‘ଗ୍ରେଡ ପେ’ ତାରତମ୍ୟକୁ ନେଇ ତାତିଲା ଓଡ଼ିଶା ଅମଲା ସଂଘ
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ଓଡ଼ିଶା ଅମଲା ସଂଘ ବାଲେଶ୍ୱର ଶାଖା ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି ।ଏନେଇ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଏକ ଶୋଭାଯାତ୍ରା ଖ୍ରୀଷ୍ଟିୟାନ ହାଇସ୍କୁଲ ପଡ଼ିଆରୁ ବାହାରି ସହର ପରିକ୍ରମା ସହ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସଂଘର ଅଧ୍ୟକ୍ଷ ପତୀତପାବନ ଦାସ, ସଭାପତି ଲକ୍ଷ୍ମୀଧର ଦାସ, କାର୍ଯ୍ୟକାରୀ ସଭାପତି ହିମାଂଶୁ ଶେଖର ଦାସ, ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି, ମୁଖ୍ୟ ସଂଯୋଜକ ବରେନ କୁମାର ପାତ୍ର ପ୍ରମୁଖ ଯୋଗଦେଇ ଯୋଗ୍ୟତା ଭିତ୍ତିକ ଦରମା (ଗ୍ରେଡ ପେ) ନିର୍ଦ୍ଧାରଣରେ ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ସେମାନଙ୍କ ଆଭିଯୋଗ ଅନୁସାରେ ସମାନ ଶିକ୍ଷଗତ ଯୋଗ୍ୟତା ଥିବା ରାଜସ୍ୱ ନିରୀକ୍ଷକଙ୍କ ଦରମା ହାର ୯,୩୦୦ ଟଙ୍କାରୁ ୪୨,୦୦୦ ଟଙ୍କାକୁ ସରକାର ବୃଦ୍ଧି କରିଥିବା ବେଳେ ଅନ୍ୟାନ୍ୟ ବିଭାଗର ଜିଲାସ୍ତରୀୟ ଅମଲାଙ୍କ ପ୍ରତି ଅବିଚାର କରାଯାଇଛି । ଏମିତିକି ଓଡ଼ିଶା ସଚିବାଳୟ ଓ ବିଭିନ୍ନ ବିଭାଗର ମୁଖ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ସହାୟକଙ୍କ ଦରମା ଜିଲାସ୍ତରୀୟ ଉପ-ବିଭାଗୀୟ ଅଧିକାରୀଙ୍କ ଦରମା ସମାନ ରଖାଯିବା କେଉଁ ନ୍ୟାୟରେ ବୋଲି ସଂଘର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତୃଣମୂଳ ସ୍ତରରେ କାର୍ଯ୍ୟକାରୀରେ ଜିଲାସ୍ତରୀୟ ଅମଲାମାନେ ନିଷ୍ଠାର ସହ କାର୍ଯ୍ୟକରି ଥା’ନ୍ତି । ମାତ୍ର ଗ୍ରେଡ ପେରେ ସରକାରଙ୍କ ତାରତମ୍ୟ ନୀତି କର୍ମଚାରୀଙ୍କ ଇଚ୍ଛାଶକ୍ତି ହ୍ରାସ କରିବା ବ୍ୟତୀତ ଆଉ କିଛି ନୁହେଁ ବୋଲି ସେମାନେ କହିଛନ୍ତି । ରାଜ୍ୟ ସରକାର ଏ ବାବଦରେ ତୁରନ୍ତ ଉଚିତ ପଦକ୍ଷେପ ନ ନେଲେ ଆସନ୍ତା ୨୭ ତାରିଖରେ ଭୁବନେଶ୍ୱରଠାରେ ସଂଘ ପକ୍ଷରୁ ଗଣଧାରଣା ଆରମ୍ଭ କରିବା ସାଙ୍ଗକୁ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ।


