ମାଛଚାଷ ପାଇଁ ମଞ୍ଜୁର ଋଣ ସମବାୟ ସମିତି ପ୍ରଦାନରେ ଅବହେଳା ନେଇ ଅଭିଯୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମାଛଚାଷ ପାଇଁ ମଞ୍ଜୁର ହୋଇଥିବା ଋଣ ଅର୍ଥ ପ୍ରଦାନ କରିବାରେ ତାଳଚୁଆ ସମବାୟ ସମିତି ଅବହେଳା କରୁଥିବା ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ରଙ୍ଗଣୀ ଗ୍ରାମର ଚାଷୀ ନାରାୟଣ ବର କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରାଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ସେ ସ୍ୱଳ୍ପ ଚାଷଜମିରେ ଚାଷ କରିବା ସହିତ ବାୟୋଫଲାକ ଟାଙ୍କିରେ ମାଛଚାଷ କରି ପରିବାର ଭରଣପୋଷଣ କରିଥାନ୍ତି । କିନ୍ତୁ ସେହି ଟାଙ୍କି ଗୁଡିକ ବିଗତ ‘ୟାସ’ ବାତ୍ୟାରେ ଭାଙ୍ଗି ଯିବାରୁ ସେ ମତ୍ସ୍ୟ ବିଭାଗକୁ ଋଣ ନିମନ୍ତେ ଆବେଦନ କରିଥିଲେ । ତାଙ୍କ ଋଣ ଦରଖାସ୍ତ ଉପରେ ତଦନ୍ତ କରାଯାଇ ସେ ଋଣ ପାଇବାକୁ ଯୋଗ୍ୟ ହୋଇଥିବା ଦୃଷ୍ଟିରୁ ତାଙ୍କ ଋଣ ଦରଖାସ୍ତଟି ମଞ୍ଜୁର ହୋଇ ତାଳଚୁଆ ସମବାୟ ସମିତିକୁ ଆସିଥିଲା । ଏ ସମ୍ପର୍କରେ ଜାଣିବା ପରେ ଚାଷୀ ଶ୍ରୀ ବର ସମିତିକୁ ଯାଇ ତାଙ୍କ ଋଣ ଅର୍ଥ ପ୍ରଦାନ କରାଯିବାକୁ ନିବେଦନ କରିଥିଲେ । କିନ୍ତୁ ସମିତିର ସମ୍ପାଦକ ଏବଂ ସହସମ୍ପାଦକ ତାଙ୍କୁ ବାରମ୍ବାର ଦୈାଡାଇବା ସହିତ କହିଥିଲେ ଯେ ସମିତିର ସଭାପତିଙ୍କ କହିବା ଅନୁଯାୟୀ ତାଙ୍କୁ ଋଣ ପ୍ରଦାନ କରାଯିବ ନାହିଁ । ଏଥିସହିତ ତାଙ୍କୁ ଅତ୍ୟନ୍ତ ଅଭଦ୍ରୋଚିତ ଭାବରେ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ ଏସମ୍ପର୍କରେ ଆବଶୟକ ପଦକ୍ଷେପ ଗ୍ରହଣ କରିବାକୁ ରାଜନଗର ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ