ଓସ୍ତପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ବିଭୁରଞ୍ଜନଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ବିଭୁରଞ୍ଜନ ଦାସଙ୍କ ଏକାଦଶାହ ଅବସରରେ ତାଙ୍କ ବିରସ୍ୱତୀ ଗ୍ରାମସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ପୂର୍ବତନ ସରପଞ୍ଚ ଫକିର ଚରଣ ଖଟୁଆଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୋଗଦେଇ ବକ୍ତାମାନେ ସ୍ୱର୍ଗତ ବିଭୁରଞ୍ଜନ ସରପଞ୍ଚ ଭାବେ ପଞ୍ଚାୟତର ବହୁ ଜନହିତକର କାର୍ଯ୍ୟ କରିଥିବା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କ ସାହସିକତା ଓ ସଚ୍ଚୋଟ ପଣିଆର ଭୂୟସୀ ପ୍ରଶଂସା କରିଥିଲେ । ସଭାପତି ଶ୍ରୀ ଖଟୁଆ ତାଙ୍କ ହାତଗଢା କଣ୍ଢେଇଟି ଆଜି ଭାଙ୍ଗି ଚୁରମାର ହୋଇଥିବା କୋହଭରା କଣ୍ଠରେ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ପ୍ରାକ୍ତନ ବିଧାୟକ ଉତ୍କଳକେଶରୀ ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ଡେରାବିଶ ବ୍ଲକର ପ୍ରାକ୍ତନ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଶିକ୍ଷାବିତ ଭଜକୃଷ୍ଣ ରାଉତ, ମଧୁସୁଦନ ରାଉତ, ଅବଧୁତ ରାଉତ, ନିରଞ୍ଜନ ଦାସ, ଶିବପ୍ରସାଦ ଭଳ, ଅଜୟ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ ପ୍ରମୁଖ ଯୋଗଦେଇ ଦିବଗଂତ ବିଭୁରଞ୍ଜନଙ୍କ ଅମର ଆତ୍ମାର ସଦଗତି କାମନା କରି ୨ମିନିଟ ନୀରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସର୍ବଶେଷରେ ସ୍ୱର୍ଗତ ଦାସଙ୍କ ସାନଭାଇ ପ୍ରାଧ୍ୟାପକ ଚିତ୍ତରଞ୍ଜନ ଦାସ ଭାବବିହ୍ୱଳ କଣ୍ଠରେ ଭାଇଙ୍କ ସ୍ମୃତି ଗାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।