କନିଷ୍ଠ ଯନ୍ତ୍ରୀଙ୍କ ମନମୁଖୀ ନୀତିରେ ଚାଲିଛି ୫T କାର୍ଯ୍ୟ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୋପ ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଦାୟିତ୍ୱରେ ଥିବା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ମନମୁଖୀ ନୀତିରେ ୫T କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଖବରରୁ ପ୍ରକାଶଯେ ସରକାରୀ ନିର୍ଦେଶନାମା ଅନୁଯାୟୀ ୫T କାର୍ଯ୍ୟ ଆରମ୍ଭ ପୂର୍ବରୁ ପୁରାତନ ଛାତ୍ର ମାନଙ୍କୁ ନେଇ ଆଲୁମୁନି କମିଟି ଗଠନ, କାର୍ଯ୍ୟର ବ୍ୟୟ ଅଟକଳ, କାର୍ଯ୍ୟାଦେଶ ପ୍ରସ୍ତୁତି ସହ ଆର୍ଥିକ ଅନୁଦାନ ଆସିବା ପରେ ୫T ଅନ୍ତର୍ଗତ ସ୍ମାର୍ଟ ସ୍କୁଲ୍ ଯୋଜନାରେ ବିଦ୍ୟାଳୟ ନବୀକରଣ ଓ ରୁପାନ୍ତିକରଣ କାର୍ଯ୍ୟ କରାଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ମାତ୍ର ଏହି କାର୍ଯ୍ଯ ପାଇଁ ଆର୍ଥିକ ଅନୁଦାନ ଆସିନଥିବା ବେଳେ ବିନା କାର୍ଯ୍ୟାଦେଶ ତଥା ବିନା ବ୍ୟୟ ଅଟକଳରେ କାହା ଇଙ୍ଗିତରେ ଓ କେଉଁ ସରକାରୀ ନିର୍ଦ୍ଦେଶନାମା ବଳରେ ଏହି କାର୍ଯ୍ଯ କରାଯାଉଛି ତାହା ତଦନ୍ତ ସାପେକ୍ଷ। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ କାର୍ଯ୍ୟ ନିମନ୍ତେ ଟେଣ୍ଡର ବ୍ୟବସ୍ଥା ରହିଥିବା ବେଳେ କେଉଁ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଏହି କାର୍ଯ୍ଯ କରାଯାଉଛି ତାହା ଅଭିଭାବକ ମହଲରେ ଉଦବେଗ ପ୍ରକାଶ ପାଇବା ସହ ସନ୍ଦେହ ସୃଷି ହୋଇଛି। ଏଠାରେ ପ୍ରକାଶ ଥାଉକି ସମ୍ପୃକ୍ତ ବିଦ୍ୟାଳୟରେ କୋଣାର୍କ ପୂର୍ତ୍ତ ବିଭାଗ ଦ୍ଵାରା ୫T ସମ୍ପର୍କିତ ରଙ୍ଗ କାର୍ଯ୍ୟ, ଟାଇଲ ବିଛା କାମ, ବିଦ୍ୟୁତ ସମ୍ବର୍ଧିତ କାର୍ଯ୍ୟ, ପାଚିର ନିର୍ମାଣ ସମେତ ଆନୁଷଙ୍ଗିକ କାର୍ଯ୍ୟ ଗତ ଦୁଇ ମାସ ତଳେ ସମ୍ପାଦିତ ହୋଇଛି। ଏହି ବିଦ୍ୟାଳୟରେ ୫T କାର୍ଯ୍ୟ ବିନା ଅନୁଦାନରେ କିଭଳି ଭାବେ କରାଯାଉଛି ତାହା ଅଞ୍ଚଳ ବାସୀଙ୍କୁ ଆଶ୍ଚର୍ୟ୍ଯ ଚକିତ କରିଥିବା ବେଳେ ବିନା ଯୋଜନାରେ କେଉଁ ନିୟମ ଅନୁସାରେ ଅଣଯୋଜନାରେ ଏହି କାର୍ଯ୍ଯ କରାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଏଭଳି ବେଆଇନ୍ କାର୍ଯ୍ୟ ଉପରେ ପୁରୀ ଜିଲ୍ଲା ପ୍ରଶାସନ କିମ୍ବା ବ୍ଳକ୍ ପ୍ରଶାସନ କାହିଁକି ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ବିଭାଗୀୟ କାର୍ଯ୍ୟ ଦକ୍ଷତା ଓ ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିବା ଛଡ଼ା ଆଉ କିଛି ନୁହେଁ ବୋଲି ଚର୍ଚ୍ଚା ଜୋର ଧରିଛି। ଏହି କାର୍ଯ୍ଯ ସ୍ଥଳିକୁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନଆସିବା ଓ ନିମ୍ନ ମାନର ଇଟା ସହ ଆବଶ୍ୟକ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଦେଖିବାକୁ ମିଳିଛି। ଏଭଳି ବେଆଇନ୍ କାର୍ଯ୍ୟ ଉପରେ ରୋକ ଲଗାଇବା ସହିତ ସୁଶାସନ ଓ ସ୍ୱଚ୍ଛତା ଆଦର୍ଶରେ ଚାଲୁଥିବା ରାଜ୍ୟ ମୂଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ,5t ସଚିବ, ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଦୃଷ୍ଟି ଦେଇ ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ କୋଣାର୍କ ଅଞ୍ଚଳର ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ପୁରାତନ ଛାତ୍ର, ଅଭିଭାବକ, ସଚେତନ ନାଗରିକ ଓ ଅଞ୍ଚଳ ବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି।


