ଆଦିବାସୀ ଅଞ୍ଚଳରେ ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆଙ୍କ ଦୈରାତ୍ମ୍ୟକୁ ରୋକିବା ପାଇଁ ବିପ୍ଳବୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ବଜ୍ର ଶପଥ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ମହାନ୍ କ୍ରାନ୍ତିକାରୀ ବିପ୍ଳବୀ ବିର୍ସା ମୁଣ୍ଡା ଙ୍କ ୧୪୭ ତମ ଜନ୍ମ ଜୟନ୍ତୀରେ ଆଦିବାସୀ ଭାରତ ମହାସଭା ପକ୍ଷରୁ ଭଞ୍ଜନଗର ଠାରେ ଆଦିବାସୀ ମେଳିର ଆହ୍ବାନରେ ଶତାଧିକ ଆଦିବାସୀ ମହିଳା ଓ ପୁରୁଷ ଏକାଠି ହୋଇ ଭଞ୍ଜନଗର ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ର ରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଜଙ୍ଗଲ ସଂରକ୍ଷଣ ନିୟମାବଳୀ ୨୦୨୨ ପ୍ରତ୍ୟାହାର, ଜଙ୍ଗଲ ଅଧିକାର ଆଇନ ୨୦୦୫ ଅନୁଯାୟୀ ଆଦିବାସୀଙ୍କୁ ତୁରନ୍ତ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା, ଆଦିବାସୀଙ୍କ ନାମରେ ଥିବା ଜମିକୁ ଚିହ୍ନଟ କରିବା, ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ହେଉଥିବା ସଂଘର୍ଷର ସ୍ଥାୟୀ ସମାଧାନ, ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କୁ ନିଜ ହକ ପ୍ରଦାନ କରିବା ସହ ଜୀବନ ଓ ଜୀବିକା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ବ୍ୟାପକ ଆଇନ, ଆନ୍ଧ୍ର ଓ ଗୁକରାଟ ଜମି ମାଫିଆମାନେ ଜମି ଦଲାଲ ଓ ସରକାରୀ କଳକୁ ହାତେଇ ଫର୍ଜି ପଟ୍ଟା ତିଆରା କରି ଆଦିବାସୀଙ୍କ ଅଧିକାରକୁ ହରିଲୁଟ କରି ଆସୁଥିବା ଏବଂ ଜଙ୍ଗଲ ଓ ପରିବେଶ ଧ୍ୱଂସଂ କରି ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରୁଥିବା ଜମି ମାଫିଆ ଙ୍କୁ ଦୃଢ଼ ହସ୍ତରେ ଦମନ କରିବା ସହ ଫର୍ଜି ପଟ୍ଟାକୁ ରଦ୍ଧ କରି ଆଦିବାସୀଙ୍କ ନାମରେ ପଟ୍ଟା ପ୍ରଦାନ କରିବା ଆଦି ଦାବୀରେ ଏହି ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି।ଆମ ଦେଶର ମୁଖ୍ୟଧାରର ଇତିହାସ ଏ ଦେଶର ଆଦିବାସୀ ସମୁଦାୟର ବ୍ରିଟିଶ ବିରୋଧି ସଂଗ୍ରାମରେ ଅସୀମ ବଳିଦାନକୁ ସର୍ବଦା ଅଣଦେଖା କରି ଆସିଛି, ପ୍ରକୃତପକ୍ଷେ ବ୍ରିଟିଶ ବିରୋଧି ମୁକ୍ତି ସଂଗ୍ରାମରେ ସର୍ବାଧିକ ବଳିଦାନ ଆମ ଦେଶର ଆଦିବାସୀ ସମୁଦାୟ ହିଁ ଦେଇଥିଲେ। ଜମି ଓ ଜଙ୍ଗଲକୁ ଇଂରେଜ ସରକାର ଆଇନଗତ ଭାବେ ଅକ୍ତିଆର କରିବାକୁ ବିରୋଧ କରି ତଥା ଚାଲି ଆସିଥିବା ଆଦିବାସୀ ସ୍ଵ-ଶାସନ ବ୍ୟବସ୍ଥାରେ ବାହ୍ୟ ହସ୍ତକ୍ଷେପ ପ୍ରତିବାଦରେ ଦେଶର ଚାରିଆଡେ ଆଦିବାସୀ ସମୁଦାୟ ହିଁ ପ୍ରଥମେ ସାଲିସବିହୀନ ଲଢେଇ ଆରମ୍ଭ କରିଥିଲେ ବିର୍ସା ମୁଣ୍ଡା ଙ୍କ ନେତୃତ୍ବରେ ହୋଇଥିବା ମୁଣ୍ଡା ବିଦ୍ରୋହ, ଭଞ୍ଜ ନଗର – ନୟାଗଡ଼ – ଫୁଲବାଣୀ ଅଞ୍ଚଳର ଦୋରା ଓ ଚକରା ବିଶୋଇ ଙ୍କ ନେତୃତ୍ୱରେ କନ୍ଧ ବିଦ୍ରୋହ ଆଦି ଉଲ୍ଲେଖନୀୟ ଘଟଣା କିନ୍ତୁ ଏହାକୁ ଅଣଦେଖା କରାଯାଉଛି । କ୍ଷମତା ହସ୍ତାନ୍ତରର ପଞ୍ଚସ୍ତ୍ତରି ବର୍ଷ ବିତି ଗଲାଣି।ମାତ୍ର ଏ ଦେଶର ଆଦିବାସୀ ସମୁଦାୟ ଯେଉଁ ଅଧିକାରର ସ୍ବପ୍ନ ନେଇ ଇଂରେଜ ସରକାର ବିରୋଧରେ ଲଢିଥିଲେ ଓ ସର୍ବୋଚ୍ଚ ବଳିଦାନ ଦେଇଥିଲେ ଆଜି ସେହି ସ୍ବପ୍ନ ଭୁଲୁଣ୍ଠିତ। ଇଂରେଜ ସରକାର ସମୟରେ ହୋଇଥିବା ଜମି ଅପହରଣର କାହିଁ କେତେ ଗୁଣ ଅଧିକ ଆଦିବାସୀଙ୍କ ଜଳ, ଜମି ,ଜଙ୍ଗଲକୁ ଆଜିର ସରକାର ଶିଳ୍ପ/କାରଖାନା/ରାଜପଥ ନାଁରେ କବାଜା କରି ଚାଲିଛି।ଦେଶୀ / ବିଦେଶୀ ପୁଞ୍ଜିପତିମାନଙ୍କୁ ଏହାକୁ ଟେକି ଦିଆ ଯାଉଛି। ଆଜି ସେହିପରି ଆଦିବାସୀ ସ୍ଵ – ଶାସନ ବ୍ୟବସ୍ଥାକୁ ନାନା ଭାବରେ ଖତମ କରି ଦିଆ ଯାଉଛି। ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ଦେଶଦ୍ରୋହୁ ଆଖ୍ୟା ଦିଆଯାଉଛି । ଲକ୍ଷ ଲକ୍ଷ ଏକର ଜମି ଓ ଜଙ୍ଗଲକୁ ଦେଶୀ ବିଦେଶୀ ପୁଞ୍ଜିପତିଙ୍କ ହାତରେ ବିନା ବାଧାରେ ଟେକି ଦେବା ପାଇଁ ଆମ କେନ୍ଦ୍ର ସରକାରଙ୍କ ସଂଶୋଧନ ପ୍ରସ୍ତାବ ଆଣିଛନ୍ତି ଯାହିକି ଆଦିବାସୀ ସମାଜ, ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ଏକ ବଡ ପ୍ରଶ୍ନବାଚୀ ବୋଲି ଆଦିବାସୀ ନେତୃତ୍ବ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ। ଗଞ୍ଜାମ ଜିଲ୍ଲାର ଶହ ଶହ ଏକର ଆଦିବାସୀଙ୍କ ଜମିକୁ ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆ ସରକାରୀ କଳକୁ ହାତେଇ ଫର୍ଜି ପଟ୍ଟା କରି ଆଦିବାସୀଙ୍କୁ ତଳି ତଳାନ୍ତ କରୁଛନ୍ତି। ଏହାର ଜ୍ଵଳନ୍ତ ଉଦାହରଣ ହେଉଛି ଜଗନ୍ନାଥ ପ୍ରସାଦ ତହସିଲ ଅନ୍ତର୍ଗତ ଏକଘରିଆ ପଲ୍ଲୀ, ଢିମିରିପଲ୍ଲୀ, ବରବରା ଆଦି ଅଞ୍ଚଳ ଶହ ଶହ ଆଦିବାସୀଙ୍କ ଜମି କରାୟତ ସେହିପରି ବୁଗୁଡ଼ା ତହସିଲ ର ବେଲଗୁମା, କଣ୍ଡରାଇ, ନିମପଲ୍ଲୀ, ସମଲାଇ ର ଶହ ଶହ ଏକର ଜମି ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆଙ୍କ ଫର୍ଜି ପଟ୍ଟା ଦ୍ବାରା ନିୟନ୍ତ୍ରିତ। ଏହା ବିରୁଦ୍ଧରେ ନିରନ୍ତର ଆଦିବାସୀମାନେ ସ୍ବର ଉତ୍ତୋଳନ କରି ଆସୁଥିଲେ ସୁଦ୍ଧା ସରକାରଙ୍କ ଆନ୍ତରିକତା ଅଭାବରୁ ଜମି ଦଲାଲ, ଆନ୍ଧ୍ର ଓ ଗୁଜରାଟ ଜମି ମାଫିଆମାନେ ପ୍ରବେଶ କରି ଆଦିବାସୀଙ୍କ ଅଧିକାର କୁ ହଡ଼ପ କରୁଛନ୍ତି ।ଆଦିବାସୀ ଭାରତ ମହାସଭା ର ରାଜ୍ୟ ଆବାହକ କମ୍ରେଡ ଟୁନା, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବୁଗୁଡ଼ା ବ୍ଳକ ସଭାପତି ବଳଭଦ୍ର ମଳିକ, ରାମ୍ପୋର ଚିତ୍ରସେନ ଜାନି, କଣ୍ଡରାଇ ର ନିଧିଆ ପ୍ରଧାନ, କ୍ରାନ୍ତିକାରୀ ମହିଳା ସଂଘର ନେତ୍ରୀ ସଂଧ୍ୟା ରାଣୀ ପ୍ରଧାନ, କ୍ରାନ୍ତିକାରୀ କୃଷକ ସଭା ର କାର୍ତିକ ପ୍ରଧାନ, ବିପ୍ର ଜାନି, ସନ୍ତୋଷ ପ୍ରଧାନ, ସି.ପି.ଆଇ(ଏମ୍ ଏଲ୍) ରେଡ୍ ଷ୍ଟାର ର ଜିଲ୍ଲା ସମ୍ପାଦକ କମ୍ରେଡ ଶଙ୍କର, ଶ୍ରମିକ କର୍ମଚାରୀ ସମନ୍ବୟ ସମିତିର ନେତା ହରେକୃଷ୍ଣ ସାହୁ, ଯୁବ ନେତା ଦିଲ୍ଲୀପ ସମେତ ବହୁ ଆଦିବାସୀ ମହିଳା ପୁରୁଷ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ