୁ ସ୍ଥଗିତ ରଖାଗଲା । ପ୍ରକାଶ ଥାଉକି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ଓଡ଼ିଶାର ସର୍ବ ପୁରାତନ ସୁନାମ ଅର୍ଜିତ ଏହି କଲେଜର ପରିଚାଳଣା କମିଟି ଅର୍ଥ ତୋଷାରପାତ ଯୋଗୁଁ କଲେଜ ଏବେ ବନ୍ଦ ହେବାକୁ ବସିଲାଣି । ଏଠାରେ ଅଯୋଗ୍ୟ ଅଧ୍ୟକ୍ଷ ଯୋଗୁଁ କଲେଜରେ ୪ଶହ କୋଟି ଟଙ୍କାର ଘୋଟାଲା ହୋଇଥିବା ଯୋଗୁଁ କ୍ରାଇମ୍ ବ୍ରାଂଚ ତଦନ୍ତ କରିବା, ଦିର୍ଘ ବର୍ଷ ହେଲା ୩୫୦ରୁ ଉର୍ଦ୍ଧ କର୍ମଚାରୀ ଯଥା ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର, ପୋଗ୍ରାମର, କ୍ଲର୍କ, ପିଅନ ଆଦି କାମ କରୁଛନ୍ତି । ଏଣୁ ଏହାକୁ ତଦନ୍ତ କରିବା ସହ ସରକାର ହାତକୁ ନେବା, ନିୟମିତ ଦରମା ଦେବା, ଅବସର କାଳୀନ ସୁବିଧା ତୁରନ୍ତ ଯୋଗାଇବା, ଇପିଏଫ୍ ଓ ଇଏସ୍‌ଆଇ ବର୍ଷକର ଡିପୋଜିଟ୍ ହେବା, ଚାକିରୀ ଯେଉଁମାନେ ଛାଡ଼ୁଛନ୍ତି ଦରମା ଓ ଗ୍ରାଚୁଉଟି ତୁରନ୍ତ ପ୍ରଦାନକରିବା, ବିନା କାରଣରେ ନିଳମ୍ବିନ ବନ୍ଦ କରିବା ଦାବି କେହି କର୍ଣ୍ଣପାତ କରୁ ନାହଁନ୍ତି । ୟୁନିୟନ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ଆଡ୍‌ମିଶନ ବନ୍ଦ କରି କଲେଜ କାଉନସିଲକୁ କର୍ମଚାରୀ ନପଠାଇ କଲେଜ ବନ୍ଦ କରିବା ପାଇଁ ଚକ୍ରାନ୍ତ କରାଯାଉଛି । ଯାହା ଫଳରେ ୩୫୦ପରିବାର ନିଜର ଜୀବିକା ହରାଇବାକୁ ବସାଇଲେଣି । ପୂର୍ବରୁ ବର୍ଷକୁ ୩୨କୋଟି ଟଙ୍କା ଆଦାୟ ହେଉଥିବା ବେଳେ ଦରମା ବାବଦ ପ୍ରାୟ ୫କୋଟି ଟଙ୍କା ଦିଆଯାଉଥିଲା । ତେବେ ବାକି ଟଙ୍କା କୁଆଡେ ଗଲା ତାହା ତଦନ୍ତ କରିବା ନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ତେବେ ଏହି ଦାବି ପୁରଣ ନହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ