ମାରୱାଡ଼ି ମହିଳା ସମ୍ମେଳନ ପକ୍ଷରୁ ଦିୱାଲୀ ମେଳା
ବାଲେଶ୍ୱର, (ସରୋଜ ପଣ୍ଡା):ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମ୍ମେଳନ, ବାଲେଶ୍ୱର ଶାଖା ପକ୍ଷରୁ ଦିୱାଲୀ ମେଳା ସହରର ମୋତିଗଞ୍ଜ ସ୍ଥିତ ରାଜସ୍ଥାନ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମାରୱାଡ଼ି ମହିଳା ସମ୍ମେଳନର ନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷା ଅଞ୍ଜୁ ସରାଓଗୀଙ୍କ ସମେତ ବାଲେଶ୍ୱର ମାରୱାଡ଼ି ମହିଳା ସମିତିର ପୂର୍ବତନ ସଭାନେତ୍ରୀମାନେ ଏହି ମେଳାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମାରୱାଡ଼ି ମହିଳାଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ସହ ଭାବ ଆଦାନ ପ୍ରଦାନର ଏହା ଏକ ମାଧ୍ୟମ ହୋଇଛି ବୋଲି ସେମାନେ ମତ ପ୍ରକାଶ କରିଥିଲେ । ମହିଳାଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଏହି ମେଳା ବେଶ୍ ସହାୟକ ହୋଇପାରିଛି ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷା ଶ୍ରୀମତି ସରାୱଗୀ ପ୍ରକାଶ କରିଥିଲେ । ବିଶେଷ କରି ଗ୍ରାମାଞ୍ଚଳରେ ମହିଳାମାନଙ୍କ ଦ୍ୱାରା ତିଆରି ହେଉଥିବା ବିଭିନ୍ନ ଆକର୍ଷଣୀୟ ସାମଗ୍ରୀ ସହରର ମେଳା ମାଧ୍ୟମରେ ଅତି ସହଜରେ ମିଳିପାରୁଛି ବୋଲି ସେ କହିଥିଲେ । ମାରୱାଡ଼ି ମହିଳା ସମିତିର ସଭାନେତ୍ରୀ ପ୍ରିୟା ଅଗ୍ରୱାଲ ଓ ସମ୍ପାଦିକା ସୋନାଲ ମୋଦିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମେଳା ଆୟୋଜିତ ହୋଇଥିଲା । ମାରୱାଡ଼ି ମହିଳାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବା ସହିତ ଗୋଟିଏ ସ୍ଥାନରେ ଲୋକେ ବିଭିନ୍ନ ପ୍ରକାର ବ୍ୟବହାର ଉପଯୋଗୀ ସାମଗ୍ରୀ କ୍ରୟ କରିବାର ସୁଯୋଗ ପାଇପାରୁଛନ୍ତି ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଥିଲେ । ବାଲେଶ୍ୱର, ବାରିପଦା ଓ କୋଲକାତାରୁ ଏଥିରେ ୧୮ଟି ଷ୍ଟଲ ସ୍ଥାନୀତ ହୋଇଥିବା ବେଳେ ଲଡ଼ୁ ଗୋପାଲଙ୍କ ପାଇଁ ପ୍ରସାଦ, ହାତ ତିଆରି ଠାକୁରଙ୍କ ପୋଷାକ, ମାଟିଦୀପ, ଡ୍ରେସ ମେଟେରିଆଲ, ବିଛଣା ସଜ, ବେଡସିଟ୍, ଜୁଏଲାରୀ ପ୍ରଭୃତି ଏଥିରେ ବିକ୍ରି ହୋଇଥିଲା । ମାତ୍ର ଗୋଟିଏ ଦିନ ପାଇଁ ଏହି ମେଳା ବସିଥିଲେ ବି ଜିନିଷପତ୍ର କିଣିବାକୁ ବହୁ ମହିଳା ଏକତ୍ରିତ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।