ବାଲିବରେଇ ପଞ୍ଚାୟତରେ ରାସନକାର୍ଡରେ ଦୁର୍ନୀତିର ପେଡି ଖୋଲିବ କେବେ, ସମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଲମ୍ବା ତାଲିକା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ଏବେ ରେସନକାର୍ଡ ଦୁର୍ନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ଜଣେ ବ୍ୟକ୍ତି ପୁର୍ବରୁ ରାସନକାର୍ଡ ହାତେଇଥିବା ବେଳେ ସେମାନଙ୍କ ପରିବାର ଲୋକଙ୍କ ନାମରେ ପୁନର୍ବାର ଅନ୍ତୋର୍ଦ୍ଦୟ ଯୋଜନାର କାର୍ଡ ଯୋଗାଇ ଦିଆଯିବା ଖବର ପ୍ରକାଶିତ ହେବାପରେ ବ୍ଲକ ପକ୍ଷରୁ ଯୋଗାଣ ଅଧିକାରୀ ଦିଲ୍ଲିପ କୁମାର ସାହୁ ଏହି ଗାଁକୁ ଯାଇ ଏହାର ତଦନ୍ତ କରି ଦୁଇଜଣ ହିତାଧିକାରୀଙ୍କ ରେସନକାର୍ଡକୁ ବାତିଲ କରିଛନ୍ତି । ସେହିପରି ଏବେ ୯୬ଜଣ ହିତାଧିକାରୀଙ୍କ ନାମରେ ମିଥ୍ୟା ରେସନ ସାମଗ୍ରୀ ଉଠାଣ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏପରିକି ସାମାଜିକ ଗଣମାଧ୍ୟମରେ ଏବେ ଏହାର ଏକ ଲମ୍ବା ତାଲିକା ଘୁରି ବୁଲୁଛି । ଏହି ୯୬ଜଣ ହିତାଧିକାରୀଙ୍କ ମଧ୍ୟରୁ ଅନେକ ମୃତୁ୍ୟବରଣ କରିଥିବାବେଳେ ଆଉ କିଛି ଲୋକ ଏଠାରେ ରହୁ ନଥିବା ଓ କିଛି ଭୁତ ଲୋକଙ୍କ ନାମରେ ରେସନକାର୍ଡ ଥାଇ ସେମାନଙ୍କ ନାମରେ ରେସନ ସାମଗ୍ରୀ ଉଠୁଥିବା ଓ ଦୀର୍ଘଦିନ ହେବ ଏପରି ଚାଲି ଆସୁଛି ବୋଲି ଅଭିଯୋଗ ହୋଇଛି । ଏପରିକି ଗତ କୋଭିଡ ସମୟରେ ରେସନକାର୍ଡ ଧାରୀ ମାନଙ୍କୁ ସହାୟତା ପାଇୃ ଆସିଥିବା ଏକ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ମଧ୍ୟ ବାଟମାରଣା ହୋଇଥିବା ଚର୍ଚ୍ଚା ହେଉଛି । ଏ ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ଦିଲ୍ଲିପ କୁମାର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ତାଙ୍କୁ କେହି ଲିଖିତ ଭାବେ ଅଭିଯୋଗ କରି ନାହାନ୍ତି । ମାତ୍ର ସମାଜିକ ଗଣମାଧ୍ୟମରୁ ଏପରି ଏକ ଅଭିଯୋଗ ସମ୍ପର୍କରେ ଜାଣିବାକୁ ପାଇଛନ୍ତି । ଦିନେ ଦୁଇଦିନ ଭିତରେ ଏହାର ତଦନ୍ତ କରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ବିଶେଷତଃ ହାଟଡିହି ବ୍ଲକଟି ଜିଲ୍ଲାର ସର୍ବ ବୃହତ ବ୍ଲକ ହୋଇଥିଲେବି ଏଠାରେ କେହି ସ୍ଥାୟୀ ଯୋଗାଣ ଅଧିକାରୀ ନଥିବାରୁ ଯୋଗାଣ ବିଭାଗରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ବର୍ତ୍ତମାନ ଯୋଗାଣ ଅଧିକାରୀ ଦାୟିତ୍ୱ ଗ୍ରହଣ କରିଥିବା ଦିଲ୍ଲିପ କୁମାର ସାହୁ ଦୁଇ ଦୁଇଟି ବ୍ଲକର ଚାର୍ଜରେ ଥିବାରୁ ସେ ଅଧିକ ସମୟ ଦେଇ ପାରୁ ନାହାନ୍ତି ବୋଲି କହିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଠାରେ ଜଣେ ସ୍ଥାୟୀ ଯୋଗାଣ ଅଧିକାରୀ ନିଯୁକ୍ତ କରିବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ