ସଢ଼ା ପଞ୍ଚାୟତ ଦୁର୍ନୀତି ଅଭିଯୋଗର ୨ୟ ଦିନରେ ତଦନ୍ତ କଲେ ଲୋକାୟୁକ୍ତ ଟିମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସଢ଼ା ପଞ୍ଚାୟତରେ ଆବାସ ଯୋଜନା ଓ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ଲୋକାୟୁକ୍ତରେ ହୋଇଥିବା ଅଭିଯୋଗର ତଦନ୍ତ କରିଛନ୍ତି ଲୋକାୟୁକ୍ତଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ତଦନ୍ତ ଟିମ । ଲୋକାୟୁକ୍ତଙ୍କ ତଦନ୍ତକାରୀ ସଂସ୍ଥାର ଉପନିଦେ୍ର୍ଦଶକ ସସ୍ମିତା ଲେଙ୍କାଙ୍କ ନେତୃତ୍ୱରେ ଏହି ଟିମ ଆଜି ଦ୍ୱିତୀୟ ଦିବସରେ ପଞ୍ଚାୟତର ବିଭିନ୍ନ ସ୍ଥାନକୁ ଯାଇ ମନରେଗା ଓ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦନ୍ତ କରିଛି । ଆଜି ଏହି ଟିମ ବ୍ଲକରେ ପହଞ୍ଚିବା ପରେ ବ୍ଲକର କନିଷ୍ଠଯନ୍ତ୍ରୀ ସୁକାନ୍ତ ନାୟକ, କନିଷ୍ଠଯନ୍ତ୍ରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ, ପିଇଓ ମହେଶ୍ୱର ସାହୁ, ଜିଆରଏସ ପଙ୍କ ତ୍ରୀପାଠୀ, ଅନନ୍ତ ଚରଣ ନାୟକ ପ୍ରମୁଖ ସଢ଼ା ପଞ୍ଚାୟତକୁ ଯାଇ ପ୍ରଥମେ ସଢ଼ା ପଞ୍ଚାୟତ ସମ୍ମୁଖରେ ଥିବା ବୈଦ୍ୟନାଥ ମନ୍ଦିର ନିକଟରେ ନିର୍ମାଣ ହୋଇଥିବା ଆମଗାଁ ଆମ ବିକାଶ ଘର ପରିଦର୍ଶନ କରିଥିଲେ । କିନ୍ତୁ ଘରର ଫଳକ ନଥିବା ସମ୍ପର୍କରେ ପଚାରିବାରୁ ସେଠାରେ ଉପସ୍ଥିତ ଥିବା ଗ୍ରାମବାସୀମାନେ ଫଳକ ଭାଙ୍ଗିଯାଇଥିବା ଓ ଦୁଇତିନିଥର ରଙ୍ଗ ହେବାରୁ କାନ୍ଥର ଫଳକ ଲେଖା ଲିଭିଯାଇଥିବା କହିଥିଲେ । ସେପରି ନିକଟସ୍ଥ ପୋଖରୀରେ ତିନିଗୋଟି ପ୍ରକଳ୍ପର ଅନୁଦାନ ଖର୍ଚ୍ଚ ହୋଇଥିବା ଦେଖିଥିଲେ । ପରେ ସେହି ମନ୍ଦିର ପଛପାଖ ଖେଳପଡିଆ ନିର୍ମାଣ, ମନ୍ଦିର ସମ୍ମୁଖ ପଡିଆ ନିର୍ମାଣ ସ୍ଥଳ ପରିଦର୍ଶନ କରି ତାହାର ରେକର୍ଡପତ୍ର ଯାଞ୍ଚ କରିଥିଲେ । ସେହିପରି ଏହି ପଞ୍ଚାୟତର ମଉଦା, ମିଠିଗାଁ ଆଦି ଗ୍ରାମରେ ହୋଇଥିବା ନିର୍ମାଣ କାର୍ଯ୍ୟ ଗୁଡିକୁ ତଦନ୍ତ କରିବାକୁ ଯାଇଥିଲେ । ମଉଦା ଗ୍ରାମରେ ତଦନ୍ତ ପାଇଁ ଯିବାବେଳେ ସେଠାରେ କିଛି ଗ୍ରାମବାସୀ ତଦନ୍ତକାରୀ ଦଳକୁ ତଦନ୍ତ କରିବାକୁ ଦେଇ ନଥିଲେ । ଆମ କାର୍ଯ୍ୟ ସବୁ ଠିକ ଅଛି କିଏ ଅଭିଯୋଗ କରିଛି ସେ ଆସୁ ବୋଲି କହି ପ୍ରବଳ ଗାଳିଗୁଲଜ କରିବାରୁ ତଦନ୍ତକାରୀ ଦଳ ତଦନ୍ତ କରିନପାରି ଫେରିଆସିବାକୁ ବାଧ୍ୟ ହୋଇଥିଲେ । ଏପରିକି କିଛି ଅଭିଯୋଗ କାରୀ ତଦନ୍ତକାରୀ ଦଳକୁ ଆମେ ସେତେବେଳେ କାମ ହୋଇ ନଥିଲା, ତେଣୁ ଲୋକାୟୁକ୍ତରେ ଅଭିଯୋଗ କରିଥିଲୁ, କିନ୍ତୁ ଅଭିଯୋଗର ଦେଢ଼ବର୍ଷ ପରେ ତଦନ୍ତ ହେଉଛି, କିନ୍ତୁ ଏହି ଦେଢ଼ବର୍ଷ ଭିତରେ ସେସବୁ କାମ ଗୁଡିକ ପୁର୍ଣ୍ଣାଙ୍ଗ ହୋଇ ଯାଇଛି ବୋଲି ଲିଖିତ ଜଣାଇଛନ୍ତି । ଏଠାରେ ସୁଚନା ଯୋଗ୍ୟ ଯେ ଗତ ୨୦୨୧ ମସିହାରେ ଏହି ପଞ୍ଚାୟତରେ ଆବାସ ଯୋଜନା, ଓ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ କିଛି ବ୍ୟକ୍ତି ଲୋକାୟୁକ୍ତରେ ଅଭିଯୋଗ କରିବାପରେ ଲୋକାୟୁକ୍ତ ୬୧୩/ ୨୦୨୧ରେ ଏକ ମାମଲା ରୁଜୁ କରିବା ସହ କେନ୍ଦୁଝର ଜିଲ୍ଲାପାଳ, ହାଟଡିହି ବିଡିଓଙ୍କୁ ଏହାର ରିପୋର୍ଟ ମାଗିଥିଲେ । ହାଟଡିହି ବିଡିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରାଯାଇ ସମସ୍ତ କାର୍ଯ୍ୟ ଠିକ ହୋଇଥିବା ଓ କୌଣସି ଦୁର୍ନୀତି ହୋଇନଥିବା ନେଇ ଲୋକାୟୁକ୍ତଙ୍କୁ ଅବଗତ କରିଥିଲେ । ଗତ ଅଗଷ୍ଟ ମାସରେ ଅଭିଯୋଗକାରୀଙ୍କ ମଧ୍ୟରୁ ଅନ୍ୟତମ ଅଭିଯୋଗ କାରୀ ଅନନ୍ତ ଚରଣ ପହି ତଦନ୍ତ ଠିକ ହୋଇନଥିବା ଅଭିଯୋଗ କରିଥିଲେ । ଲୋକାୟୁକ୍ତ ଏହାର ବିଚାର କରି ସେପ୍ଟେମ୍ବର ୨୬ରେ ଦୁଇଜଣିଆ ଖଣ୍ଡପୀଠ ନିଜର ତଦନ୍ତକାରୀ ସଂସ୍ଥାକୁ ତଦନ୍ତ କରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।


