‘ଆୟୁର ଆବେଗ ବାର୍ଷିକ ଉତ୍ସବ ଏବଂ ଚିକିତ୍ସକ ସମ୍ମିଳନୀ

ବାଲେଶ୍ୱର, (ସରୋଜ ପଣ୍ଡା):ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ସିଦ୍ଧବୈଦ୍ୟ ଡାକ୍ତର ଶୀତିକଣ୍ଠ ଦାସଙ୍କ ସ୍ମୃତିରେ ‘ଆୟୁର୍ ଆବେଗ’ର ତ୍ରୟୋଦଶ ବାର୍ଷିକ ଉତ୍ସବ ଏବଂ ରାଜ୍ୟସ୍ତରୀୟ ଆୟୁର୍ବେଦିକ ସ୍ନାତକୋତ୍ତର ଶିକ୍ଷାର୍ଥୀ କର୍ମଶାଳା ଏବଂ ଚିକିତ୍ସକ ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ ସହ ସ୍ୱାସ୍ଥ୍ୟସେବାରେ ଆୟୁର୍ବେଦ ତଥା ପ୍ରାକୃତିକ ଚିକିତ୍ସା ପଦ୍ଧତିର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତର ପାରମ୍ପରିକ ତଥା ପ୍ରାକୃତିକ ଚିକିତ୍ସା ପଦ୍ଧତିକୁ ଘରେ ଘରେ ଆଦୃତ କରିବା ସହ ଏହାର ପ୍ରଚାର ପ୍ରସାର ପାଇଁ ‘ଆୟୁର-ଅବେଗ’ର ପ୍ରୟାସ ସ୍ୱାଗତଯାଗ୍ୟ ପଦକ୍ଷେପ ବୋଲି ମତ ପ୍ରକାଶ କରିଥିଲେ । ଏହି ଉତ୍ସବରେ ‘ଆବେଗ ସମ୍ମାନ’ରେ ସମ୍ବର୍ଦ୍ଧିତ ଅବସରରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଆୟୁର୍ବେଦ ଗବେଷଣା ପରିଷଦର ମହାନିର୍ଦ୍ଦେଶକ ପ୍ରଫେସର (ବୈଦ୍ୟ) ରବିନାରାୟଣ ଆଚାର୍ଯ୍ୟ କୌଣସି ରୋଗର ଚିକିତ୍ସା ଅପେକ୍ଷା ପ୍ରତିଷେଧକର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଚିକିତ୍ସା ପ୍ରଣାଳୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ତେବେ ଅନ୍ୟାନ୍ୟ ଚିକିତ୍ସା ବିଜ୍ଞାନ ଭଳି ଆୟୁର୍ବେଦର ଆଧୁନିକୀକରଣ ପାଇଁ କେବଳ ସରକାର ନୁହେଁ ବିଶେଷଜ୍ଞମାନେ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଥିଲେ । ଆୟୁର ଆବେଗର ସଭାପତି କବି ପ୍ରଶାନ୍ତ ଦାସ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ ସିଦ୍ଧ ବୈଦ୍ୟ ଶୀତିକଣ୍ଠ ଦାସଙ୍କ ସୁପୁତ୍ର ଡାକ୍ତର ଶାନ୍ତନୁ ଦାସ ସ୍ୱାଗତ ଅଭିଭାଷଣ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।ଏହି ଅବସରରେ ପ୍ରଫେସର ଆଚାର୍ଯ୍ୟଙ୍କୁ ୨୦୨୨ ମସିହାର ‘ଆବେଗ ସମ୍ମାନ’, ଅବସରପ୍ରାପ୍ତ ଆୟୁର୍ବେଦ ଚିକିତ୍ସକ ଡାକ୍ତର ପ୍ରଭାକର ରଥଙ୍କୁ ‘ମାଗୁଣି ବ୍ରହ୍ମା ସମ୍ମାନ’ ଏବଂ ଚଳିତ ବର୍ଷର ଶ୍ରେଷ୍ଠ ଆୟୁର୍ବେଦ ସ୍ନାତକ ଡାକ୍ତର ରାଜଶ୍ରୀ ମେହେରଙ୍କୁ ଆୟୁର ଆବେଗ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ଆୟୋଜିତ ଆୟୁର୍ବେଦିକ କର୍ମଶାଳାରେ ସ୍ନାତକୋତ୍ତର ବିଦ୍ୟାର୍ଥୀଙ୍କ ଦ୍ୱାରା ଗବେଷଣା ନିବନ୍ଧ ଉପସ୍ଥାପନ କରାଯାଇଥିଲା । ଅପରାହ୍ଣରେ ଆୟୋଜିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅନୁଷ୍ଠାନ ପକ୍ଷରୁ ୫୫ କୋଭିଡ ଯୋଦ୍ଧା (ଆୟୁଷ ଡାକ୍ତର)ଙ୍କ ସମ୍ମାନିତ କରାଯାଇଥିଲା । ଏଥିରେ ବରେଣ୍ୟ ଅତିଥି ଭାବେ ପ୍ରଫେସର ଆଚାର୍ଯ୍ୟଙ୍କ ସମେତ ମୟୁରଭଞ୍ଜ ଜିଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ତୀର୍ଥବାସୀ ପଣ୍ଡା ଓ ବାଲେଶ୍ୱର ଜିଲା ଭାରପ୍ରାପ୍ତ ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ଅଜୟ କୁମାର ଷଣ୍ଢ ପ୍ରମୁଖ ଯୋଗଦେଇ ଆଧୁନିକ ଚିକିତ୍ସା କ୍ଷେତ୍ରରେ ଆୟୁର୍ବେଦର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଡାକ୍ତର ଶାନ୍ତନୁ ଦାସଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜେଶ ଗିରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ