୨୮ରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ବିଧାନସଭା ସମ୍ମୁଖରେ ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ମେଡିକାଲ କଲେଜ ସ୍ଥାପନ ପରେ ବି ଜିଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାରେ ଉନ୍ନତି ପରିଲକ୍ଷିତ ନହେବାକୁ ନେଇ ସରକାରୀ ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛି । କ୍ରିୟାନୁଷ୍ଠାନ କମିଟିର ମଠସାହି ଶାଖା ବୈଠକରେ ଜିଲ୍ଲା କମିଟିର କର୍ମକର୍ତ୍ତାମାନେ ଯୋଗଦେଇ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ବିରୋଧରେ ଜନଜାଗରଣ ଓ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନେଇଛନ୍ତି । ମେଡିକାଲ କଲେଜ ଚିକିତ୍ସାଳୟ ସମେତ ଜିଲାର ସମସ୍ତ ଡାକ୍ତରଖାନରେ ଆବଶ୍ୟକ ସଂଖ୍ୟାକ ଡାକ୍ତର ଓ ବିଶେଷଜ୍ଞ ଏବଂ କର୍ମଚାରୀ ନିଯୁକ୍ତି ଦାବିରେ ଜିଲା ବ୍ୟାପୀ ସଚେତନତା ଯାତ୍ରା ତଥା ବିଧାନସଭା ସମ୍ମୁଖରେ ଗଣଧାରଣା ପାଇଁ ସର୍ବସମ୍ମତ୍ତି କ୍ରମେ ସିଦ୍ଧାନ୍ତ ନିଆଯାଇଛି । ଏନେଇ ଆସନ୍ତା ୨୫ ତାରିଖ ଅପରାହ୍ନ ୩ଟାରେ କବିତୀର୍ଥ ଶାନ୍ତିକାନନ ପରିସରରୁ ଏକ ଅଭିଯାତ୍ରୀ ଦଳ ପରିକ୍ରମା ଆରମ୍ଭ କରିବ । ଜିଲ୍ଲା ପରିକ୍ରମା ମାଧ୍ୟମରେ ସ୍ୱାସ୍ଥ୍ୟସେବା ସଂପର୍କିତ ଦାବିପତ୍ର ସହ ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ଓ ଦାବି ସଂପର୍କରେ ସଚେତନ କରାଯିବ । ଆସନ୍ତା ୨୮ ତାରିଖ ସୋମବାର ଦିନ ବିଧାନସଭା ସମ୍ମୁଖରେ ଶତାଧିକ ଜିଲାବାସୀ ଗଣଧାରଣାରେ ବସିବେ ବୋଲି ବୈଠକରେ ଜିଲା କମିଟି କର୍ମକର୍ତ୍ତାମାନେ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ବୈଠକରେ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ସ୍ଥାନୀୟ କମିଟିର ସଭାପତି ରାଜେନ୍ଦ୍ର ନାଥ ରାଉତ ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ନିରଞ୍ଜନ ପରିଡ଼ା, ପ୍ରଦୀପ ଦାସ, ଇଂ. ବନମାଳୀ ନାୟକ, ଗୌରାଙ୍ଗ ପାଣିଗ୍ରାହୀ, ପ୍ରଫୁଲ୍ଲ ଦାସ, ସଚିନ୍ଦ୍ର ଦାସ, ଅନୁସୂୟା ନାୟକ, ନିରଞ୍ଜନ ରାଉତ, ଜୟନ୍ତୀ ତ୍ରିପାଠୀ, ଜ୍ୟୋତ୍ସ୍ନା ମହାନ୍ତି, ବିଜୟ କୁମାର ଦାସଅଧିକାରୀ, ଶୋଭନା ମିଶ୍ର, ବିରେନ୍ଦ୍ର ନାରାୟଣ ପ୍ରହରାଜ, ରମାକାନ୍ତ ମହାନ୍ତି, ପ୍ରଫୁଲ୍ଲ ଜେନା, ଉମେଶ ଚନ୍ଦ୍ର ଗୋଚ୍ଛାୟତ, ନିକୁଞ୍ଜ କିଶୋର ଭଞ୍ଜ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବେଣୁଧର ପାଲ୍ ଶେଷରେ ଧନ୍ୟବାଦ ଦେଇଥିଲେ ।