ଉତ୍କଳ ମହିଳା ସମିତି ଭୀଷ୍ମଗିରି ଶାଖାର ଆନ୍ଦୋଳନ ପାଇଁ ପ୍ରସ୍ତୁତି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ମହିଳା ସମିତି ଭୀଷ୍ମଗିରି ଶାଖା ପକ୍ଷରୁ ଆନ୍ଦୋଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଅମୁଲ୍ୟ କୁମାରୀ ଦାସଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।ରବିବାର ଭୀଷ୍ମଗିରି ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ମହିଳା ଯୋଗ ଦେଇ ଦୀର୍ଘ ଦିନରୁ ଜାଣିଶୁଣି ସମସ୍ତ ସରକାରୀ ସୁବିଧାରୁ ସେମାନଙ୍କୁ ବଞ୍ଚିତ କରା ଯାଉଥିବାର ଅଭିଯୋଗ କରିଥିଲେ। ଏଥିପାଇଁ ଆହୁତ ବୈଠକରେ ଅଖିଳ ଭାରତ ଛାତ୍ର ସଂଘର ଓଡିଶା ରାଜ୍ୟ ସଭାନେତ୍ରୀ ସୁଶ୍ରୀ ସଂଘମିତ୍ରା ଜେନା ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ନାରୀ ମାନଙ୍କ ପ୍ରତି ହୋଇ ଆସୁଥିବା ଅବହେଳା ଓ ଶୋଷଣ ପାଇଁ ସରକାରୀ କଳକୁ ଦାୟୀ କରିଥିବା ବେଳେ ସାଧାରଣ ଜୀବନରେ ମହିଳା ମାନେ ଭୋଗୁଥିବା ସମାସ୍ୟକୁ ନେଇ ଗଭୀର କ୍ଷୋଭ ପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବାମପନ୍ଥୀ ନେତା ବୃନ୍ଦାବନ ପଣ୍ଡା, ଅଳକ ନାଥ ମିଶ୍ର, ପ୍ରକାଶ ଚନ୍ଦ୍ର ସେଠୀ, ସି ପି ଆଇ ଭୀଷ୍ମଗିରି ଶାଖା ସମ୍ପାଦକ ଅଶୋକ କୁମାର ସେଠୀ, ସହ ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡା, ବି. ସୁକୁଟା, ବି. ହାଡୁବନ୍ଧୁ ପ୍ରମୁଖ ଯୋଗଦେଇ ମହିଳା ମାନେ ସଂଗଠିତ ହୋଇ ସେମାନଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ମତ ପ୍ରଦାନ କରିଥିଲେ। ଏହି ବୈଠକରେ ଉପସ୍ଥିତ ମହିଳା ମାନଙ୍କ ବିଭିନ୍ନ ସମସ୍ୟା ବଳି କୁ ସମ୍ବଳିତ କରି ଏକ ତାଲିକା ପ୍ରସ୍ତୁତ କରା ଯାଇଥିଲା। ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପରବର୍ତ୍ତୀ ବୈଠକରେ ଆଲୋଚନା କରାଯାଇ ଆନ୍ଦୋଳନ ର ରୂପରେଖ ସମ୍ପର୍କରେ ନିର୍ଦ୍ଧାରଣ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଥିବା ଜଣାପଡିଛି।


