ବାଲେଶ୍ୱର ଆଲୋୟେଜ ଚାଲିବା ଉପକ୍ରମ ଓ ବିରଳା ଟାୟାର୍ସର ମାଲିକାନା ହସ୍ତାନ୍ତର ନିଶ୍ଚିତ:ଏଚଏମଏସ

ବାଲେଶ୍ୱର, (ସରୋଜ ପଣ୍ଡା):ଅଚଳ ଜିଲାର ଦୁଇ ପ୍ରମୁଖ ଶିଳ୍ପାନୁଷ୍ଠାନ ବିରଳା ଟାୟାର୍ସ ଓ ବାଲେଶ୍ୱର ଆଲୋୟେଜ କାର୍ଯ୍ୟକ୍ଷମ ଦାବିରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗତକାଲିଠାରୁ ଆମରଣ ଅନଶନ ଜାରି ରହିଥିବା ବେଳେ କାରଖାନା ସ୍ଥିତି ସୁଧୁରିବା ସାଙ୍ଗକୁ ଶ୍ରମିକଙ୍କ ଭାଗ୍ୟ ଉଦୟ ନେଇ ଆଶ ପ୍ରକାଶ କରିଛି ହିନ୍ଦ ମଜଦୁର ସଭା (ଏଚଏମଏସ) । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଏଚଏମଏସ’ର ଜିଲା ସଭାପତି ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ ଦୁଇ ଶିଳ୍ପାନୁଷ୍ଠାନର ସାମ୍ପ୍ରିତକ ସ୍ଥିତି ଓ ନିକଟ ଭବିଷ୍ୟତରେ ହେବାକୁ ଯାଉଥିବା କାର୍ଯ୍ୟକ୍ଷମ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ଅଢ଼େଇ ବର୍ଷ ଧରି ଉତ୍ପାଦନ ବନ୍ଦ ରହିଥିବା ବିରଳା ଟାୟାର୍ସ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅତୀତରେ ଅବଗତ କରାଯାଇଛି । ଅନ୍ୟପକ୍ଷରେ କାରଖାନାର ସମସ୍ତ ଶ୍ରମିକ ସଂଗଠନ ଓ ଷ୍ଟାଫ ୟୁନିୟନ ପକ୍ଷରୁ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି)ରେ ମାମଲା ରୁଜୁ ହୋଇଥିଲା । ‘ଏନସିଏଲଟ’ର ଅନ୍ତରୀଣ ରାୟ ଅନୁସାରେ ବିରଳା ଟାୟାର୍ସ କର୍ତ୍ତୃପକ୍ଷ କାରଖାନା ଚଳାଇବାକୁ ଅସମର୍ଥ ହୋଇଥିବା ବେଳେ ଏହାର ମାଲିକାନା ଅନ୍ୟକୁ ହସ୍ତାନ୍ତର କରାଯିବ । ଏନେଇ ଦେଶର ବଡ଼ ବଡ଼ ଶିଳ୍ପ ଉଦ୍ୟୋଗୀଙ୍କ ସହ ସରକାରଙ୍କ ପକ୍ଷରୁ ଆଲୋଚନା ଜାରି ରହିଛି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ଏବଂ ବିରଳା ଟାୟାର୍ସର ନାମ ପରିବର୍ତ୍ତନ ସହ କାରଖାନା ନିଶ୍ଚିତ କାର୍ଯ୍ୟକ୍ଷମ ହେବ । ସେହିଭଳି ବାଲେଶ୍ୱର ଆଲୋୟେଜ କାର୍ଯ୍ୟକ୍ଷମ ପାଇଁ ୪ ମାସ ଧରି ଉପକ୍ରମ ଜାରି ରହିଥିବା ବେଳେ ବନ୍ଦ ସମୟରେ ବି ପ୍ରତ୍ୟେକ ଶ୍ରମିକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦରମା ଦିଆଯାଇଛି । ଆସନ୍ତା ୨୦ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇଯିବା ପରେ ଏହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି । ଦୁଇ ଶିଳ୍ପାନୁଷ୍ଠାନର ସ୍ଥିତି ସମ୍ପର୍କରେ ନ ଜାଣି ସଚେତନ ନାଗରିକମାନେ ଧାରଣା ଓ ଅନଶନରେ ବସିବାର କୌଣସି ଯଥାର୍ଥତା ନାହିଁ ।ଏହା ଦ୍ୱାରା ଶ୍ରମିକମାନେ ବିଭ୍ରାନ୍ତ ହେବାର ସମ୍ଭାବନା ରହଥିବା ବେଳେ ଏଥିରୁ ନିବୃତ୍ତ ହେବାକୁ ଶ୍ରୀ ସ୍ୱାଇଁ ନିବେଦନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିରଞ୍ଚି ପ୍ରଧାନ, ଶେଖ ମହିଉଦ୍ଦିନ, ଦାମୋଦର ମାସନ୍ତ ଓ ସୀତାରାମ ବର୍ଦ୍ଧନ ପ୍ରମୁଖ ହିନ୍ଦ ମଜଦୁର ସଭାର କର୍ମକର୍ତ୍ତା ଏହି ସାମ୍ବାଦିକ ସମ୍ମଳନୀରେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ