ଖଲ୍ଲିକୋଟ ରେ ଅଭାନୀୟ ଘଟଣା; ବାଣ ଭିଡୁ ଥିବା ବେଳେ ବିସ୍ଫୋରଣ ଘଟି ଯୁବକ ମୃତ

ଖଲ୍ଲିକୋଟ, (ରାଜୀବ ଚନ୍ଦ୍ର ଖାଡଙ୍ଗା):ଖଲ୍ଲିକୋଟ ଅରବିନ୍ଦ ନଗରରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି ।କରଣ ସାହି ଶେଷରେ ଥିବା ଅରବିନ୍ଦ ନଗର ରେ ରହୁଥିବା ଜଣେ ଯୁବକ ଆଜି ସକାଳ ସାଢ଼େ ୭ଟାରେ ବାଣ ଭିଡ଼ୁଥିବା ସମୟରେ ଅସାବଧାନତା ଯୋଗୁଁ ବାଣ ବିଷ୍ପୋରଣ ଘଟି ଯୁବକ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଆସିଥିଲେ । ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ମୃତ ଯୁବକ ଜଣକ ଅବସର ପ୍ରାପ୍ତ ଶିକ୍ଷକ ଭାସ୍କର ପ୍ରଧାନ ଙ୍କ ପୁଅ ଜିତେନ୍ଦ୍ର କୁମାର ପ୍ରଧାନ (୩୦)ବୋଲି ଜଣାପଡ଼ିଛି । ଖବର ପାଇ ଖଲ୍ଲିକୋଟ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ ।ବମ ସ୍କ୍ବାର୍ଡ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଥିଲେ ।ତାଙ୍କ ଘର ଭିତରୁ ପୋଲିସ ବିପୁଳ ପରିମାଣର ବାରୁଦ ସହ ବାଣ ତିଆରି ସରଞ୍ଜାମ ଜବତ କରିଛି ।ଏତେ ମାତ୍ରାରେ ବାରୁଦ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ତଦନ୍ତ କାରୀ ଟିମ ।ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ପାର୍ଶ୍ଵରେ ଥିବା ତିନି ମହଲା ବିଶିଷ୍ଟ ଛାତ ଘର ର ତୃତୀୟ ମହଲା ରେ ଜିତେନ୍ଦ୍ର ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣ ରେ ଘର ଭିତରେ ପାଣି ସହ ଯୁବକ ଙ୍କ ରକ୍ତ ଜମି ରହିଥିଲା ।ବିସ୍ଫୋରଣ ରେ ଜିତେନ୍ଦ୍ର ଙ୍କ ଗୋଟିଏ ହାତ ଛିଡି ଯାଇଥିବା ବେଳେ ଛାତି ଓ ମୁହଁ କ୍ଷତିଗ୍ରସ୍ତ ହୋଇଛି ।ଘର ଭିତର ଟି ଏକ ସୁଡ଼ଙ୍ଗ ଭଳି ହୋଇଥିବା ବେଳେ ତିନି ମହଲା ବିଶିଷ୍ଟ ଏହି ଘରେ ତଳ ଘରେ ଭାସ୍କର ପ୍ରଧାନ ଙ୍କ ପରିବାର ରହୁଥିବା ବେଳେ ଦ୍ୱିତୀୟ ମହଲା ରେ ପ୍ରାୟ ୩୦ ରୁ ୩୫ ଜଣ କଲେଜ ଛାତ୍ର ଭଡା ରେ ରହୁଥିଲେ ।ତୃତୀୟ ମହଲା ରେ ବିସ୍ଫୋରଣ ଘଟିଥିଲା ବେଳେ ତଳ ଘର ଗୁଡିକ କୌଣସି କ୍ଷତିଗ୍ରସ୍ତ ହୋଇ ନ ଥିବାରୁ ଏକ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ପରିବାର ସଦସ୍ୟ ଓ ଭଡା ରେ ରହୁଥିବା କଲେଜ ଛାତ୍ର ମାନେ ।ପୋଲିସ ବର୍ତ୍ତମାନ ଘରକୁ ଖାଲି କରି ନିଜ ସୁରକ୍ଷା ବଳୟ ରେ ରଖିଥିଲା।ବିଭିନ୍ନ ଯାନୀ ଯାତ୍ରା, ବାହାଘର ଓ ଉତ୍ସବ ରେ ବାଣ ଫୁଟାଇବା ପାଇଁ ଜିତେନ୍ଦ୍ର ବାଣ ଯୋଗାଉଥିଲେ ବୋଲି ଜଣାପଡିଛି ।ଗତ ୫/୭ ବର୍ଷ ଧରି ସେ ଏହି ଘରେ ବାଣ ତିଆରି କରି ସପ୍ଲାଇ କରୁଥିଲେ ।ବିପଦ ପୂର୍ଣ୍ଣ ଭାବେ ଘରେ ଏତେ ସଂଖ୍ୟକ ବାରୁଦ ଜମା କରି ତାହା ପୁଣି ନିଜ ପରିବାର ସଦସ୍ୟ ଙ୍କ ସହ ଭଡା ରେ ୩୦/୩୫ ଜଣ କଲେଜ ଛାତ୍ର ଙ୍କୁ ରଖି ବାଣ ତିଆରି କରୁଥିବା ବେଳେ କେହି କେମିତି ଜାଣି ପାରିନାହାନ୍ତି ।ଦୀର୍ଘ ଦିନ ଧରି ଖଲ୍ଲିକୋଟ ର ମୁଖ୍ୟ ରାସ୍ତା କଡରେ ଦୁଇଟି ଶିକ୍ଷାନୁଷ୍ଠାନ ମଝିରେ ଥିବା ଏକ ଘରେ ଏତେ ବଡ ଧରଣର ବାଣ ତିଆରି ହେଉଥିବା ବେଳେ ପୋଲିସ କିପରି ଜାଣି ପାରୁ ନ ଥିଲା ତାହାକୁ ନେଇ ସାଧାରଣ ରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଖଲ୍ଲିକୋଟ ପୋଲିସ ମେଡ଼ିକାଲ ରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିଲା ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା କେସ ନମ୍ବର ୬୪୨/୨୦୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ ହୋଇଥିବା କହିଛନ୍ତି ଏସ ଆଇ ଅମ୍ବିକା ବେଣିଆ ।ଅପରାହ୍ନ ରେ ଜିତେନ୍ଦ୍ର ଙ୍କ ମୃତଦେହ କୁ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାର କୁ ନିଆଯାଇଛି ।ଗତକାଲି ଏକ ବଡ଼ ଧରଣର ଦୁର୍ଘଟଣା ଘଟି ଖଲ୍ଲିକୋଟ ଅଞ୍ଚଳର ୨ ଜଣ ଯୁବକ ଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ରେ ଚିକିତ୍ସିତ ହେଉଥିବା ଟ୍ରକ ଡ୍ରାଇଭର ସିନ୍ତୁ ୟାଦବ ର ଆଜି ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ବ୍ରହ୍ମପୁର ଓ ଭୁବନେଶ୍ୱର ମେଡ଼ିକାଲ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳୁ ବାଣ ତିଆରି କରୁଥିବା ସମୟରେ ବିସ୍ଫୋରଣ ଘଟି ଜିତେନ୍ଦ୍ର ପ୍ରଧାନ ଙ୍କ ମୃତ୍ୟୁ ଖଲ୍ଲିକୋଟ ଅଞ୍ଚଳରେ ଶୋକ ର ଛାୟା ଖେଳାଇ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ