ଆରପାରିରେ ପୂର୍ବତନ ସରପଞ୍ଚ ଘନଶ୍ୟାମ ପଣ୍ଡା
ବାଲେଶ୍ୱର, (ସରୋଜ ପଣ୍ଡା):ସାରଗାଁ ପଞ୍ଚାୟତର ଏକାଧିକ ଥର ନିର୍ବାଚିତ ସରପଞ୍ଚ ତଥା ବର୍ତ୍ତମାନର ସାରଗାଁ ପ୍ରାଥମିକ କୃଷି ସମବାୟ ସମିତି ସଭାପତି ଜଣାଶୁଣା ସମାଜସେବୀ ଘନଶ୍ୟାମ ପଣ୍ଡା (ପାଗୁଲୁ ନନା)ଙ୍କର ଗୁରୁବାର ଭୋର ଅକାଳନ ବିୟୋଗ ହୋଇଯାଇଛି । ମୃତ୍ୟୁ ବୋଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା । ଗତକାଲି ରାତିରେ ଖାଇପିଇ ଘରେ ଶୋଇଥିବା ବେଳେ ପ୍ରାୟ ୩ଟା ବେଳେ ତାଙ୍କୁ ହୃଦଘାତ ହେବା ସହ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲାମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳେ ଭୋର ୫ଟା ବେଳେ ତାଙ୍କର ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ପତ୍ନୀ ବାସୁମତି ପଣ୍ଡା, ଦୁଇପୁଅଙ୍କ ସମେତ ବଡ଼ଭାଇ ବବାଜୀ ପଣ୍ଡା, ସାନଭାଇ ମନୋରଂଜନ ପଣ୍ଡା ଓ ଭଗବାନ ପଣ୍ଡା ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ପୂର୍ବତନ ବିଧାୟକ ଗୋବିନ୍ଦ ଦାସ ଓ ସୁଦର୍ଶନ ଜେନା, ସାରଗାଁ ସରପଞ୍ଚ ସାବିତ୍ରୀ ଶତପଥୀ ଓ ସମିତି ସଭ୍ୟ ସୂର୍ଯ୍ୟକାନ୍ତ ମିଶ୍ର, କୁରୁଡ଼ା ସରପଞ୍ଚ ତାପସ ପାଣିଗ୍ରାହୀ, ରଣସାହି ସରପଞ୍ଚ ସୂର୍ଯ୍ୟକାନ୍ତ ବେହେରା, ଶାସଙ୍ଗ ସରପଞ୍ଚ ପ୍ରଫୁଲ ଦ୍ୱିବେଦୀ, ସାରଗାଁର ପୂର୍ବତନ ସରପଞ୍ଚ ନରେନ୍ଦ୍ର ଦାସ, ରବୀନ୍ଦ୍ର ନାୟକ ଓ ଅଶୋକ ସେନାପତି, ବିଜେଡି ନେତା ଶତ୍ରୁଘ୍ନ ମଲିକ, ଜିତେନ୍ଦ୍ର ସ୍ୱାଇଁ, ଲକ୍ଷ୍ମୀଧର ସ୍ୱାଇଁ, ବାପି ରାଉତ, ବିଜୟ ସାହୁ, ସୁଶାନ୍ତ ଶତପଥୀ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତରଖାନା ଓ ସାରଗାଁ ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବାସଭବନରୁ ଏକ ଶୋଭାଯାତ୍ରାରେ ତାଙ୍କର ମୃତ ଶରୀରକୁ ପଞ୍ଚାୟତ କାର୍ଯ୍ୟାଳୟ ଓ କୃଷି ସମବାୟ ସମିତି ସମେତ ଗାଁ’ ପରିକ୍ରମା ପରେ ଘରବାରିରେ ଶୋକାକୂଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ବଡ଼ପୁଅ ମୁଖାଗ୍ନି ଦେଇଥିଲେ । ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ଦେଙ୍କ ଅତ୍ୟନ୍ତ ସହଯୋଗୀ ହୋଇ ରାଜନୀତିରେ ପ୍ରବେଶ ସହ ଯୁବ ସଂଗଠକ ଭାବେ ସେ ଦୁଇଥର ସରପଞ୍ଚ ହୋଇଥିବା ବେଳେ ପତ୍ନୀଙ୍କୁ ମଧ୍ୟ ଥରେ ସମିତିି ସଭ୍ୟା ଭାବେ ନିର୍ବାଚିତ କରାଇଥିଲେ । ସେହିଭଳି ସେ ଦୀର୍ଘଦିନ ଧରି ସାରଗାଁ ସମବାୟ ସମିତି ସଭାପତି ରହି ଆସୁଛନ୍ତି । ଜଣେ ଦକ୍ଷ ପଞ୍ଚାୟତସ୍ତରୀୟ ନେତା ତଥା ସମାଜସେବୀ ଭାବେ ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।


